ଦ୍ବିତୀୟ ଦିନ ବି ଗୃହ ଅଚଳ, ଆଜି ମୁଲତବୀ ଆଲୋଚନା

‘ଗାନ୍ଧିଜୀଙ୍କୁ ଭୁଲିଯିବା’ ନେଇ ବିଧାନସଭାରେ କ୍ଷୋଭ; ମହାତ୍ମାଙ୍କ ୧୫୦ତମ ଜୟନ୍ତୀ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ବିରୋଧୀ ନ ଛୋଡ଼ ବନ୍ଧା। ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା କରି ସରକାର ଠୋସ୍ ପଦ‌େକ୍ଷପ ନେବାକୁ ଉଭୟ ବିଜେପି ଓ କଂଗ୍ରେସ ଅଡ଼ି ବସିଥିଲେ। ବିରୋଧୀଙ୍କ ପ୍ରକୋପ ଏମିତି ଥିଲା ଯେ ଲଗାତର ଦ୍ବିତୀୟ ଦିନ ପାଇଁ ଗୃହ ଚାଲିପାରି ନ ଥିଲା। ଆଜି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା, ଖର୍ଚ୍ଚଦାବି ଆଲୋଚନା କିଛି ହୋଇପାରି ନ ଥିଲା। ବାରମ୍ବାର ମୁଲତବୀ

ଭିତରେ ଗୃହ କାର୍ଯ୍ୟ ୧୧ ମିନିଟ୍‌ରେ ସୀମିତ ରହିଥିଲା।
ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲା ବେଳେ କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ସରକାରଙ୍କ ବିରୋଧରେ ନାରା ଦେଲେ। ନାବାଳିକା‌ ଦୁଷ୍କର୍ମ ବଢ଼ିଚାଲିଥିଲା ବେଳେ ତାହା ଉପରେ ଆଲୋଚନା ନ କରିବା ଯାଏ ଅନ୍ୟ କୌଣସି କାର୍ଯ୍ୟକୁ ନ ଯିବା ପାଇଁ ଉଭୟ ଦଳ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ସଭ୍ୟମାନେ ନାରାବାଜି କରିଥିଲେ। ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ତାହାରି ଭିତରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଡାକିଲେ। ଏଥିରେ ବିରୋଧୀ ଅଧିକ ଉତ୍‌କ୍ଷିପ୍ତ ହୋଇପଡ଼ିଲେ। ବିରୋଧୀ ଦଳ ମୁଖ୍ୟ ସ‌େଚତକ ମୋହନ ମାଝୀ ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ପୋଡ଼ିୟମ୍‌ ବାଡ଼େଇଥିଲେ। ଏମିତି ଘୋ ଘା ଭିତରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଇ ନ ଥିଲା। ବାଧ୍ୟ ହୋଇ ବାଚସ୍ପତି ୧୦ଟା ୩୨ରେ ଗୃହକୁ ସିଧା ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଲେ। ୩ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି‌େଲ। ୩ ମିନିଟ୍ ପରେ ଅର୍ଥାତ ୩ଟା ୩ରେ ବାଚସ୍ପତି ଗୃହକୁ ଅଧ ଘଣ୍ଟା ମୁଲତବୀ ରଖିଲେ। ୩ଟା ୩୩ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ବାଚସ୍ପତି ଗୃହକୁ ଚଳାଇ ରଖିବାକୁ ଉଦ୍ୟମ କଲେ। କିନ୍ତୁ ବିରୋଧୀଙ୍କ ପ୍ରତିବାଦର ସ୍ବର ଏତେ ତୀବ୍ର ଥିଲା ଯେ ଗୃହ ଚଳାଇବା ସମ୍ଭବ ନ ଥିଲା। ୩ଟା ୩୭ରେ ପୁଣି ଅଧ ଘଣ୍ଟା ମୁଲତବୀ ରଖାଗଲା। ୪ଟା ୭ରେ ବାଚସ୍ପତି ଗୃହକୁ ଆସି ସର୍ବଦଳୀୟ ବୈଠକ ଡକାଯିବା ନେଇ ଘୋଷଣା କରି ୪ଟା ୮ରେ ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଲେ। ବୈଠକ ଚାଲିଥିବାରୁ ୫ଟା ୮ରୁ ୫ଟା ୩୮, ୫ଟା ୩୮ରୁ ୬ଟା ୮, ୬ଟା ୮ରୁ ୬ଟା ୩୮ ଯାଏ ଗୃହ ମୁଲତବୀ ରହିଲା। ୬ଟା ୩୮ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା। ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ମୁଲତବୀ ଆଲୋଚନା ହେବ ବୋଲି ବାଚସ୍ପତି ସୂଚନା ଦେଇଥିଲେ। ଏହା ସହ ଆଜି ହେବାକୁ ଥିବା ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌କୁ ଗଲା ବୋଲି ବାଚସ୍ପତି ଘୋଷଣା କରିଥିଲେ। ୬ଟା ୩୯ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe