Advertisment

ବହୁରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ହୋମ୍ ଆଇସୋଲେସନ୍‌ ମନା

Advertisment
୫୦-୫୯ ବର୍ଷ ବୟସର ବ୍ୟକ୍ତି କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ

amarujala.com

ଭୁବନେଶ୍ୱର : ବହୁରୋଗରେ ପୀଡ଼ିତ ଥିବା କରୋନା ସଂକ୍ରମିତ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ। ସେମାନେ କୋଭିଡ୍‌ ହସ୍ପିଟାଲ ଅଥବା ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲରେ ରହି ଚିକିତ୍ସିତ ହେବେ। ଗୁରୁତର ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲରେ ରହିବାକୁ ପରାମର୍ଶ ଦିଆଯାଉଛି। କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ ସବୁବେଳେ ମାସ୍କ ଓ ଗ୍ଲୋଭ୍‌ସ ପିନ୍ଧିବାକୁ ହେବ ବୋଲି ହୋମ୍ ଆଇସୋଲେସନ୍ ବା ଗୃହ ପୃଥକବାସ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ଡା.ଜୟନ୍ତ ପଣ୍ଡା ଆଜି କହିଛନ୍ତି। ସପ୍ତାହବ୍ୟାପୀ ସୂଚନା କାର୍ଯ୍ୟକ୍ରରେ ଡା.ପଣ୍ଡା କହିଥିଲେ ଯେ ଆକ୍ରାନ୍ତ ବ୍ୟକ୍ତି ନିଜ ରୁମ ଭିତରୁ ବାହାରକୁ ବାହାରିବା ଅନୁଚିତ। ଘରର ଅନ୍ୟ କୋଠରୀ ଅଥବା ଡାଇନିଂ ଟେବୁଲରେ ନ ବସି, ହୋମ୍ ଆଇସୋଲେସନ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏକାନ୍ତରେ ରୁହନ୍ତୁ। ହୋମ୍ ଆଇସୋଲେସନରେ ରୋଗୀଙ୍କୁ ଯେଉଁମାନେ ଯତ୍ନ ନେଉଛନ୍ତି, ସେମାନେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି। ତେଣୁ ରୋଗୀଙ୍କ ପାଖରେ ଯେତିକି କମ୍‌ ସମୟ ରହିବେ, ସେତିକି ଭଲ। ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖକୁ ଶିଶୁ, ବରିଷ୍ଠ ନାଗରିକ ଓ ଗର୍ଭବତୀ ଯିବା ଉଚିତ୍ ନୁହେଁ। ପରିବାରର ଜଣେ ମାତ୍ର ଲୋକ ରୋଗୀଙ୍କ କୋଠରୀକୁ ଯିବା ଦରକାର। କିନ୍ତୁ ସେମାନେ ମାସ୍କ ଓ ଗ୍ଲୋଭସ ପିନ୍ଧିବା ଦରକାର।

ସେ ଆହୁରି ମଧ୍ୟ କହିଥିଲେ ଯେ କୋଭିଡ୍‌ ଘରକୁ ଆସିଲେ ପରିବାର ଲୋକଙ୍କର ଚିନ୍ତା ବଢ଼ିଯାଉଛି। ମାତ୍ର ଅନେକ ରୋଗୀଙ୍କ ଠାରେ ସାଧାରଣ ଲକ୍ଷଣ ଦେଖାଯାଉଛି। ସାରା ବିଶ୍ୱରେ ଦେଖାଯାଇଛି ଯେ ୯୦ ପ୍ରତିଶତ ରୋଗୀଙ୍କ ଠାରେ ଲକ୍ଷଣ ନାହିଁ। କରୋନା ଆକ୍ରାନ୍ତ ରହିବା ଲାଗି ସ୍ୱତନ୍ତ୍ର କୋଠରୀ, ବ୍ୟକ୍ତିଗତ ଶୌଚାଳୟ ଓ ଯତ୍ନ ନେବାଲାଗି ପରିବାରର ଲୋକ ନିହାତି ଆବଶ୍ୟକ। ଏହା ହେଉଛି ହୋମ ଆଇସୋଲେସନ ନିୟମ। ନାକ ବନ୍ଦ ହେବା, କାଶ ହେବା, ଛାତି ଧଡ଼ ଧଡ଼ ହେବା, ମୁଣ୍ଡବିନ୍ଧା ହେବା, ଧଇଁସଇଁ ଲାଗିଲେ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରନ୍ତୁ। ହୋମ ଆଇସୋଲେସନରେ ଥିବା ବେଳେ ରୋଗୀଙ୍କୁ ସ୍ୱତନ୍ତ୍ର କିଟ୍‌ ଦିଆଯାଉଛି। ଏଥିରେ ଭିଟାମିନ-ବି, ଭିଟାମିନ-ସି, ଭିଟାମିନ-ଡି, ପାରାସିଟାମଲ, ଆଣ୍ଟିବାୟୋଟିକ ରହୁଛି। ଏଥିରେ ଏକ ସୂଚନା ଭିତ୍ତିକ ଚାର୍ଟ ରହୁଛି, ଯାହାକି ରୋଗୀ ଅସୁବିଧା ଅନୁଭବ କଲେ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ଅଧିକ ପରାମର୍ଶ ନେଇପାରିବେ। ହୋମ ଆଇସୋଲେସନ ଅବଧି ପୂର୍ଣ୍ଣ ହେବା ପରେ ସ୍ୱାସ୍ଥ୍ୟ ଜନିତ ଉନ୍ନତି ଆସି ନ ଥିଲେ ଆହୁରି କିଛି ଦିନ କୋଭିଡ୍‌ ଗାଇଡଲାଇନ ପାଳନ କରିବାକୁ ପଡ଼ିବ ବୋଲି ଡା.ପଣ୍ଡା କହିଥିଲେ।

କେୟାର ହସ୍ପିଟାଲର ବରିଷ୍ଠ ଚିକିତ୍ସିକ ଡା.ପ୍ରଜ୍ଞାନ ରାଉତରାୟ କହିଥିଲେ ଯେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଭଲ ସେମାନେ ଭୂତାଣୁକୁ ନିଜ ଶରୀରରେ ଦବାଇ ପାରନ୍ତି। ଯେଉଁମାନଙ୍କର ଲକ୍ଷଣ ରହିଛି, ବହୁରୋଗରେ ଆକ୍ରାନ୍ତ ଓ ସ୍ବାସ୍ଥ୍ୟକର୍ମୀମାନେ ନିଶ୍ଚିତ ଭାବେ କୋଭିଡ୍‌ ପରୀକ୍ଷା କରାଇବା ଦରକାର। ସ୍ବଳ୍ପ ଲକ୍ଷଣଥିବା ବ୍ୟକ୍ତି ଗୃହ ସଙ୍ଗରୋଧରେ ରହିବାରେ କୌଣସି ସମସ୍ୟା ନାହିଁ। କୋଭିଡ୍ ସଂକ୍ରମିତ ବ୍ୟକ୍ତି ପୁନର୍ବାର ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଡା.ରାଉତରାୟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe