କାଳବୈଶାଖୀରେ ଘର ଭାଙ୍ଗିବା ଘଟଣା: ଖବର ପ୍ରକାଶ ପରେ ରିପୋର୍ଟ ପ୍ରସ୍ତୁତ କଲେ ରାଜସ୍ବ ନିରୀକ୍ଷକ

ବିଦ୍ୟୁତ ବିଚ୍ଛନ୍ନ ଯୋଗୁଁ ୫୦ ଘଣ୍ଟା ହନ୍ତସନ୍ତ ହେଲେ ଲୋକେ

କାଳବୈଶାଖୀରେ ଘର ଭାଙ୍ଗିବା ଘଟଣା: ଖବର ପ୍ରକାଶ ପରେ ରିପୋର୍ଟ ପ୍ରସ୍ତୁତ କଲେ ରାଜସ୍ବ ନିରୀକ୍ଷକ

ବୀରମହାରାଜପୁର: କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଧୀନ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମରେ ଘର ଭାଙ୍ଗିବା ରିପୋର୍ଟ ଶୁକ୍ରବାର କେନଝରିଆପାଲି ରାଜସ୍ବ ନିରୀକ୍ଷକ ଯୁଗଳ ମହାକୁର ପ୍ରସ୍ତୁତ କରିଛନ୍ତି। ଗ୍ରାମର ଚୈତନ୍ୟ ସାହୁଙ୍କ ଘରକୁ ଯାଇ ଶ୍ରୀ ମହାକୁର ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ସ୍ଥିତି ପରଖି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେ ଘରର ୧୫ଟି ଆଜବେଷ୍ଟସ ସିଟ୍‌ ଉଡାଇ ନେଇଥିବା ଦେଖିଛନ୍ତି। ଏଥି ସହିତ ସେ ଗାଁର ଅନ୍ୟ ଘରକୁ ଯାଇ ମଧ୍ୟ ରିପୋର୍ଟ ପ୍ରସ୍ତୁତ କରି ଏହାକୁ ତହସିଲଦାରଙ୍କ ନିକଟରେ ଦାଖଲ କରିବେ ବୋଲି କହିଛନ୍ତି।

ଏହା ପୂର୍ବରୁ ଶ୍ରୀ ମହାକୁର ଗୁରୁବାର ଦିନ ଭାଲୁଡୁଙ୍ଗୁରୀ ଗ୍ରାମକୁ କାଳବୈଶାଖୀଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବାକୁ ଯାଇଥିଲେ। କିନ୍ତୁ ସେ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଥିବା ଚୈତନ୍ୟ ସାହୁଙ୍କ ଘରକୁ ଯାଇ ନଥିଲେ। ଚୈତନ୍ୟ ସାହୁଙ୍କ ସ୍ତ୍ରୀ କୁମାରୀ ସାହୁ ଏଭଳି ଅଭିଯୋଗ ଆଣିବା ପରେ ଉଭୟ ତହସିଲଦାର ବିବୁଧ ଗଡ଼ନାୟକ ଓ ରାଜସ୍ବ ନିରୀକ୍ଷକ ଶ୍ରୀ ମହାକୁରଙ୍କୁ ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧି ପଚାରିବାରୁ, ସେମାନେ କହିଥିଲେ ଯେ, ଶୁକ୍ରବାର ପୁଣି ଥରେ ରିପୋର୍ଟ ପ୍ରସ୍ତୁତ ହେବ। ଏହି ଆଧାରରେ ଆଜି ଚୈତନ୍ୟ ସାହୁଙ୍କ ସମତେ ଅନ୍ୟମାନଙ୍କର ଘରକୁ ଯାଇ ରାଜସ୍ବ ନିରୀକ୍ଷକ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିଥିଲେ।

publive-image

ସୂଚନାଯୋଗ୍ୟ, ଗତ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ବହଲପଦର, ଦୁର୍ଜନତୈଳା ଓ ଖଣ୍ଡହଥା ପଞ୍ଚାୟତର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକ ଲୋକଙ୍କର ଘରୁ ଆଜବେଷ୍ଟସ ଉଡାଇ ନେଇଥିଲା। ବିଦ୍ୟୁତ୍‌ ଖୁଣ୍ଟ ଓ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା ଅତିକ୍ରମ କରିବା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇପାରି ନଥିଲା। ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ଅନୁଭୂତ ହେଉଥିଲେ ବି  ବିଦ୍ୟୁତ ନଥିବାରୁ ଲୋକେ ହନ୍ତସନ୍ତ ହେଉଥିଲେ। ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିଲା। ଶୁକ୍ରବାର ରାତି ସାଢ଼େ ୧୦ଟାରେ ଗାଁକୁ ବିଦ୍ୟୁତ୍‌ ଆସିଛି। ଲୋକଙ୍କୁ ଆଶ୍ବସ୍ତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe