ଗ୍ୟାସଟାଙ୍କି ଫାଟି ଜଳିଗଲା ଘର

Advertisment

ନିଆଁ ଲିଭାଇବାକୁ ଆସି ପଡ଼ୋଶୀ ଗୁରୁତର, ବାଇକ୍‌, ଫ୍ରିଜ୍‌ ସହ ସମସ୍ତ ଆସବାବପତ୍ର ନଷ୍ଟ

ନିଆଁ ଲିଭାଇବାକୁ ଆସି ପଡ଼ୋଶୀ ଗୁରୁତର, ବାଇକ୍‌, ଫ୍ରିଜ୍‌ ସହ ସମସ୍ତ ଆସବାବପତ୍ର ନଷ୍ଟ

ଗ୍ୟାସଟାଙ୍କି ଫାଟି ଜଳିଗଲା ଘର

ବ‌ାଲେଶ୍ବର : ରେମୁଣା ତହସିଲ ଅଧୀନ ନୂଆଗାଁ ସ୍ଥିତ ହେନ୍ତସୁରା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ବିଜୟ ମଲ୍ଲିକଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି। ଏଥିସହ ନିଆଁ ଲିଭାଉଥିବ‌ା ପଡ଼ିଶାଘରର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଜଣକ ହେଲେ ରମେଶ ମଲ୍ଲିକଙ୍କ ପୁଅ ପ୍ରହ୍ଲାଦ(୪୭)। ତାଙ୍କୁ ପ୍ରଥମେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜୟ କୁମାର ମଲ୍ଲିକଙ୍କ ଘରେ ଗ୍ୟାସଚୁଲାରେ କ୍ଷୀର ବସିଥିବା ବେଳେ ପରିବାର ସଦସ୍ୟ ଏକାଠି ବସି ଟିଭି ଦେଖୁଥିଲେ। ଏହି ସମୟରେ ରୋଷେଇ ଘରେ ହୁ ହୁ ହୋଇ ନିଆଁ ଜଳୁଥିବା ଦେଖାଯାଇଥିଲା। ନିଆଁର ପ୍ରକୋପ ଏତେ ଜୋରରେ ଥିଲା ଯେ, ତାକୁ ଆୟତ୍ତ କରିନପାରି ସମସ୍ତେ ବାହାରକୁ ପଳାଇ ଆସିଥିଲେ। ଏହି ସମୟରେ ଘର ଭିତରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡରରେ ଜୋର୍‌ରେ ଫାଟିଥିଲା। ଚାରିଆଡ଼କୁ ନିଆଁ ବ୍ୟାପିଯାଇଥିବା ବେଳେ ପଡ଼ୋଶୀ ଘରର ପ୍ରହ୍ଲାଦ ମଲ୍ଲିକ ନିଆଁ ଲିଭାଉଥିଲେ। ଏହି ସମୟରେ କୌଣସି କାରଣବଶତଃ ସେ ନିଆ‌ଁରେ ପୋଡ଼ିଯାଇଥିଲେ।

publive-image

ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିବା ବେଳେ ଗୁରୁତର ପ୍ରହ୍ଲାଦଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ସକାଳ ଯାଏ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା। ଏହି ଅଗ୍ନିକାଣ୍ଡରେ ଶ୍ରୀ ମଲ୍ଲିକଙ୍କ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ସହ ଫ୍ରିଜ୍‌, ବାଇକ ଆଦି ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ଧ୍ବଂସ ହୋଇଯାଇଛି। ଖବର ପାଇଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ତହସିଲଦାର ଚାର୍ଲସ ନାୟକଙ୍କ ସହ ବିପନ୍ନ ପରିବାରକୁ ଭେଟିବା ସହ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ କହିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe