କଂଗ୍ରେସ ଦ୍ବିତୀୟ ଓ ବିଜେପି ତୃତୀୟ ସ୍ଥାନକୁ ଆସିଲା କେମିତି ?

ଏହା ଜନ‌ାଦେଶ ନୁହେଁ, ଯନ୍ତ୍ରାଦେଶ: ରାଧାରାଣୀ ପଣ୍ଡା, ବୁଥ୍‌ ରିଗିଂ ହୋଇଛି: କିଶୋର ପଟେଲ

କଂଗ୍ରେସ ଦ୍ବିତୀୟ ଓ ବିଜେପି ତୃତୀୟ ସ୍ଥାନକୁ ଆସିଲା କେମିତି ?

Tribune India

ଝାରସୁଗୁଡ଼ା: କ୍ଷମତାସୀନ ବିଜେଡି ସରକାର ଅର୍ଥବଳ, ବାହୁବଳ ସହିତ ଇଭିଏମ୍‌ରେ ଚଞ୍ଚକତା କରି ନିର୍ବାଚନରେ ବିଜୟୀ ହୋଇଥିବା ନେଇ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଜେଡି ପ୍ରଶାସନ ସହଯୋଗରେ ଇଭିଏମ୍‌କୁ ଟ୍ୟାମ୍ପରିଂ କରାଯାଇଛି। ଭୋଟ ପରେ ବିରୋଧୀ ଦଳର ବୁଥ ଏଜେଣ୍ଟମାନଙ୍କୁ ତଡ଼ି ଦେଇ ବିଜେଡି ପ୍ରତିନିଧିମାନେ ବୁଥ୍‌ ଭିତରେ ରହି ଇଭିଏମ୍‌ରେ କାରସାଦି କରି ରାତି ୧୧ ଟାରେ ମେସିନ ଆଣି ଡିପୋଜିଟ କରିଥିଲେ। ଏହା ବ୍ୟତୀତ ବିଜେଡି ଭୋଟ ପିଛା ୩ ଶହ ଟଙ୍କା ବଣ୍ଟନ କରିଥିବା ବେଳେ କଂଗ୍ରେସ ଘର ପିଛା ୫ ଶହ ଟଙ୍କା ଦେଇଥିବା ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି।

ବିଜେପି ଏଠାରେ ଯେତେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛି ସବୁଥିରେ ୪୦ ହଜାରରୁ ଅଧିକ ଭୋଟ ପାଉଥିବା ବେଳେ ଏଥର ବିଜେପିକୁ ଭୋଟ ଦେଇଥିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବା ସେ କହିଛନ୍ତି। ବହୁ ଭୋଟର ସେମାନଙ୍କ ମତଦାନ ଠିକ୍‌ ଭାବରେ ପ୍ରତିଫଳିତ ହୋଇ ନଥିବା ତାଙ୍କୁ କହିଥିବା ଶ୍ରୀମତୀ ପଣ୍ଡା ପ୍ରକାଶ କରିଛନ୍ତି। ତେବେ କଂଗ୍ରେସ ସଂଗଠନ ସୁଦୃଢ଼ ନଥିଲେ ମଧ୍ୟ ଏହି ନିର୍ବାଚନରେ ଦ୍ବିତୀୟ ସ୍ଥାନକୁ ଆସିବା କଂଗ୍ରେସକୁ ଆଶ୍ବସ୍ତ କରିଛି। ଭୋଟ ବ୍ୟବଧାନରେ ଅଧିକ ତାରତମ୍ୟ ଥିଲେ ମଧ୍ୟ ଶାସକ ଦଳର ନେତା ଓ ମନ୍ତ୍ରୀ ଯେଭଳି ଏଠାରେ ରହି ଭୋଟରଙ୍କୁ ପ୍ରଭାବିତ କଲେ ସେଥିରେ ବିରୋଧୀ ଦଳ ଅସଫଳ ହେବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଦୀର୍ଘ ଦିନ ପରେ କଂଗ୍ରେସର ସବୁ ନେତା  ଏକଜୁଟ ହେବା ଓ ପ୍ରଚାର ଚାଲିଥିବା ବେଳେ ନୂଆ ପିସିସି ସଭାପତି ଘୋଷଣା ହେବା କଂଗ୍ରେସ ପାଇଁ ଏକ ସମ୍ଭାବନା ଓ କଂଗ୍ରେସ କର୍ମୀ ମହଲରେ ଏହାକୁ ନେଇ ଉତ୍ସାହିତ ଥିବା ଜଣାପଡ଼ିଛି। ଭୋଟର ମଧ୍ୟ କଂଗ୍ରେସ ପ୍ରତି ଆକର୍ଷିତ ହୋଇଥିଲେ ତେବ‌େ ବିଜେଡି ପକ୍ଷରୁ ବୁଥ୍‌ ରିଗିଂ କରାଯାଇଛି। ଗାଁ ଗାଁରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମଦ, ମାଂସର ସୁଅ ଛୁଟାଇ ଦେଇ ବ୍ୟାପକ ଅର୍ଥ ବିତରଣ କରିଥିବା ନେଇ  ପ୍ରାର୍ଥୀ କିଶୋର ପଟେଲ ଅଭିଯୋଗ କରିଛନ୍ତି। ତଥାପି ବ୍ରଜରାଜନଗରର ଭୋଟର ଯେଭଳି କଂଗ୍ରେସ ଦଳକୁ ସହଯୋଗ କରିଛନ୍ତି, ସେଥିରେ ସେ ଆନନ୍ଦ ପ୍ରକାଶ କରି ତାଙ୍କର ସେବା ଜାରି ରହିବ ବୋଲି କହିଛନ୍ତି। ଗତ ୨୦୧୯ ନିର୍ବାଚନରେ ବିଜେପି ୬୮, ୧୫୩ ଭୋଟ ପାଇଥିବା ବେଳେ ଏଥର ତାହା ଖସି  ୨୨୬୩୦ ରେ ପହଞ୍ଚିଛି। କଂଗ୍ରେସ ୨୦୧୯ରେ ସିପିଆଇ ସହିତ ଆସନ ବୁଝାମଣା କରିଥିବା ବେଳେ ସିପିଆଇ ଏଠାରେ ୯, ୩୫୦ ପାଇଥିବା ବେଳେ ଏଥର ୩, ୧୦୫ ଭୋଟ ପାଇଛି।

କି‌ଶୋର ପଟେଲ ୨୦୧୪ ନର୍ବାଚନରେ ୩୮, ୧୭୫ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଏଥର ତା’ଠାରୁ କମ୍‌ ଭୋଟ ପାଇ ଦ୍ବିତୀୟ ସ୍ଥାନକୁ ଆସିଛନ୍ତି। ତେବେ ଏହି ନିର୍ବାଚନରେ ବିଜେପି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅମାନତ ହରାଇବା ବିଜେପି ପାଇଁ ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି। ବିଜେପିରେ ଗୋଷ୍ଠୀ କନ୍ଦଳ ଓ ଶେଷ ସମୟରେ ପ୍ରଚାର ଧିମେଇ ଯାଇଥିବା ସହିତ ଷ୍ଟାର ପ୍ରଚାରକ ତାଲିକାରେ ଥିବା କେନ୍ଦ୍ରୀୟ ନେତାମାନେ ପ୍ରଚାରରେ ନଆସିବା ଅନ୍ୟ କାରଣ ହୋଇପାରେ। ଏହା ବ୍ୟତୀତ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ସଂପର୍କ ଏଠାରେ ବିଜେପିକୁ ଶକ୍ତ ଧକ୍କା ଦେଇଥିବା କହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe