ଲଘୁଚାପ ବର୍ଷାରେ ଘର ଭାଙ୍ଗିଲା

ଲଘୁଚାପ ବର୍ଷାରେ ଘର ଭାଙ୍ଗିଲା

କେନ୍ଦୁଝର: ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ ପଞ୍ଚାୟତର ଗଲେନୁରଙ୍କ ଘର ଭାଙ୍ଗିଯାଇଛି। ଫଳରେ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଗଲେନୁରଙ୍କ ଘର ଅବସ୍ଥା ଅତି ଶୋଚନୀୟ ଥିଲା। ମାଟି କାନ୍ଥ ଉପରେ ଭଙ୍ଗା ଖପର ଛପର ଥିଲା। ସାମାନ୍ୟ ବର୍ଷା ହେଲେ ଘରେ ପାଣି ଗଳୁଥିଲା। ଘର ଉପରେ ପଲିଥିନ ଟାଣି ପରିବାର ସହ ରହୁଥିଲେ ଗଲେନୁର। ଲଗାଣବର୍ଷାକୁ ପଲିଥିନ ସମ୍ଭାଳି ପାରିଲା ନାହିଁ। ଗତକାଲି ରାତି ଘର କାନ୍ଥ ଭୁଶୁଡ଼ି ପଡ଼ିଲା। ତେବେ ବର୍ଷା ପାଇଁ ପରିବାର ଲୋକେ ପଡ଼ୋଶୀ ଏମ୍‌ଡି ମତିଉଲ୍ଲାଙ୍କ ଘରେ ବିଶ୍ରମ ନେଇଥିବାରୁ ରକ୍ଷା ପାଇଯାଇଛନ୍ତି।

ନିର୍ବାଚନ ସମୟ ଆସିଲେ ନେତାମନ୍ତ୍ରୀ ଆସନ୍ତି। ଏଥର ନିର୍ବାଚିତ ହେଲେ ଘରଟିଏ କରିଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସରପଞ୍ଚ ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀ ଆସି ଭୋଟ ମାଗିଥିଲେ। ସେମାନେ ମଧ୍ୟ ବିଜୟୀ ହେଲେ। ଏବେ କିନ୍ତୁ ତାଙ୍କର ଦେଖାଦର୍ଶନ ମିଳୁନି। ସେହିପରି ଆବାସ ଯୋଜନାରେ ଘର ଖଣ୍ଡିଏ ପାଇ ଗଲେନୁର ଏକାଧିକବାର ପ୍ରଶାସନକୁ ଦରଖାସ୍ତ କରିଛନ୍ତି। ୨୦୧୮ ନଭେମ୍ବର ୫ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିଜ ଦୁଃଖ ଜଣାଇଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ହେଲେ କିଛି ଫାଇଦା ହେଲା ନାହିଁ।

ଗରିବ ଲୋକଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଅବାସ, ମୋ କୁଡିଆ, ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ ହେଉଛି। ବହୁ ଯୋଗ୍ୟ ହିତାଧିକାରୀ ଏହାର ସୁଫଳ ପାଉ ନଥିବା‌ ବେଳେ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ ଓ ସମର୍ଥକମାନେ ଅଯୋଗ୍ୟ ହୋଇ ମଧ୍ୟ ଏକାଧିକ ସରକାରୀ ଘର ହାତେଇବାରେ ସଫଳ ହେଉଛନ୍ତି। ବର୍ଷା ଛାଡ଼ିବା ପରେ ଗଲେନୁର ତାଙ୍କର ଦୁଇଛୁଆ ଏବଂ ବୃଦ୍ଧା ମା’ଙ୍କୁ ନେଇ ସେହି ବିପଦସଙ୍କୁଳ ଘରେ ପଲିଥିନ ଟାଣି ଭାଗ୍ୟକୁ ଆଦିରି ରହିଛନ୍ତି। ଘର ମରାମତି କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। ଯଦି କୌଣସି ପ୍ରକାର ଅଘଟଣ ଘଟେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଗଲେନୁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe