ଅର୍ଦ୍ଧାହାରରେ ବୃଦ୍ଧାଙ୍କ ଜୀବନ ଗଲା : ଭତ୍ତା ନେଇ ଫେରିବା ବେଳକୁ ଆଖି ବୁଜିସାରିଥିଲେ ସଉତୁଣୀ

Advertisment

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଅର୍ଦ୍ଧାହାରରେ ବୃଦ୍ଧାଙ୍କ ଜୀବନ ଗଲା : ଭତ୍ତା ନେଇ ଫେରିବା ବେଳକୁ ଆଖି ବୁଜିସାରିଥିଲେ ସଉତୁଣୀ

ଦଶପଲ୍ଲା : ମୁଣ୍ତ ଗୁଞ୍ଜି ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ କି ପେଟପୂରା ମୁଠେ ଖାଇବା ପାଇଁ ଦାନା ଗଣ୍ଡେ ନାହିଁ। ଘରଡିହ ଖଣ୍ତିକ ଛାଡ଼ିଦେଲେ ଜମିବାଡ଼ି ବୋଲି ଗୁଣ୍ଠେ ବି ନାହିଁ। ପୁଅଝିଅ କେହି ନଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ପରେ ବେସାହାରା ହୋଇ ରହୁଥିବା ଜଣେ ଅସହାୟା ବୃଦ୍ଧା ଆଜି ଅର୍ଦ୍ଧାହାରରେ ଆଖି ବୁଜିଛନ୍ତି। ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ମଧ୍ୟଖଣ୍ତ ପଞ୍ଚାୟତ ବାଲିକାଦୁଆ ସାହି ଗ୍ରାମରେ ଏଭଳି ଅଘଟଣ ଦେଖିବାକୁ ମିଳିଥିବା ବେଳେ ଅପରାହ୍ଣ ୩ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଘରେ ଶବ ପଡ଼ିରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଦାମୋଦର ରଣାଙ୍କ ପରିବାର କହିଲେ ଦୁଇ ପତ୍ନୀ ବଦନୀ ରଣା ଓ ସରସ୍ବତୀ ରଣା। ବୃଦ୍ଧ ଦାମୋଦରଙ୍କ ମୃତ୍ୟୁ ୪ ବର୍ଷ ତଳେ ହେବା ପ‌ରେ ଘରେ କେବଳ ଦୁଇ ସଉତୁଣୀ ରହି ଆସୁଥିଲେ। ସାହାରା ବୋଲି କେହି ନଥିବା ବେଳେ ଉଭୟଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ କିଗ୍ରା ଚାଉଳ ଓ ୧ ହଜାର ଟଙ୍କା ମିଳୁଥିଲା। ପକ୍କାଘର ଖଣ୍ଡେ ପାଇଁ ବାରମ୍ବାର ପଞ୍ଚାୟତକୁ ଯାଇ ଦରଖାସ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘର ଖଣ୍ଡେ ମିଳିନାହିଁ। ମିଳୁଥିବା ଚାଉଳ ଓ ୧ ହଜାର ଟଙ୍କାକୁ ନେଇ ଉଭୟ ମାସ ସାରା ଚଳିବାରେ କଷ୍ଟ ହେଉଥିବା ସରସ୍ବତୀ କହିଛନ୍ତି। ଏପଟେ ଅନ୍ତ୍ୟୋଦୟ ଯୋଜନାରେ ୩୫ କିଗ୍ରା ଚାଉଳ ପାଇବା ପାଇଁ ପଞ୍ଚାୟତକୁ ଧାଇଁଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ଯୋଜନାରେ ସାମିଲ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଅଧିକାଂଶ ସମୟ ଉଭୟ ଅର୍ଦ୍ଧାହାରରେ ରହୁଥିଲେ। ଖାଇବା ପିଇବାରେ ସମସ୍ୟାକୁ ନେଇ ବଦନୀ କିଛି ଦିନ ଧରି ଅସୁସ୍ଥ ହୋଇ ପଡ଼ିଥିଲେ। ମାତ୍ର ଆଜି ବଦନୀ ଘରେ ଥିବା ବେଳେ ସରସ୍ବତୀ ଉଭୟଙ୍କ ଭତ୍ତା ଖାତା ଧରି ପଞ୍ଚାୟତକୁ ଯାଇଥିଲେ। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭତ୍ତା ପାଇଁ ପଞ୍ଚାୟତ ବାରଣ୍ତାରେ ଅପେକ୍ଷା କରି ଘରକୁ ଫେରିଥିଲେ। ସରସ୍ବତୀଙ୍କୁ କେବଳ ୫ ଶହ ଟଙ୍କା ମିଳିଥିବାବେଳେ ବଦନୀଙ୍କ ଟଙ୍କା ଘରେ ଯାଇ ଦେବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଥିଲେ। ଏହି ସମୟରେ ସରସ୍ବତୀ ଘରେ ପହଞ୍ଚିବା ବେଳକୁ ବଦନୀ ଘରେ ନିଶ୍ଚଳ ହୋଇ ପଡ଼ି ରହିଥିଲେ। ପଡ଼ୋଶୀଙ୍କୁ ଡାକି ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସେମାନଙ୍କର କେହି ସାହାରା ନ ଥିବା ବେଳେ ଅପରାହ୍ଣ ୩ଟାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ଘରେ ପଡ଼ିରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଭତ୍ତା ଦେବାରେ ଅବ୍ୟବସ୍ଥାକୁ ନେଇ କିଛି ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ହୋହଲ୍ଲା କରିଥିଲେ। ଏପରିକି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପ୍ରାୟ ୩ ଘଣ୍ଟା ଧରି ଅଟକ ରଖିଥିଲେ। କିନ୍ତୁ ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୀତିକା ରଂଜନ ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ, ଯେଉଁ ହିତାଧିକାରୀ ଆସୁଥିଲେ, ସେମାନଙ୍କୁ ଭତ୍ତା ଦିଆଯାଉଥିଲା। ଏହାକୁ ନେଇ ବିଳମ୍ବ ହେବାରୁ ଉତ୍ତେଜନା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe