ପିଏସିକୁ ନେଇ ହଟଚମଟ: ଅଧିକାଂଶ ପରାଜିତ ନେତାଙ୍କୁ ରଖାଗଲା, ଅନଭିଜ୍ଞ ନେତା ବି ସଦସ୍ୟ ରହିଲେ

Advertisment

ଦୀର୍ଘ ୨୫ ବର୍ଷ ପରେ ବିଜେଡି ରାଜନୈତିକ ବ୍ୟାପାର କମିଟି (ପିଏସି) ଗଠନ କରିଛି। ପିଏସିର ଅଧ୍ୟକ୍ଷ ରହିଛନ୍ତି ନିଜେ ସଭାପତି ନବୀନ ପଟ୍ଟନାୟକ। ସଦସ୍ୟ ଅଛନ୍ତି ବିକ୍ରମ‌ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ....

ଦୀର୍ଘ ୨୫ ବର୍ଷ ପରେ ବିଜେଡି ରାଜନୈତିକ ବ୍ୟାପାର କମିଟି (ପିଏସି) ଗଠନ କରିଛି। ପିଏସିର ଅଧ୍ୟକ୍ଷ ରହିଛନ୍ତି ନିଜେ ସଭାପତି ନବୀନ ପଟ୍ଟନାୟକ। ସଦସ୍ୟ ଅଛନ୍ତି ବିକ୍ରମ‌ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ....

Naveen Pattnaik

Naveen Pattnaik Photograph: (Sambad )

ଭୁବ‌ନେଶ୍ବର: ଦୀର୍ଘ ୨୫ ବର୍ଷ ପରେ ବିଜେଡି ରାଜନୈତିକ ବ୍ୟାପାର କମିଟି (ପିଏସି) ଗଠନ କରିଛି। ପିଏସିର ଅଧ୍ୟକ୍ଷ ରହିଛନ୍ତି ନିଜେ ସଭାପତି ନବୀନ ପଟ୍ଟନାୟକ। ସଦସ୍ୟ ଅଛନ୍ତି ବିକ୍ରମ‌ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସଂତୃପ୍ତ ମିଶ୍ର। ଏମାନଙ୍କ ମଧ୍ୟରୁ କେବଳ ପ୍ରମିଳା ମଲ୍ଲିକ ଓ ନିରଞ୍ଜନ ପୂଜାରୀଙ୍କୁ ବାଦ୍ ଦେଲେ ଆଉ ୬ ଜଣ ଗତ ନିର୍ବାଚନରେ ପରାଜୟବରଣ କରିଥିଲେ। ସସ୍ମିତ ପାତ୍ରଙ୍କର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ନାହିଁ। ଏହି କଥାକୁ ନେଇ କମିଟି ଉପରେ ପ୍ରଶ୍ନ ଉଠିଛି। ଦଳ ଭିତରେ ତଥାପି କିଛି ଠିକ୍ ଠାକ୍‌ ନାହିଁ, ଏକଥା ଭଣଭଣ ଗନ୍ଧାଇଲାଣି। କେହି କେହି ଏକଥା ବି ଚର୍ଚ୍ଚା କଲେଣି ଯେ କମିଟିକୁ ଦେଖିଲେ ଜଣାପଡ଼ୁଛି, ପରଦା ପଛରେ ରହି ନବୀନଙ୍କ ବ୍ଲୁ ଆଏଡ୍‌ ଭି କେ ପାଣ୍ଡିଆନ୍ ସବୁ କରୁଛନ୍ତି। କମିଟିର କଳେବର ଦେଖି ଅନୁଭବୀମାନେ ବୁଝିପାରୁନାହାନ୍ତି ଯେ କାହାକୁ ଖୁସି କରିବାକୁ ଏଭଳି ଗୋଟିଏ କମିଟି ଗଠନ କରାଗଲା। ନିର୍ବାଚନରେ ପରାଜିତ ହୋଇଥିବା କିଛି ନେତା ଓ କିଛି ଅନଭିଜ୍ଞ ନେତାଙ୍କୁ ନେଇ ଗଠିତ ଏହି କମିଟି ଦଳକୁ କି ଦିଗ୍‌ଦର୍ଶନ ଦେବ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ବିଜେଡି ଗଠନ ହେଲା ପରେ ରାଜନୈତିକ ବ୍ୟାପାର କମିଟି ରହିଥିଲା। ବରିଷ୍ଠ ନେତା ବିଜୟ ମହାପାତ୍ର କମିଟିର ଅଧ୍ୟକ୍ଷ ରହିଥିଲେ। ବିଜେଡିର ପ୍ରାୟ ସବୁ ରାଜନୈତିକ ନିଷ୍ପତ୍ତି ଏହି କମିଟି ହିଁ ନେଉଥିଲା। ଫଳରେ ଦଳ ଭିତରେ ଗଣତାନ୍ତ୍ରିକ ପ୍ରକ୍ରିୟା ସଶକ୍ତ ହୋଇଥିଲା। କିନ୍ତୁ ୨୦୦୦ ନିର୍ବାଚନ ପୂର୍ବରୁ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଯିବା ସହ ପିଏସିକୁ ବି ଅକାମି କରିଦିଆଯାଇଥିଲା। ତାହା ପରଠାରୁ ପିଏସି ଗଠନ ହୋଇ ନଥିଲା। ୨୫ ବର୍ଷ ବ୍ୟବଧାନ ପରେ ପିଏସି ଗଠନ ହୋଇଛି। ହେଲେ ରାଜନୈତିକ ବିଶେଷଜ୍ଞ ପୂର୍ବାନୁମାନ କଲେଣି ଯେ ଏହା ଏକ ସାଇନ୍ ବୋର୍ଡ କମିଟି ହୋଇ ରହିବା ଏକପ୍ରକାର ଥୟ।  ନିଜେ ସଭାପତି ହିଁ ଏହି କମିଟିରେ ଅଧ୍ୟକ୍ଷ ଅଛନ୍ତି। ତେଣୁ ସଭାପତି ଯାହା ଚାହିବେ, ତାହାକୁ ହିଁ କମିଟି ମାଧ୍ୟମରେ ସୁପାରିସ୍ କରାଇବେ। ଆଉ ଦଳର ସଭାପତି ଭାବେ ତାହାକୁ ଗ୍ରହଣ କରିବେ। ତେଣୁ ଏହି କମିଟି ଦଳର କି ପ୍ରକାର ଆଭ୍ୟନ୍ତରୀଣ ଗଣତନ୍ତ୍ର ସୁଦୃଢ଼ କରିବ, ତାହା ଏହି ମହଲ ବୁଝିପାରୁ ନାହାନ୍ତି। 

ରାଜନୈତିକ ସମୀକ୍ଷକମାନଙ୍କର ଆହୁରି କହିବା କଥା, ଯଦି ପିଏସିକୁ ବିଜେଡିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ଭାବେ ବିବେଚନା କରାଯାଏ, ତେବେ ବରିଷ୍ଠ ଓ ଅଭିଜ୍ଞ ନେତାମାନେ ହିଁ ସଦସ୍ୟ ରହିବା କଥା। ଏ କ୍ଷେତ୍ରରେ ତାହା ଆଦୌ କରାଯାଇ ନାହିଁ। କମିଟିର ସଦସ୍ୟ ତାଲିକା ଦେଖିଲେ, ପାଣ୍ଡିଆନଙ୍କ ପସନ୍ଦକୁ ହିଁ ଗୁରୁତ୍ବ ଦିଆଯାଇଥିବା ସ୍ପଷ୍ଟ ହେଉଛି। ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ବିଜେଡି ଭିତରେ ତୀବ୍ର ଅସନ୍ତୋଷ ରହିଛି। ନିର୍ବାଚନରେ ତାଙ୍କ ଆଚରଣ ଓ ସ୍ବେଚ୍ଛାଚ‌ାରିତା ବିଜେଡି ପରାଜୟର ବଡ଼ କାରଣ ଭାବେ ସମସ୍ତେ ବିବେଚନା କରୁଛନ୍ତି। ପାଣ୍ଡିଆନଙ୍କ ବିଶ୍ବସ୍ତ ହୋଇ ସେ ଦଳ ଭିତରେ ଏପରି କାମ କରୁଥିଲେ ଯେ ସେଥିପାଇଁ ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିଲା। କିନ୍ତୁ ପ୍ରଣବଙ୍କୁ ପିଏସିରେ ସଦସ୍ୟ କରାଯାଇଛି। ସେହିପରି ସସ୍ମିତ ପାତ୍ରଙ୍କୁ ନେଇ ଗତ କିଛି ଦିନ ଧରି ବଡ଼ ବିବାଦ ମୁଣ୍ଡ ଟେକିଥିଲା। ୱକଫ୍‌ ବିଲ୍‌ ପ୍ରସଙ୍ଗରେ ତାଙ୍କ ଭୂମିକା ବିବାଦୀୟ ଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ମଧ୍ୟ ପିଏସିରେ ରଖାଯାଇଛି। ନିର୍ବାଚନର କିଛି ଦିନ ଆଗରୁ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଥିଲେ। ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ନିକଟରେ ପାଣ୍ଡିଆନଙ୍କୁ ଜବାହାରଲାଲ ନେହରୁଙ୍କ ସହ ତୁଳନା କରି ଆନୁଗତ୍ୟର ଶ୍ରେଷ୍ଠ ନମୁନା ଦେଖାଇଥିଲେ। ଏବେ ସେ ପିଏସିର ସଦସ୍ୟ ରହି ଦଳର ନୀତି ନିର୍ଦ୍ଧାରଣ କରିବେ। 

ପିଏସିରେ ପାଣ୍ଡିଆନଙ୍କ ପୂରା ଆଧିପତ୍ୟ ରହିଥିବା‌ ଏଇଥି ପାଇଁ ଚର୍ଚ୍ଚା ହେଉଛି ଯେ କମିଟିରେ ଥିବା ସଦସ୍ୟଙ୍କ ମଧ୍ୟରୁ କେହି ଜଣେ ବି ଦଳରେ ପାଣ୍ଡିଆନଙ୍କ ଆଧିପତ୍ୟକୁ ନେଇ କେବେ ପ୍ରଶ୍ନ କରିନାହାନ୍ତି। ନିର୍ବାଚନ ପରାଜୟ ପରେ ନବୀନ ଓ ବିଜେଡିକୁ ପାଣ୍ଡିଆନମୁକ୍ତ କରିବା ପାଇଁ ହୋଇଥିବା ଅଭିଯାନରେ ଏ‌ମାନେ କେବେ ସାମିଲ ହୋଇନାହାନ୍ତି। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ପାଣ୍ଡିଆନଙ୍କୁ ନିର୍ବାଚନ ପରାଜୟ ପାଇଁ ଦାୟୀ କରିନାହାନ୍ତି। ତେଣୁ ବାଛି ବାଛି ଏମିତି ନେତାମାନଙ୍କୁ କମିଟିର ସଦସ୍ୟ କରାଯାଇଛି। ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ବିଜେଡିର ପରିଚାଳନା ଦାୟିତ୍ବ ନେବାକୁ ଅଣ୍ଟା ଭିଡ଼ିଥିବା ‘ସପ୍ତରଥୀ’ଙ୍କ ଭିତରେ ବି ଚତୁରତାର ସହ ଫାଟ କରି ଦିଆଯାଇଛି। ସେମାନଙ୍କ ମଧ୍ୟରୁ କେବଳ ସଞ୍ଜୟ ଓ ପ୍ରଣବଙ୍କୁ ନିଆଯାଇ ଅନ୍ୟମାନଙ୍କୁ ବାଦ୍ ଦିଆଯାଇଛି। ‘ପଲିଟିକାଲ୍‌ ଆଫେୟାର୍ସ କମିଟି’କୁ ‘ପାଣ୍ଡିଆନ୍ ଆଫେୟାର୍ସ କମିଟି’ କହି ଦଳ ଭିତରେ ଥଟା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe