Advertisment

ନୟାଗଡ଼ : ଅସ‌ାମାଜିକ ଯୁବକଙ୍କ ଆଡ଼ାସ୍ଥଳୀ ପାଲଟିଛି ହାଉସିଂ ବୋର୍ଡ କଲୋନି, ପ୍ରସ୍ତୁତ ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ୍, ଆଶଙ୍କାରେ କଲୋନି ବାସିନ୍ଦା

Advertisment

ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ୨୦୦ରୁ ଅଧିକ କୋଠା, ହେଉନି ପୁଲିସ ପାଟ୍ରୋଲିଂ, ନାହିଁ ରାତ୍ରୀ ଜଗୁଆଳ ବ୍ୟବସ୍ଥା

ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ୨୦୦ରୁ ଅଧିକ କୋଠା, ହେଉନି ପୁଲିସ ପାଟ୍ରୋଲିଂ, ନାହିଁ ରାତ୍ରୀ ଜଗୁଆଳ ବ୍ୟବସ୍ଥା

ନୟାଗଡ଼ : ଅସ‌ାମାଜିକ ଯୁବକଙ୍କ ଆଡ଼ାସ୍ଥଳୀ ପାଲଟିଛି ହାଉସିଂ ବୋର୍ଡ କଲୋନି, ପ୍ରସ୍ତୁତ ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ୍, ଆଶଙ୍କାରେ କଲୋନି ବାସିନ୍ଦା

ନୟାଗଡ଼ : ନୟାଗଡ଼ ସହରରେ ହେଉଥିବା ବିଭିନ୍ନ ଚୋରି ଲୁଟ୍‌ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟର ପ୍ରସ୍ତୁତିପର୍ବ ଆରମ୍ଭ ହେଉଛି ହାଉସିଂ ବୋର୍ଡ କଲୋନିରୁ। ହାଉସିଂ ବୋର୍ଡ କଲୋନିରେ ପ୍ରାୟ ୩୦ଟି ପରିବାର ରହୁଥିବା ବେଳେ ୨୦୦ରୁ ଅଧିକ କୋଠା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଯାହାକୁ ଏକରକମର ଚୋର, ଲୁଟେରାଙ୍କ ଭଳି ଅସାମାଜିକ ତତ୍ତ୍ବ ପଟ୍ଟା କରିନେଇଛନ୍ତି। ଦିନରାତି ଏଠି ଆସ୍ଥାନ ଜମାଇ କେଉଁଠି କ’ଣ ଅଘଟଣ ଘଟାଇବେ ତା’ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଥିବା ବେ‌ଳେ, ଏଠାରେ ଦିନରାତି ଭୋଜିଭାତ ସହ ମଦର ଆସର ଜମୁଛି। ବ୍ରାଉନ ସୁଗାର, କୋରେକ୍ସ, ଗଞ୍ଜେଇ ଭଳି ନିଶା ସେବନ ଓ ବିକ୍ରୟ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ହାଉସିଂ ବୋର୍ଡର ଏହି ସବୁ ଅବ୍ୟବହୃତ କୋଠା। ଏଭଳି ଅସାମାଜିକ ତତ୍ତ୍ବଙ୍କ ପାଇଁ କଲୋନିବାସୀ ତ୍ରାହି ତ୍ରାହି ଡାକିଲେଣି। କିନ୍ତୁ ଟାଉନ ଥାନା ପୁଲିସର ନିଦ୍ରା ଭଙ୍ଗ ହେଉନାହିଁ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସହରର ଗହଳିଠାରୁ ନିରାପଦ ଦୂରତା‌ରେ ଘର କିଣି ବାସ କରିବେ ବୋଲି ଭାବୁଥିବା ଲୋକ ବର୍ତ୍ତମାନ ଭାଗ୍ୟକୁ ନିନ୍ଦୁଛନ୍ତି। ପ୍ରଶାସନ ଘର ବିକି ଦେଇ ଆରାମରେ ଶୋଇପଡ଼ିଥିବା ବେ‌ଳେ କଲୋନି ବାସିନ୍ଦାଙ୍କ ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। ପାଣି ପାଇପ୍‌, ପାଣି ମୋଟର୍‌, ଆସବାବପତ୍ର ଚୋରି ଭଳି ଘଟଣା ମଧ୍ୟ ଏଠାରେ ଘଟୁଛି। ଚୋରି ବେ‌‌ଳେ କଲୋନିବାସୀ ଅଭିଯୋଗ କଲେ ପୁଲିସ ତତ୍ପରତା ପ୍ରକାଶ କରୁଥିବା ବେଳେ ଅନ୍ୟବେଳେ ଚୁପ୍‌ ରହୁଛି।

publive-image

ନୟାଗଡ଼ ସହରଠାରୁ ଉପାନ୍ତ ଅଞ୍ଚଳ ତଥା ନିଛାଟିଆ ଜାଗ‌ାରେ ହାଉସିଂ ବୋର୍ଡ କଲୋନି ଅବସ୍ଥିତ। ଏଠାକାର ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ହୋମଗାର୍ଡଙ୍କୁ ରାତ୍ରୀ ଜଗୁଆଳ ଭାବେ ଦାୟିତ୍ବ ପ୍ରଦାନ କରିବାର ଆବଶ୍ୟକତା ରହିଛି। କିନ୍ତୁ ଏଠାରେ ରାତ୍ରୀ ଜଗୁଆଳ ବ୍ୟବସ୍ଥା କରାଯାଇନଥିବା କଲୋନି ବାସିନ୍ଦା ପ୍ରଦୀପ୍ତ କୁମାର ରଥ କହିଛନ୍ତି। ପୁଲିସ ପାଟ୍ରୋଲିଂ ମଧ୍ୟ ଏଠାରେ କରାଯାଉନି। କାଁଭାଁ ପାଟ୍ରୋଲିଂ ଭ୍ୟାନ୍‌ କଲୋନିକୁ ଆ‌ସୁଥିବା କଲୋନି ବାସିନ୍ଦା କହିଛନ୍ତି। ଦିନରାତି ଏଠାରେ ଅସାମାଜିକ ଯୁବକମାନେ ସ୍ପିଡ୍‌ ବାଇକ୍‌ରେ ଚକ୍‌କର କାଟିବାଠାରୁ ପରିତ୍ୟକ୍ତ ଘରଗୁଡ଼ିକରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ କଲୋନିର ମହିଳାମାନଙ୍କଠାରୁ ଆରମ୍ଭ କରି ଛୋଟ ପିଲା ଏକୁଟିଆ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ପୁଲିସର ଅବହେଳା ଭଳି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ମଧ୍ୟ ହାଉସିଂ ବୋର୍ଡ କଲୋନିବାସୀଙ୍କ ପ୍ରତି ଆଖିବୁଜି ଦେଇଥିବା ଦେଖାଯାଇଛି। ହାଉସିଂ ବୋର୍ଡ କର୍ତ୍ତୃପକ୍ଷ ଏଠାରେ ବିଦ୍ୟୁତ୍ ଖୁଣ୍ଟ ପକାଇଥିବା ବେଳେ ଲାଇଟ ଲଗାଇବା କାମ ମ୍ୟୁନିସିପାଲିଟିର। କିନ୍ତୁ ବାରମ୍ବାର କଲୋନିବାସୀ ମ୍ୟୁନିସିପାଲିଟିରେ ଅଭିଯୋଗ କଲେ ମଧ୍ୟ ଏଠାରେ ଲାଇଟ୍ ବ୍ୟବସ୍ଥା କରାଯାଉନି। ହାତଗଣତି କେତୋଟି ଜାଗାରେ ଲାଇଟ୍ ବ୍ୟବସ୍ଥା କରାଯାଇଥିବାରୁ ଏହା ଅସାମାଜିକ ତତ୍ତ୍ବଙ୍କୁ ବେଶ୍ ସୁହାଉଛି।

କେବଳ ହାଉସିଂ ବୋର୍ଡ କଲୋନି ନୁହେଁ, ନୟାଗଡ଼ର ମାତ୍ର କେତୋଟି କଲୋନିକୁ ଛାଡ଼ିଦେ‌ଲେ ଅନ୍ୟ କେଉଁଠି ବି ରାତ୍ରୀଜଗୁଆଳ ବ୍ୟବସ୍ଥା ନାହିଁ। ଯେଉଁଥି ପାଇଁ କିଏ ଘର ଛାଡ଼ି ବାହାରକୁ ଗଲେ, ସେ ଫେରିବା ବେଳକୁ ଦୁର୍ବୃତ୍ତମାନେ ତା’ ଘରେ କଳାକନା ବୁଲାଇ ଦେଉଛନ୍ତି। କିଛି ଦିନ ତଳେ ନୟାଗଡ଼ ସିଡିଏମ୍‌ଓଙ୍କଠାରୁ ଆରମ୍ଭ କରି ୧ ନମ୍ବର ୱାର୍ଡର ଏକାଧିକ ଗୃହ ବାସିନ୍ଦା ଏଭଳି ଚୋରିର ଶିକାର ହୋଇଥିଲେ। ତେଣୁ ରାତ୍ରୀ ଜଗୁଆଳ ବ୍ୟବସ୍ଥା କରାଯାଇନଥିବା ସମସ୍ତ ୱାର୍ଡ ଓ କଲୋନିଗୁଡ଼ିକରେ ତୁରନ୍ତ ଏପରି ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ହାଉସିଂ ବୋର୍ଡ କଲୋନି ନିକଟରେ ଗଢି ଉଠିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ କିଛି ଦିନ ମଧ୍ୟରେ ପାଠ ପଢ଼ା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଅଞ୍ଚଳ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପରିଣତ ହେବାକୁ ଯାଉଛି। ଏଠାକାର ସୁରକ୍ଷା ବ୍ୟବସ୍ଥା ପ୍ରତି ପୁଲିସ ପ୍ରଶାସନ ଧ୍ୟାନ ଦେବାକୁ କଲୋନି ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe