ବୀମା ଉପରେ ଭରସା ପାଉନି, ୬୩ହଜାର ଚାଷୀଙ୍କ ଭାଗ୍ୟ ଝୁଲୁଛି

Advertisment
ବୀମା ଉପରେ ଭରସା ପାଉନି, ୬୩ହଜାର ଚାଷୀଙ୍କ ଭାଗ୍ୟ ଝୁଲୁଛି

The New Indian Express

ବରଗଡ଼: ଉପକୂଳ ଓଡ଼ିଶା ବିଭିନ୍ନ ସମୟରେ ସାଂଘାତିକ ବନ୍ୟା ଏବଂ ବାତ୍ୟାର ଶିକାର ହେଉଛି। ସେହିପରି ପଶ୍ଚିମ ଓଡ଼ିଶାରେ ଖରାଦିନେ କାଳବୈଶାଖୀ ହୋଇଥାଏ। ଏସବୁ କାରଣରୁ ଚାଷୀମାନଙ୍କୁ ପ୍ରବଳ କ୍ଷତି ସହିବାକୁ ପଡ଼ୁଛି। ସମସ୍ତ ବନ୍ୟା ଏବଂ ବାତ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କଲେ ଚାଷୀଙ୍କ କଷ୍ଟ ସାମାନ୍ୟ ଲାଘବ ହୋଇଥାନ୍ତା। ଚା‌ଷୀଙ୍କୁ କ୍ଷତିର ପାଖାପାଖି କ୍ଷତିପୂରଣ ମିଳିଥାନ୍ତା। ହେଲେ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ପାଇଁ କେବଳ ‘ଫସଲ ବୀମା’ ମଲମ ରହିଛି। ଯେଉଁ ଚାଷୀ ଫସଲ ବୀମା କରୁଛି ତାକୁ କ୍ଷତିପୂରଣ ମିଳୁଛି।

ତାହା ପୁଣି ବର୍ଷବର୍ଷ ବିତି ଯାଉଛି। ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ବୀମା ଟଙ୍କା ମିଳିନଥିବା, କିଂବା ଧାର୍ଯ୍ୟ ଠାରୁ ଅତିକମ୍ ଟଙ୍କା କ୍ଷତିପୂରଣ ବାବଦକୁ ମିଳିଥିବା ଅଭିଯୋଗ ହେଉଛି। ଅର୍ଥାତ ଚାଷୀଙ୍କ ଭବିଷ୍ୟତ ବୀମା କମ୍ପାନି ହାତରେ ରହିଛି। କିନ୍ତୁ ବୀମା କମ୍ପାନିଗୁଡ଼ିକର ମନମୁଖି କାମ ଯୋଗୁ ଚାଷୀ ଆନ୍ଦୋଳନ କରି କରି ନୟାନ୍ତ ହେଉଥିଲେ ହେଁ ବୀମା ବ୍ୟବସ୍ଥାର ସରଳୀକରଣ ହେଲାନାହିଁ। ବୀମା କମ୍ପାନିର ସ‌ର୍ଭେ ରିପୋର୍ଟ ହିଁ ଚାଷୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରୁଛି। ଚାଷୀମାନେ ଏକର ପିଛା ୨୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରୁଛନ୍ତି। ହେଲେ ଫସଲ ଉଜୁଡ଼ି ଗଲେ ସେମାନେ ଖର୍ଚ୍ଚ କରୁଥିବା ଟଙ୍କା ତୁଳନାରେ ବୀମା ଟଙ୍କା ଅତି କମ୍‌ ମନେ ହେଉଛି। ଯଦ୍ୱାରା ଫସଲ ବୀମା କରିଥିଲେ ହେଁ ଚାଷୀଙ୍କ କ୍ଷତି ଭରଣା ହେଉନାହିଁ।

ଅନ୍ୟପକ୍ଷରେ ଜିଲ୍ଲା‌ର ଚାଷୀଙ୍କୁ ଅସ୍ଥିର ମାତ୍ରାରେ ବୀମା ଟଙ୍କା ମିଳୁଛି। ୨୦୧୭-୧୮ରେ ବରଗଡ଼ର ସବୁ ପଞ୍ଚାୟତକୁ ଫସଲ ବୀମା ମିଳିଥିଲା। ଚକଡ଼ା ଏବଂ ମରୁଡ଼ି କାରଣରୁ ଜିଲ୍ଲାର ଚାଷୀଙ୍କୁ ୭୩୫ କୋଟି ଟଙ୍କା ବୀମା ରାଶି ମିଳିଥିଲା। ଯାହା ଚା‌ଷୀଙ୍କୁ ଆଶ୍ବସ୍ତ କରିଥିଲା। କିନ୍ତୁ ଏଥର ଖରିଫ୍‌ରେ ପୁଣି ଚାଷୀମାନେ ଧୋକା ଖାଇଛନ୍ତି। ଖରିଫ୍‌ରେ ପାଖାପାଖି ୨ଲକ୍ଷ ଚାଷୀ ବୀମା ସକାଶେ ଆବେଦନ କରିଥିଲେ। ଏହି ହିସାବରେ କମ୍ପାନି ୧୫୭ କୋଟି ଟଙ୍କା ପ୍ରିମିୟମ ଆକାରରେ ପାଇବା କଥା। କିନ୍ତୁ କମ୍ପାନିର ଟାଳଟୁଳ ନୀତି ଯୋଗୁ ବୀମା ବିଭ୍ରାଟର ସମାଧାନ ହୋଇନାହିଁ। ଖରିଫ୍‌ରେ ଜିଲ୍ଲାର ୯ଟି ବ୍ଲକ୍‌ ମରୁଡ଼ି ପ୍ରଭାବିତ ହୋଇଥିବା ଏବଂ ୭୨ହଜାର ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ପ୍ରଶାସନ ରିପୋର୍ଟ ଦେଇଛି।

କିନ୍ତୁ ବୀମା କମ୍ପାନି ଏହାକୁ ଖାତିର କରୁନାହିଁ। ଗତବର୍ଷ ଜୁଲାଇ ୩୧ ତାରିଖ ଭିତରେ ବୀମା ପାଇଁ ପ୍ରିମିୟମ ପୈଠ ହେବା କଥା। କମ୍ପାନି ମାସେ ଭିତରେ ଚାଷୀଙ୍କ ଦସ୍ତାବିଜ୍‌ ଯାଂଚ କରିବା ପରେ ଏହାର ୬୦ ଦିନ ଭିତରେ ବୀମା ମଂଜୁର ହେବା କଥା। କିନ୍ତୁ ବିଭିନ୍ନ ଯାଂଚ ଆଳରେ ଜିଲ୍ଲାର ୬୩,୪୮୬ ଜଣ ଚାଷୀଙ୍କ ଭାଗ୍ୟ ଝୁଲି ରହିଛି। ତେଣୁ ଚାଷୀମାନେ ବୀମା ବ୍ୟବସ୍ଥା ଉପରେ ଆସ୍ଥା ତୁଟାଇ ଦେଉଛନ୍ତି। ଅନ୍ୟପକ୍ଷରେ ଚାଷୀଙ୍କ ଅନ୍ୟ ଯୁକ୍ତି ହେଲା, ଗଜା ମରୁଡ଼ି, ପ୍ରାକୃତିକ ବିପର୍ଯ୍ୟୟ, ଭୂକମ୍ପ/ କରକାପାତ, ଉତ୍ପାଦନ ହ୍ରାସ ହେଲେ ବି ବୀମାଭୁକ୍ତ ହେବା କଥା। ଏପରିକି ଧାନ କାଟି କ୍ଷେତରେ ପକାଇ ଅଦିନିଆ ବର୍ଷା ହେଲେ ବି ଚାଷୀଙ୍କୁ ବୀମା ଟଙ୍କା ମିଳିବା କଥା। କିନ୍ତୁ ପ୍ରଶାସନିକ ସ୍ତରରେ ଏନେଇ କିଛି ପଦକ୍ଷେପ ହେଉନଥିବାରୁ ଚା‌ଷୀଙ୍କୁ ସବୁ କିସମରେ ହଇରାଣ ହେବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe