ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ବିକାଶର ବାସ୍ତବ ଚିତ୍ର : ଦୀର୍ଘ ୮ ବର୍ଷରୁ ଅଧିକ ସମୟ ଧରି ବଣବୁଦା ଭିତରେ ରହୁଥିବା ଅସହାୟ ବୃଦ୍ଧା ଉଦ୍ଧାର

Advertisment
ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ବିକାଶର ବାସ୍ତବ ଚିତ୍ର : ଦୀର୍ଘ ୮ ବର୍ଷରୁ ଅଧିକ ସମୟ ଧରି ବଣବୁଦା ଭିତରେ ରହୁଥିବା ଅସହାୟ ବୃଦ୍ଧା ଉଦ୍ଧାର

ଜିଲ୍ଲା ପ୍ରଶାସନ ସହଯୋଗରେ ସୁଲୋଚନାଙ୍କୁ ଉଦ୍ଧାର କଲେ ଦେବାଶିଷ
ପଲିଥିନ ତଳେ ରହୁଥିଲେ, ମାଟିରେ ଗାତ ଖୋଳି ରୋଷେଇ କରି ବଞ୍ଚୁଥିଲେ ଦୁଃଖଦ ଜୀବନ

ବାରିପଦା : ଆଖିରେ ନଦେଖିଲେ କେହି ବିଶ୍ବାସ କରିପାରିବେନି। ସାଧାରଣ ମଣିଷଟିଏ ବସିଲେ ମଧ୍ୟ ମୁଣ୍ଡ ବାଜୁଥିବା ପଲିଥିନ୍ ତଳେ ରହୁଥିଲେ। ମାଟିରେ ଗାତ ଖୋଳି ସେଥିରେ ରୋଷେଇ କରି ଖାଇ ଜୀବନ ବଞ୍ଚୁଥିଲେ। ଏହାଥିଲା ବିକାଶର ବାସ୍ତବ ଚିତ୍ର। ଦିନେ କି ଦୁଇଦିନ ନୁହେଁ ୮ ବର୍ଷରୁ ଅଧିକ ସମୟ ଧରି ବଣବୁଦା ଭିତରେ ରହୁଥିବା ଜଣେ ଅସହାୟ ବୃଦ୍ଧା ଶେଷର ଉଦ୍ଧାର ହୋଇଛନ୍ତି। ଜିଲ୍ଲାପ୍ରଶାସନ ସହାୟତାରେ ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ବାରିପଦା ଆଣିଛନ୍ତି।

publive-image

ଜିଲ୍ଲାର କପ୍ତିପଦା ବ୍ଲକ୍ ଶରତ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମରେ ଆଜକୁ ୮ ବର୍ଷରୁ ଅଧିକ ସମୟ ଧରି ଅତ୍ୟନ୍ତ ଦୁଃସ୍ଥିତି ଅବସ୍ଥାରେ ଜୀବନଯାପନ କରିଆସୁଥିଲେ ସୁଲୋଚନା ମହାକୁଡ଼। ନିଜ ପୁଅ ବୋହୁଙ୍କ ଦ୍ବାରା ଉପେକ୍ଷିତ ତଥା ପ୍ରଶାସନିକ ବ୍ୟବସ୍ଥା ଆଢ଼ୁହାଳରୁ ରହିଯାଇଥିବା ସୁଲୋଚନା କେବଳ ଅନ୍ନପୂର୍ଣ୍ଣା ଯୋଜନାରେ ମାସକୁ ଦଶ କେଜି ଚାଉଳ ପାଉଥିଲେ । ବୟସର ଅପରାହ୍ନରେ ପାଦ ଥାପିଥିବା ସୁଲୋଚନା ନିଜ ଲଜ୍ଜା ବଞ୍ଚାଇବାକୁ ଖଣ୍ଡେ ଲୁଗା ମଧ୍ୟ ପାଉନଥିଲେ। ଚାଲିବା ଓ କଥା କହିବାର ଶକ୍ତି ନଥିବା ସୁଲୋଚନାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଅଥବା ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳିପାରିନାହିଁ। ପୁଅ ପର କରି ଦେଇ ଶ୍ୱଶୁର ଘରକୁ ଚାଲି ଯାଇଥିବା ବେଳେ ଏକୁଟିଆ ଭିଟା ମାଟିରେ ପଡ଼ିରହିଛନ୍ତି ବୃଦ୍ଧା ସୁଲୋଚନା।

publive-image

ଘର କହିଲେ ଗୋଟାଏ ଛୋଟ ସିଲଭର ହଣ୍ଡା, ଗୋଟାଏ ଥାଳି ଓ ତାଟିଆ । ପିନ୍ଧିବା ନିମନ୍ତେ ଗୋଟିଏ ଛିଣ୍ଡା ବସ୍ତ୍ର । ମାଗିଯାଚି ଚଳୁଥିଲେ । କୌଣସି ଦିନ କିଛି ନ ମିଳିଲେ ଭୋକ ଉପବାସରେ ସମୟ କଟାଉ ଥିଲେ । ଏହି ପ୍ରକାରର ଦୁଃଖଦାୟକ, ହୃଦୟକୁ ଆନ୍ଦୋଳିତ କରାଇ ଦେବା ଭଳି ଘଟଣା ଗଣମାଧ୍ୟମ ଦ୍ବାରା ଲୋକଲୋଚନକୁ ଆସିଥିଲା। ତେବେ ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏସମ୍ପର୍କରେ ସୂଚନା ପାଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହିତ ଆଲୋଚନା କରିଥିଲେ। ଆରଡିଏସି ସମ୍ପାଦକ ବିଜୟ କୁମାର ବେହେରା ମଧ୍ୟ ଏହି କାର୍ଯ୍ୟରେ ବିଶେଷ ସହଯୋଗ କରିଛନ୍ତି। ଡିଏସଏସଓ ନରେଶ ଚନ୍ଦ୍ର ବିନ୍ଧାଣି, ଦିଲ୍ଲୀପ କୁମାର ରାଉତଙ୍କ ସହିତ ରଙ୍ଗାମାଟିଆ ଗ୍ରାମରେ ପହଁଞ୍ଚି ଅସହାୟ ସୁଲୋଚନାଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିବା ସହ ତାଙ୍କୁ ଯତ୍ନର ସହକାରେ ଆଣି ବାରିପଦା ସହରର ପାଲବଣୀସ୍ଥିତ ବୃଦ୍ଧାଶ୍ରମରେ ରଖିଛନ୍ତି।

publive-image

ସେହିପରି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ମଧ୍ୟ ଅସହାୟ ବୃଦ୍ଧାଙ୍କ ବିଷୟରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କ ଦୃଷ୍ଟିକୁ ଆଣିଥିଲେ । ଏହି ସମୟରେ ଖବରପାଇ ସମାଜସେବୀ ପ୍ରବୀର ଚନ୍ଦ୍ର ସାଏ, ଜିଲ୍ଲାପରିଷଦ ସଦସ୍ୟା ସସ୍ମିତା ସିଂ ପୂର୍ତ୍ତି, ସମିତି ସଭ୍ୟା ପଦ୍ମାବତୀ ସିଂ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସିରୁ ସୋରେନ, ଦଣ୍ଡକ ସିଂ, ହିନ୍ଦୁ ସିଂ ପୂର୍ତ୍ତି, ଛାତ୍ର ନେତା ସୁଶୀଳ ସେଠୀ, ଆଶୀର୍ବାଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe