ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ଟ୍ରେନରେ କଟିଥିଲା ଗୋଡ, ସାହାଯ୍ୟ ଘୋଷଣା ପରେ ବି ସଙ୍ଘର୍ଷରେ ବିତୁଛି ନଟବରଙ୍କ ଦିନ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ଟ୍ରେନରେ କଟିଥିଲା ଗୋଡ, ସାହାଯ୍ୟ ଘୋଷଣା ପରେ ବି ସଙ୍ଘର୍ଷରେ ବିତୁଛି ନଟବରଙ୍କ ଦିନ

ଭୁବନେଶ୍ବର: ଖାକି ପୋଷାକ ପିନ୍ଧି ପୁଣି ଡ୍ୟୁଟି ବାହାରିଯିବାକୁ ଇଚ୍ଛା ହେଉଛି । ପୁଲିସ ପୋଷାକ ଦେଖିଲେ ମନରେ ସେ ପୁଲିସିଆ ବଳ ଫେରିଆସୁଛି । ହେଲେ ଛିଡା ହେବାକୁ ନାହିଁ ଗୋଡ କି ଚାଲିବାକୁ ନାହିଁ ପାଦ । ଆଜିକୁ ଠିକ ୨ ବର୍ଷ ତଳେ ଦୁଇ ଗୋଡ ହରାଇ ଅଚଳ ହୋଇପଡିଛନ୍ତି ହୋମଗାର୍ଡ ନଟବର ନାୟକ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ଟ୍ରେନରେ ତାଙ୍କ ଗୋଡ କଟିଯାଇଥିଲା । ଆଉ ଆଜି ଯେତେବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାଲେଶ୍ୱର ଯାଇଛନ୍ତି ଠିକ ସେତିକି ବେଳେ ସେଦିନର ଦୁର୍ଘଟଣା କଥା ମନେ ପକାଇ ଲୁହ ଗଡାଇଛନ୍ତି ନଟବର।

୨୦୧୯ ମସିହା ଫେବ୍ରୁଆରି ୧୩ ତାରିଖ । ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଥାନ୍ତି । ଆଉ ସୋର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟକରୁଥିବା ନଟବର ଡ୍ୟୁଟି କରିବାକୁ ଟ୍ରେନ ଯୋଗେ ବାଲେଶ୍ୱର ଯାଉଥାନ୍ତି । ନୀଳଗିରି ରୋଡ୍ ଷ୍ଟେସନରେ ଟ୍ରେନ ରହିବା କ୍ଷଣି ପ୍ଲାଟଫର୍ମକୁ ପାଣି ଆଣିବାକୁ ତଳକୁ ଓହ୍ଲାଉଥିବା ବେଳେ ଅନ୍ୟମନସ୍କ ହେତୁ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରେନ ଧକ୍କାରେ ତାଙ୍କର ଦୁଇଟି ଗୋଡ କଟିଯାଇଥିଲା । ପରେ କଟକ ନିଆଯାଇଥିଲେ ବି ତାଙ୍କୁ ୨ଟି ଗୋଡ ହରାଇବାକୁ ପଡିଥିଲା ।

ନଟବରଙ୍କ ସହ ଏଭଳି ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ବେଳକୁ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି । ଏଥିସହ ଘରର ଜମି, ସୁନା ଗହଣା ବି ବିକ୍ରି ସରିଛି । ନଟବର ଘରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ଘରେ ତାଙ୍କ ଉପରେ ସମସ୍ତେ ନିର୍ଭର କରୁଥିଲେ । ହେଲେ ଦୁର୍ଘଟଣାରେ ଗୋଡ ହରାଇବା ପରେ ୨ ବର୍ଷ ହେଲା ସେ ଚାକିରି ବି ହରାଇଛନ୍ତି । ତେଣୁ କେମିତି ଚଳିବେ ସେ ନେଇ ଚିନ୍ତାରେ ନଟବର।

ତେବେ ସେ ରହୁଥିବା କୋଠା ଘର, ମାର୍ବଲର ଚଟାଣ ଦେଖି ଅନେକ ଭାବୁଥିବେ ଏତେ ଭଲ ଘରେ ରହିଥିବା ଜଣେ ଦିବ୍ୟାଙ୍ଗ ଲୋକର ଅସୁବିଧା କେଉଁଠି ରହିଛି ? ନାଇଁ ଆଜ୍ଞା, ଏଇଟା ନଟବରଙ୍କ ଘର ନୁହେଁ । ସୋର ତୁଣ୍ଡପଡାରେ ଥିବା ଏ ଘର ଭଡା ଘର, ଆଉ ଏ ଭଙ୍ଗା ପଲିଥିନ ଟଣାଘର ହେଉଛି ତାଙ୍କର । ହ୍ୱିଲ ଚେୟାରରେ ଚଲାବୁଲା ପାଇଁ ଭଙ୍ଗା ଘରେ ଚଳିବା ଅସୁବିଧା ହେଉଥିବାରୁ ପାଖ ପଡୋଶୀଙ୍କ ଘରେ ଭଡାରେ ରହୁଛନ୍ତି ନଟବରଙ୍କ ପରିବାର । ତେବେ ଆଜି ଯେତେବେଳେ ମୁଖ୍ୟମନ୍ତ୍ରୀ ପୁଣି ଥରେ ବାଲେଶ୍ୱର ଗସ୍ତରେ ଯାଇଛନ୍ତି ସେତେବେଳେ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରି ଇଚ୍ଛା । କିନ୍ତୁ ନିଜ ଅକ୍ଷମତା ପାଇଁ ସେ ଘରେ ରହି କାନ୍ଦୁଛନ୍ତି ଆଉ ତାଙ୍କ ଦୁଃଖ ବୁଝିବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିବେଦନ କରୁଛନ୍ତି ନଟବର । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତ କରି ଭୁବନେଶ୍ୱର ଫେରିବି ଆସିଛନ୍ତି । ଆମେ ଆଶା କରୁଛୁ ଏ ଖବର ସରକାରଙ୍କ ଦୃଷ୍ଟିଗୋଚରକୁ ଆସିଥିବ ଆଉ ନଟବରଙ୍କ ଏ ନିବେଦନ ଶୁଣି ଜିଲ୍ଲା ପ୍ରଶାସନ ସାହାଯ୍ୟ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe