ଘର ଓଡ଼ିଶାରେ, ପାଠପଢ଼ା ଝାଡ଼ଖଣ୍ଡରେ: ୩ କିମି ଦୂରରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର

Advertisment

ହଟହଟା ହେଉଛନ୍ତି ଓଡ଼ିଶା ଛାତ୍ରଛାତ୍ରୀ

ହଟହଟା ହେଉଛନ୍ତି ଓଡ଼ିଶା ଛାତ୍ରଛାତ୍ରୀ

ଘର ଓଡ଼ିଶାରେ, ପାଠପଢ଼ା ଝାଡ଼ଖଣ୍ଡରେ: ୩ କିମି ଦୂରରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର

ରାଇରଙ୍ଗପୁର/ଜାମଦା (୨): ଘର ଓଡ଼ିଶାରେ, କିନ୍ତୁ ପାଠ ପଢ଼ିବାକୁ ଯାଉଛନ୍ତି ଝାଡ଼ଖଣ୍ଡ। ଓଡ଼ିଆ ପରିବର୍ତ୍ତେ ପଡ଼ୋଶୀ ରାଜ୍ୟ ସ୍କୁଲରେ ହିନ୍ଦୀ ଭାଷାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ ମୋରଣ୍ତା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଏହି ପଞ୍ଚାୟତ ଅନ୍ତର୍ଗତ ମୋରଣ୍ଡା ଗ୍ରାମର ପଡ଼ା ଗାଁ କୁଦରସାହିରେ ମୋଟ ୧୮ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। କୁଦରସାହିଠାରୁ ମୋରଣ୍ତା ଗାଁର ଦୂରତା ୩ କିମି ହୋଇଥିବା ବେଳେ ଗ୍ରାମବାସୀ ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ପ୍ରାଥମିକ ସ୍କୁଲ, ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ ଅଫିସ, ବ୍ୟାଙ୍କ୍ ସବୁକିଛି ମୋରଣ୍ତା ଗାଁ ଉପରେ ନିର୍ଭରଶୀଳ।

ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। କିନ୍ତୁ କୁଦରସାହି ଗ୍ରାମବାସୀ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ। କୁଦରସାହିଠାରୁ ଅଙ୍ଗନବାଡ଼ିର ଦୂରତା ୩ କିମି ଏବଂ କଚ୍ଚାରାସ୍ତାର ୯୦ ପ୍ରତିଶତ ଖାଲଢିପ। ଚାରିଚକିଆ ଯିବା ଦୂରେ ଥାଉ, ସାଇକେଲରେ ମଧ୍ୟ ଉକ୍ତ ରାସ୍ତାରେ ଯିବାଆସିବା କଷ୍ଟକର। ଫଳରେ କୁଦରସାହି ଗ୍ରାମର ଶିଶୁ ମୋରଣ୍ତା ଅଙ୍ଗନବାଡି କେନ୍ଦ୍ରକୁ ପ୍ରତିଦିନ ଯାଇପାରନ୍ତି ନାହିଁ। ଗାଁର ମହିଳା ଓ ଶିଶୁ ସୁଷମ ଖାଦ୍ୟ ପାଇବାରେ ମଧ୍ୟ ହଇରାଣ ହରକତ ହେଉଛନ୍ତି। ଦୂରତା ଯୋଗୁଁ ଛାତ୍ରଛାତ୍ରୀ ଅଙ୍ଗନବାଡ଼ିରେ ପ୍ରାକ୍ ଶିକ୍ଷା ସମାପ୍ତ ପରେ ୫ ଶହ ମିଟର ଦୂରରେ ଥିବା ଝାଡ଼ଖଣ୍ତ ମନ୍‌ଝରୀ ଥାନା ଅନ୍ତର୍ଗତ କାଠଭାରି ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି। ଏବେ କୁଦରସାହି ଗାଁର ୯ ଜଣ ଛାତ୍ରଛାତ୍ରୀ କାଠଭାରି ସ୍କୁଲରେ ଅଧ୍ୟୟନରତ। ଏ ସଂକ୍ରାନ୍ତରେ ଝାଡ଼ଖଣ୍ତ ସ୍କୁଲରେ ପଢ଼ୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ଚନ୍ଦ୍ରମୋହନ ଲୋହାରଙ୍କୁ ପଚାରିବାରୁ ସେ କହିଥିଲେ, ଓଡ଼ିଶାରେ ଥିବା ତାଙ୍କ ଗାଁ ସ୍କୁଲର ଦୂରତା ୩ କିମିରୁ ଅଧିକ ଓ ରାସ୍ତା ମଧ୍ୟ ଭଲନାହିଁ। ଅନ୍ୟପକ୍ଷରେ ମାତ୍ର ୫ ଶହ ମିଟର ଦୂରରେ ଝାଡ଼ଖଣ୍ତର ସ୍କୁଲ। ଭଲ ପାଠପଢା ଯାଉଛି, ହେଲେ ହିନ୍ଦୀ ଭାଷାରେ। କାଠଭାରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଧର କେଶରୀଙ୍କ କହିବା ଅନୁସାରେ, ପୂର୍ବରୁ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଏହି ସ୍କୁଲରେ ହିନ୍ଦୀ ଭାଷାରେ ପଢ଼ି ମାଟ୍ରିକ୍ ପାସ୍‌ କରିଛନ୍ତି। ବର୍ତମାନ ମଧ୍ୟ ଉକ୍ତ ବିଦ୍ୟାଳୟକୁ ଓଡ଼ିଆ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସୁଛନ୍ତି। ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚଳିତବର୍ଷ କୁଦରସାହି ଗ୍ରାମର ଦୁଇଜଣ ଛାତ୍ର ଝାଡଖଣ୍ତ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଅଗ୍ରାଧିକାର ଭିତ୍ତିରେ କୁଦରସାହି ଗାଁକୁ ପକ୍କା ରାସ୍ତା, ପ୍ରାଥମିକ ବିଦ୍ୟାଳୟ ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ଜାମଦା ବିଇଓ ଦୁଷ୍ମନ୍ତ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ଏ ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe