ଘର ଝାରସୁଗୁଡ଼ା ଜିଲ୍ଲାରେ, ପାଣି ମିଳୁଛି ସୁନ୍ଦରଗଡ଼ ଜିଲ୍ଲାରୁ

ଘର ଝାରସୁଗୁଡ଼ା ଜିଲ୍ଲାରେ, ପାଣି ମିଳୁଛି ସୁନ୍ଦରଗଡ଼ ଜିଲ୍ଲାରୁ

ଝାରସୁଗୁଡ଼ା: ସୁନ୍ଦରଗଡ଼ ଇଲାକାରୁ ପାଣି ଆଣି ଚଳୁଛନ୍ତି ଝାରସୁଗୁଡ଼ା ଜିଲ୍ଲାବାସୀ। ଏକଥା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବାସ୍ତବ ଅଟେ । ଝାରସୁଗୁଡ଼ା ବକ୍ଲ  କନ୍ଦାକୁଡ଼ା ଗ୍ରାମର ଲୋକେକ ପାଣି ମୁନ୍ଦିଏ ପାଇଁ ପ୍ରତିଦିନ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲା ଉପରେ ଭରସା କରିଥାନ୍ତି। ଝାରସୁଗୁଡ଼ା ଚନ୍ଦନିମାଲ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମଟି ସୁନ୍ଦରଗଡ଼ ସୀମାକୁ ଲାଗି ରହିଛି। ଜଙ୍ଗଲ ପରିବେଷ୍ଟିତ ଏହି ଆଦିବାସୀ ଗ୍ରାମରେ ଆଜି ମଧ୍ୟ ପାଣି ଏକ ଦୁର୍ଲଭ ସାମଗ୍ରୀ ଅଟେ। ସାରା ଭାରତ ସ୍ବାଧୀନତାର ଅମୃତ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଖଣି ଖାଦାନ ଓ ଶିଳ୍ପ କାରଖାନାରେ ଭରପୁର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ଥିବା ଏହି ଗ୍ରାମବାସୀ ଖରା ବର୍ଷା ସବୁ ସମୟରେ ପାଣି ପାଇଁ ଡହକ ବିକଳ ହୋଇଥାନ୍ତି। ଗ୍ରାମରେ ରହିଛନ୍ତି ୩୦ ରୁ ୪୦ ପରିବାର।

ସଦ୍ୟ ସମାପ୍ତ ବ୍ରଜରାଜନଗର ଉପନିର୍ବାଚନରେ ଅନେକ ନେତା ଏହି ଗ୍ରାମକୁ ଯାଇ ଭୋଟ ଭିକ୍ଷା କରିଥିଲେ। ଗ୍ରାମାବାସୀ ସମସ୍ତଙ୍କୁ ପାଣି ମୁନ୍ଦାଏ ଯୋଗାଇଦେବାକୁ କହିଥିଲେ। କେବଳ ଯେ, ଉପନିର୍ବାଚନ ନୁହେଁ ପ୍ରତି ନିର୍ବାଚନରେ ଗାଁ ଲୋକ ପାଣି କଥା ଉଠାନ୍ତି। ସ୍ବାଧୀନତାକୁ ୭୫ ବର୍ଷ ବିତି ଯାଇଥିବା ବେଳେ ଝାରସୁଗୁଡ଼ା ଭଳି ଏକ ଶିଳ୍ପ ସମୃଦ୍ଧ ଜିଲ୍ଲାର ସଦର ମହକୁମା ଠାରୁ ଅତି ଅଳ୍ପ ଦୂରରେ ଥିବା କନ୍ଦାକୁଡ଼ା ଗ୍ରାମ ପ୍ରତି କାହାର ନଜର ପଡ଼ୁନାହିଁ। ଏହି ଗ୍ରାମ ଜଙ୍ଗଲ ଭିତରେ ଥିଲେ ମଧ୍ୟ ଭୂତଳ ଜଳ ସ୍ତର ବହୁ ତଳକୁ ଚାଲି ଯାଇଥିବାରୁ ନଳକୂଅ ଗୁଡ଼ିକରେ ପାଣି ବାହାରି ନଥାଏ। ଗ୍ରାମର ଜୋରଖଣ୍ଡିପାଡ଼ା, ଅଙ୍ଗନୱାଡ଼ି କେନ୍ଦ୍ର, ମହୁଲବୁରେଇ ଠାରେ ୭ ଗୋଟି ନଳକୂଅ ଥିଲେ ମଧ୍ୟ କୌଣସି ନଳକୂଅ କାମ କରିନଥାଏ। ମଝିପଡ଼ା ଠାରେ ଥିବା ଏକ କୂଅ ପରିତ୍ୟକ୍ତ ହୋଇ ପଡ଼ି ରହିଛି।  ଗାଁରେ ଥିବା ଏକମାତ୍ର  ମୁଡ଼ାରେ ଗ୍ରୀଷ୍ମ ଦିନ ପାଣି ଶୁଖି ଯାଉଥିବା ବେଳେ  ବର୍ଷା ଦିନ ଗୋଳିଆ ପାଣି ରହିଥାଏ।

ଫଳରେ ଏହା  ବ୍ୟବହାର ଉପଯୋଗୀ ହୋଇନଥାଏ। ଗ୍ରାମର ପ୍ରାୟ ସମସ୍ତେ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ କାଁ ଭାଁ ଲୋକଙ୍କ ଅଳ୍ପ ଜମିବାଡ଼ି ରହିଛି। ଗ୍ରାମରେ ଥିବା ଜଗଦୀଶ ଧରୁଆଙ୍କ ପଥରବନ୍ଧା କୂଅରେ କିଛି ପାଣି ରହୁଥିବାରୁ ଏହା ଉପରେ ଗାଁ ର ଅଧା ଲୋକ ନିର୍ଭର କରିଥାନ୍ତି। ଆଉ ଅଧା ଗ୍ରାମବାସୀ ସୁନ୍ଦରଗଡ଼ ଜିଲ୍ଲା ସୀମା ପାରି ହୋଇ ପ୍ରାୟ ୧ କିମି ଦୂର ରତାଖଣ୍ଡି ଗ୍ରାମରେ ଥିବା ଏକ ନଳକୂଅରୁ ଦୈନନ୍ଦିନ ବ୍ୟବହାର ପାଇଁ ପାଣି ବୋହି ଆଣିଥାନ୍ତି। ଗ୍ରାମର କହ୍ନେଇ ରଣା (୭୫) କହିଛନ୍ତି ଯେ, କେବଳ  ଗ୍ରାମରେ ପାଣି ସମସ୍ୟା ରହିଛି ତାହା ନୁହେଁ, ଏହି ଗ୍ରାମରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଭୂଶୁଡ଼ି ପଡ଼ିଛି।

publive-image

ଗ୍ରାମରେ କିମ୍ବା ଗ୍ରାମ ନିକଟରେ ବିଦ୍ୟାଳୟ ନଥିବାରୁ ଗ୍ରାମର ପିଲାମାନେ ସୁନ୍ଦରଗଡ଼ ଜିଲ୍ଲା ରତାଖଣ୍ଡି ଠାରେ ପ୍ରାଥମିକ ଶିକ୍ଷା ଓ ୪ କିମି ଦୂର ସୁନ୍ଦରଗଡ଼ ଜିଲ୍ଲାର କନକତୋରା ଠାରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥାନ୍ତି। ଏଠାରୁ ସୁନ୍ଦରଗଡ଼ ଜିଲ୍ଲା ଡୁଲୁଙ୍ଗା କୋଇଲା ଖଣି  ୪ କିମି ହୋଇଥିବା ବେଳେ ବ୍ରଜରାଜନଗର କୋଇଲା ଖଣି ୧୦ କିମି ରହିଛି। ଖଣି ପ୍ରଭାବିତ ଏହି ଆଦିବାସୀ ଲୋକଙ୍କ ସୁବିଧା ପାଇଁ ସରକାର କୌଣସି  ଉଦ୍ୟମ କରୁନଥିବା ଗ୍ରାମର ବିଦ୍ୟାଧର ରଣା(୫୦) ଅଭିଯୋଗ କରିଛନ୍ତି। ଗ୍ରାମରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ପାଇଁ ବହୁ ଦିନ ହେଲା ମାଟି ଖୋଳି ପାଇପ ବିଛା ସରିଛି। ଜଙ୍ଗଲ ନିକଟରେ ଥିବା ଏହି ଗ୍ରାମକୁ ସବୁବେଳେ ହାତୀ ପଶି ଆସୁଥିବା ବେଳେ ବିଦ୍ୟୁତ ସଂକଟ ମଧ୍ୟ ସବୁ ଦିନ ଲାଗି ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe