ସୌନ୍ଦର୍ଯ୍ୟକରଣ ପରେ ଏମିତି ଦେଖାଯିବ ଶ୍ରୀକ୍ଷେତ୍ର : ଦେଖନ୍ତୁ ପରିବର୍ତ୍ତନର ପରିକଳ୍ପନାରେ ପୁରୀ

Advertisment
ସୌନ୍ଦର୍ଯ୍ୟକରଣ ପରେ ଏମିତି ଦେଖାଯିବ ଶ୍ରୀକ୍ଷେତ୍ର : ଦେଖନ୍ତୁ ପରିବର୍ତ୍ତନର ପରିକଳ୍ପନାରେ ପୁରୀ

ପୁରୀ: ଭକ୍ତିମୟ ପରିବେଶରେ ଭଗବାନଙ୍କୁ ପାଇବେ ଭକ୍ତ। ସବୁଜିମାରେ ଭରପୂର ହେବ ଶ୍ରୀମନ୍ଦିର ଚାରିପାଖ। ଶାନ୍ତ ପରିବେଶ, ଶୀତଳ ପବନ ଆଉ ସବୁଜ ଗଛରୁ ଛାଇ ଫାଙ୍କରୁ ଭକ୍ତ ଦେଖିବେ ବଡ଼ ଦେଉଳର ନେତ। ଡ଼ହଡ଼ହ ଖରାରେ ନୁହେଁ ବରଂ ଗଛ ଛାଇ ତଳେ ବସି କାଳିଆ ଠାକୁରଙ୍କୁ ଦର୍ଶନ କରିବେ ଭକ୍ତ। ପୁରୀର ଐତିହ୍ୟ କରିଡର ବିକାଶ ପାଇଁ ଶ୍ରୀମନ୍ଦିର ଚାରିପାଖର ନକ୍ସା ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି। ଆଉ ନକ୍ସା ବଦଳିବା ପରେ କେମିତି ଦେଖାଯିବ ପୁରୀର ପରିବର୍ତ୍ତିତ ଚେହେରା! ନିମ୍ନରେ ଦେଖନ୍ତୁ ତାର କିଛି ପ୍ରତୀକାତ୍ମକ ଚିତ୍ର।

ତେବେ ଶ୍ରୀମନ୍ଦିରର ଚାରୋଟି ଦ୍ୱାରର ନକ୍ସା ବଦଳିଯିବ। ପ୍ରତି ଦ୍ୱାର ସାମ୍ନାରେ ରଙ୍ଗବେରଙ୍ଗର ଫୁଲ ଗଛ ସହ ଭକ୍ତଙ୍କ ବସିବା ପାଇଁ ପଥରରେ ବେଞ୍ଚ ପଡ଼ିବ। ଭକ୍ତମାନେ ଜଗନ୍ନାଥ ଦର୍ଶନ ସାରି ଗଛ ମୂଳେ ଶାନ୍ତିରେ ବସି ଶ୍ରୀମନ୍ଦିରର ପରିବେଶକୁ ଉପଭୋଗ କରି ପାରିବେ।

ଭଗବାନଙ୍କ ଓ ଭକ୍ତଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ପାଇଁ ମଧ୍ୟ ଶ୍ରୀମନ୍ଦିର ବାହାରେ ଧ୍ୟାନସ୍ଥଳୀ ରହିବ। ଏହା ସହ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାକୁ ପାଠାଗାର ରହିବ।

ଦୂରରୁ ବଡ଼ ଦେଉଳ ଓ ନୀଳଚକ୍ର ଦର୍ଶନ ପାଇଁ ଏକ ଟାୱାର ରହିବ। ଔଷଧୀୟ ଗଛ ସହ ଏକ ଛୋଟ ଜଙ୍ଗଲ ସୃଷ୍ଟି କରାଯିବ। ଭୋଗ ବିକ୍ରି, ଖାଦ୍ୟ ବିକ୍ରି ପାଇଁ ବି ବ୍ୟବସ୍ଥା ହେବ। ତେବେ ମନ୍ଦିର ଚାରି ଦ୍ୱାର ଭିତରୁ ଗୋଟିଏ ଦ୍ୱାର ପାଖରେ ପଦ୍ମ ପୋଖରୀ ତିଆରି ହେବ।

ସବୁଠାରୁ ବଡ଼ କଥା ହେଉଛି ବଡ଼ଦାଣ୍ଡରେ ତିନି ରଥ ରହିବା ପାଇଁ ସ୍ବତନ୍ତ୍ର ସ୍ଥାନ କରାଯିବ। ଭକ୍ତ କିଭଳି ରଥଯାତ୍ରାରେ ତିନି ରଥକୁ ସୁରୁଖୁରରେ ଟାଣି ନେବେ ତାହା ପାଇଁ ବ୍ୟବସ୍ଥା କରାଯିବ। ତେବେ ଦେଉଳ ଭିତରକୁ ଯିବାକୁ ପ୍ରସ୍ତୁତ ହୋଇଥିବା ବ୍ୟାରିକେଟ କାମ ଇତି ମଧ୍ୟରେ ଶେଷ ହୋଇଥିବା ବେଳେ ଆଗକୁ ପରିକଳ୍ପନା କରାଯାଇଥିବା ସମସ୍ତ କାମ ଶେଷ ହେବ। ଆଉ ବଡ଼ଦାଣ୍ଡର ଭିନ୍ନ ଏକ ଚିତ୍ର ଭକ୍ତଙ୍କୁ ଶ୍ରୀକ୍ଷେତ୍ର ଯିବାକୁ ଅଧିକ ଆକର୍ଷିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe