ବାହାନଗା/ଭୁବନେଶ୍ବର, : ବାଲେଶ୍ବର ଯୁବ ସମାବେଶ ଡ୍ୟୁଟି ପାଇଁ ଆସୁଥିବା ଜଣେ ହୋମ୍ଗାର୍ଡ ଟ୍ରେନ୍ରୁ ଖସି ପଡ଼ିବା ଫଳରେ ୨ ଗୋଡ଼ ହରାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହିତ ଲକ୍ଷେ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ଏହି ହୋମ୍ଗାର୍ଡ଼ ହେଲେ, ରେମୁଣା ଅଞ୍ଚଳର ନଟବର ନାୟକ। ସେ ସୋର ଥାନାରେ କାମ କରୁଥିବାବେଳେ ଯୁବ ସମାବେଶ କାର୍ଯ୍ୟକ୍ରମରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ତାଙ୍କୁ ଡ୍ୟୁଟି ଦିଆଯାଇଥିଲା। ସେଥିପାଇଁ ସେ ଭଦ୍ରକ-ବାଲେଶ୍ବର ଲୋକାଲ୍ ଟ୍ରେନ୍ ଯୋଗ ସୋରରୁ ବାଲେଶ୍ବର ଆସୁଥିଲେ।
ନୀଳଗିରି ରୋଡ୍ ଷ୍ଟେସନ୍ରେ ଟ୍ରେନ୍ଟି ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲା। କାଳେ ଡ୍ୟୁଟିକୁ ଡେରି ହେବ ଭାବି ସେଠାରେ କୌଣସି କାରଣରୁ ଛିଡ଼ା ହୋଇଥିବା ଦୂରନ୍ତ ଏକ୍ସପ୍ରେସ୍ରେ ନଟବର ଚଢ଼ିଥିଲେ। ଏହି ସମୟରେ ଟ୍ରେନ୍ଟି ଚାଲିବା ଆରମ୍ଭ କରିବାରୁ ସେ ନିୟନ୍ତ୍ରଣ ହରାଇ ଟ୍ରେନ୍ ଚକ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କର ଦୁଇ ଗୋଡ଼ କଟିଯାଇଥିଲା। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଂଚି ନଟବରଙ୍କୁ ଡାକ୍ତରଖାନା ନେଇଥିଲା। ଏନେଇ ଖବର ପାଇବା ପରେ ବାଲେଶ୍ବର ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାର ବ୍ୟବସ୍ଥା କରାଇବା ସହ ରେଡ୍କ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଟବରଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। ତାଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ସେ େଘାଷଣା କରିଛନ୍ତି। ଏହାସହିତ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦେଶ ଦେଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତିି।
Follow Us