ସମ୍ବଲପୁର ହିଂସା ଘଟଣା : ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଚେତାଇ ଥିଲା

ସମ୍ବଲପୁର ହିଂସା ଘଟଣା : ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଚେତାଇ ଥିଲା

ଭୁବନେଶ୍ବର:  ସମ୍ବଲପୁର ହିଂସା ନେଇ ସାମନାକୁ ଆସିଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ହନୁମାନ ଜୟନ୍ତୀ ପାଇଁ ଗତ ଏପ୍ରିଲ ୧୨ତାରିଖରେ ବାହାରିବାକୁ ଥିବା ଶୋଭାଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନେଇ ଗୁଇନ୍ଦା ବିଭାଗ ଚିଠି ଲେଖି ଏସପିଙ୍କୁ ଆଗୁଆ ସତର୍କ କରିଥିଲା। ଭୁବନେଶ୍ବର ସ୍ପେଶାଲ୍ ବ୍ରାଞ୍ଚର ଗୁଇନ୍ଦା ବିଭାଗ ଏସପି ଗତ ୧୧ ତାରିଖ ଦିନ ଏହି ମର୍ମରେ ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ। କିନ୍ତୁ ସମ୍ବଲପୁର ପୁଲିସ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକୁ ଅଣଦେଖା କରିଥିବାରୁ ହିଂସା ଘଟିଥିଲା ବୋଲି ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ହିଂସାକାଣ୍ଡର ଦିନକ ପୂର୍ବରୁ ଗୁଇନ୍ଦା ଏସ୍‌ପିଙ୍କ ଦ୍ବାରା ସମ୍ବଲପୁର ଏସ୍‌ପିଙ୍କୁ ଲେଖାଯାଇଥିବା ଚିଠି ଏବେ ଗଣମାଧ୍ୟମର ସାମ୍ନାକୁ ଆସିଛି। ଗତ ୧୨ ତାରିଖରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବିଶେଷ କରି ବଜରଙ୍ଗ ଦଳର ସଦସ୍ୟମାନେ ବାଇକ୍‌ରେ ବିଶାଳ ଶୋଭାଯାତ୍ରା କରିବା ନେଇ ଯୋଜନା କରୁଥିବା ଚିଠିରେ ଉଲ୍ଲେଖ ରହିଛି। ଏହି ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ସଦଭାବ ବିଗିଡିପାରେ ବୋଲି ଚିଠିରେ ସୂଚାଇ ଦିଆଯାଇଥିଲା।

୧୧ ଏପ୍ରିଲ ୨୦୨୩ରେ ଜାରି ଗୁଇନ୍ଦା ବିଭାଗର ଚିଠିରେ ଉଲ୍ଲେଖ ଥିଲା ଯେ, ୧୨ ଏପ୍ରିଲ ୨୦୨୩ ଅପରାହ୍ଣ ୩ଟାରେ ହନୁମାନ ଜୟନ୍ତୀ ସମନ୍ବୟ ସମିତିର ୬୦୦ ସଦସ୍ୟ ଗୋବିନ୍ଦତୋଲାଠାରୁ ଗୋଲବଜାର ଦୁର୍ଗାମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିବା ଯୋଜନା କରିଛନ୍ତି । ପ୍ରାୟ ୩୦୦ଟି ବାଇକରେ ଏହି ଶୋଭାଯାତ୍ରା ଜେଲଛକ, ଭୂତାପଡ଼ା, ମୋତିଝରନ, ରାଜାନଗର, ସୁନାପଲାଇ, ଧନକଉଡା, ସାରଳା ଛକ, ଅଶୋକା ଟକିଜ୍ ଛକ, ଜିଲ୍ଲା ସ୍କୁଲ, ଲକ୍ଷ୍ମୀ ଟକିଜ ଚର୍ଚ୍ଚ ଛକ, ଅଇଁଠାପାଲି ଜିଏମ୍ କଲେଜ ଛକ, ମୋଦୀପଡ଼ା ଛକ, ଖୁଜେନପଡ଼ା, ବଡ଼ ସଡ଼କ ମୁନିସିପାଲିଟି ଛକ ଦେଇ ଯିବ। ଶୋଭାଯାତ୍ରାରେ ଡିଜେ ଓ ଲାଉଡସ୍ପିକର ରହିବ ବୋଲି ମଧ୍ୟ କୁହାଯାଇଥିଲା। ଶୋଭାଯାତ୍ରାଟି ସଂଖ୍ୟାଲଘୁ ସଂପ୍ରଦାୟ ରହୁଥିବା ଜନବସତି ଯଥା ଭୂତାପଡ଼ା, ମୋତିଝରନ, ରାଜାନଗର, ସୁନାପାଲ୍ଲି, କୁମ୍ଭାରପଡ଼ା ଓ ଦଳେଇପଡ଼ା ମଧ୍ୟ ଯିବ ବୋଲି କୁହାଯାଇଥିଲା। ଏହି ସମୟରେ ସେମାନେ ଜୟ ଶ୍ରୀରାମ, ଜୟ ହନୁମାନ ଭଳି ସ୍ଲୋଗାନ୍ ଦେବାର ସମ୍ଭାବନା ରହିଛି। ପୁଣି ସଂଖ୍ୟାଲଘୁ ପକ୍ଷ ହିନ୍ଦୁ ବିରୋଧୀ ସ୍ଲୋଗାନ ଦେବାର ଆଶଙ୍କା ବି ରହିଛି। ଏପରିସ୍ଥଳେ ସାଂପ୍ରଦାୟିକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ କରାଯାଇଥିଲା।

ଏହା ସତ୍ତ୍ବେ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆ ନଯିବାରୁ ପରିସ୍ଥିତି ବେକାବୁ ହୋଇଗଲା ଓ ବଡ଼ଧରଣର ହିଂସାକାଣ୍ଡ ସୃଷ୍ଟିହେଲା ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଘଟଣାର ୨୪ ଘଣ୍ଟା ପୂର୍ବରୁ ସତର୍କ ସୂଚନା ମିଳିଥିଲେ ହେଁ ଜିଲ୍ଲା ପୁଲିସ୍ କିଭଳି ପରିସ୍ଥିତିର ଆକଳନ କରିପାରିଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇଛି।

ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଗତ ୧୨ ଓ ୧୪ ତାରିଖରେ ହୋଇଥିବା ବାଇକ୍‌ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ଯୋଗୁଁ  ୨ ଜଣ ଅଧିକାରୀଙ୍କ ସମେତ ୧୦ ଜଣ ପୁଲିସ କର୍ମଚାରୀ ଓ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଏହି ହିଂସା କାଣ୍ଡ ‌ପରେ ଜିଲ୍ଲାରେ ୧୪୪ ଧାରା, କର୍ଫ୍ୟୁ ଲାଗୁ କରାଯାଇଥିଲା। ଇଣ୍ଟରନେଟ୍‌ ବନ୍ଦ ରଖାଯାଇଥିଲା। ଘଟଣା ସହିତ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୮୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe