ଜଟଣୀ : ଗୁରୁବାର (ମେ' ୧୧) ୨୫ତମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ ଭର୍ଚୁଆଲ୍ରେ ଜଟଣୀସ୍ଥିତ ଭୁବନେଶ୍ବର ନାଇଜର୍ କ୍ୟାମ୍ପସ୍ରେ ଏକ ବୃହତ୍ କ୍ୟାନସର୍ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି। ବିଶିଷ୍ଟ ଆଣବିକ ଶକ୍ତି ବୈଜ୍ଞାନିକ ହୋମି ଭାବାଙ୍କ ନାମରେ ନାମିତ ଏହି କ୍ୟାନସର୍ ହସ୍ପିଟାଲ୍ରେ ୨୦୦ ଶଯ୍ୟା ରହିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲ ପାଇଁ ୬୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ଆଟମିକ୍ ଏନର୍ଜି ଓ ଟାଟା ପକ୍ଷରୁ ମିଳିତ ସହଯୋଗ ରହିବ। ପୂର୍ବରୁ ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାରଙ୍କ ସହ ଟାଟା ପକ୍ଷରୁ ମଧ୍ୟ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇସାରିଛି। ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଜମି, ଜଳ, ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେବାକୁ ସ୍ଥିର ହୋଇସାରିଛି।
ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶରେ ୫ ହଜାର ୮୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କିଛି ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ଭିଡିଓ କନ୍ଫରେନସିଂ ମାଧ୍ୟମରେ ଜଟଣୀର ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଭାରତ ଆଜି ବୈଷୟିକ ଜ୍ଞାନ କ୍ଷେତ୍ରରେ ବେଶ୍ ଆଗରେ ରହିଛି। ବୈଷୟିକ ଜ୍ଞାନକୁ ଭାରତ କେବେ ବି ପ୍ରଭୁତ୍ୱ ବିସ୍ତାର କରିବାର ମାଧ୍ୟମ ବୋଲି ବିବେଚନା କରିନାହିଁ। ଭାରତ ଏହାକୁ ମାନବ କଲ୍ୟାଣର ମାଧ୍ୟମ ବୋଲି ବିବେଚନା କରିଆସୁଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ବିଗତ ୯ ବର୍ଷ ମଧ୍ୟରେ ଭାରତ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିପାରିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୨୨ ଜୁଲାଇ ୨୬ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଭେଟି ନାଇଜର୍ରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ନେଇ ଆଲୋଚନା କରିଥିଲେ। ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସମେତ ସମଗ୍ର ଭାରତର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବାକୁ ମୋଦୀ ସରକାର ପ୍ରାଥମିକତା ଦେଇଆସୁଛନ୍ତି। ଏହି ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶା ତଥା ପୂର୍ବ ଭାରତର କର୍କଟ ରୋଗୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ। ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ହୋଇପାରିବ।
Follow Us