ଦେବଗଡ଼: ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷାରେ ଦୌଡ଼ିବା ବେଳେ ଅସୁସ୍ଥ ହୋଇ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରିଆମାଳ ଥାନା ବୁଡ଼ିଦୋ ଗ୍ରାମର ପ୍ରଦୀପ ଦେହୁରୀଙ୍କ ପୁଅ ସାହେବ ଦେହୁରୀ (୨୧)। ଗତକାଲି ସନ୍ଧ୍ୟାରେ ଦେବଗଡ଼ ରିଜର୍ଭ ପୁଲିସ ପଡ଼ିଆରେ ଦୌଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର କିଛି ସମୟ ପରେ ସାହେବ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁଁ ସାହେବଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଥିଲା।
ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ସିଡିଏମ୍ଓ ଡା. ବିଶ୍ବମୋହନ ମିଶ୍ର ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପଟେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଏସ୍ପି ଅନିଲ ମିଶ୍ର ପ୍ରକାଶ କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
Follow Us