ଡାହାଣହାତି ଗାଙ୍ଗପୁର ଆଇଆଇସିଙ୍କ ବାମ ଜଙ୍ଘରେ ଗୁଳି ଲାଗିଲା କେମିତି?

Advertisment
ଡାହାଣହାତି ଗାଙ୍ଗପୁର ଆଇଆଇସିଙ୍କ ବାମ ଜଙ୍ଘରେ ଗୁଳି ଲାଗିଲା କେମିତି?

ବ୍ରହ୍ମପୁର/ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଦେବ୍‌ କୁମାର ଗମାଙ୍ଗଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ପରଦା ଉଠିପାରୁନି। ଦୁଇ ଦିନ ପୂର୍ବରୁ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲେ ହେଁ, ଏଥିରେ ଉଲ୍ଲେଖ ତଥ୍ୟ ତର୍ଜମା କରାଯାଉନି। ଅନ୍ୟପକ୍ଷରେ ଗତ ୨୫ ତାରିଖରେ ଥାନା ପରିସରରେ ଘଟିଥିବା ଏତେବଡ଼ ସମ୍ବେଦନଶୀଳ ଘଟଣାରେ ଚାରିଦିନ ବିତିଲାପରେ ତଦନ୍ତରେ କ’ଣ ଅଗ୍ରଗତି ଘଟିଛି, ସେ ନେଇ କୌଣସି ଅଧିକାରୀ ବୟାନ ରଖୁନାହାନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ମାନବାଧିକାର ସୁରକ୍ଷା ସେଲ୍ ଏହି ଘଟଣାର ତଦନ୍ତ ଭାର ଗ୍ରହଣ ଘଟିଛି। କିନ୍ତୁ ତଦନ୍ତ କେତେ ଅଗ୍ରଗତି ହୋଇଛି ଓ କେଉଁମାନଙ୍କୁ ପଚରାଉଚରା କରାଯାଇଛି, ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନି।

କ୍ବାର୍ଟର୍ସରୁ ଜିନିଷପତ୍ର ନେଇ ଗାଁକୁ ଫେରିଲେ ପତ୍ନୀ, ମା’
କାହା ଚାପରେ ମୁହଁ ଖୋଲିଲେନି ପତ୍ନୀ?

ଥାନାରେ କାର୍ଯ୍ୟରତ କର୍ମଚାରୀମାନେ ବି ଘଟଣା ବିଷୟରେ କିଛି କହିବାକୁ ନାରାଜ୍ ହେଉଛନ୍ତି। ଘଟଣାର କେଉଁ ଦିଗ ପୁଲିସ ପ୍ରଶାସନକୁ ଅଡ଼ୁଆରେ ପକାଇଛି ବୋଲି ପ୍ରଶ୍ନ ଉଠିଛି। ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶିତ ଗୋଟିଏ ଦିଗକୁ ତର୍ଜମା କରାଗଲେ, ମୃତ ଦେବ୍‌ଙ୍କ ବାମପଟ ଜଂଘରେ ଗୁଳି ଲାଗି ପଛଭାଗର ଡାହାଣ ପଟ ପିଚା ଭେିଦି ବାହାରି ଯାଇଛି। ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ଏ କଥା କହିଛନ୍ତି। କିନ୍ତୁ ଦେବ୍ ଜଣେ ଡାହାଣହାତି ଥିଲେ। ଯଦି ସେ ନିଜେ ତାଙ୍କ ସର୍ଭିସ୍‌ ରିଭଲ୍‌ଭର୍‌ରୁ ଗୁଳି ଚଳାଇଡ଼ା’ନ୍ତି, ତା’ହେଲେ ସେ ଡାହାଣ ହାତରେ ରିଭଲ୍‌ଭର୍‌ ଧରିଥିବା କଥା। ରହସ୍ୟକର ହେଲା, ତାଙ୍କ ବାମ ଜଂଘରେ ଗୁଳି ଫୁଟିଲା କେମିତି ଓ ରିଭଲ୍‌ଭର୍‌ର ବ୍ୟାରେଲ୍‌ ମୁହଁ ଶରୀରର ଡାହାଣ ଦିଗକୁ ରହିଲା କିପରି? ଦେବ୍‌ ରିଭଲଭର୍ କେଉଁଠି ରଖିଥିଲେ, କେଉଁ ହାତରେ ଧରିଥିଲେ ଓ କେମିତି ଏହାକୁ ଅନଲକ୍ କଲେ ଏହା ନିଶ୍ଚିତ ଭାବେ ତର୍ଜମାର ପ୍ରସଙ୍ଗ।

ଅନ୍ୟପକ୍ଷରେ ଭଞ୍ଜନଗର ଏସ୍‌ଡିପିଓ, ଭଞ୍ଜନଗରଥାନା ଅଧିକାରୀ ଓ ଗାଙ୍ଗପୁର ଥାନାର ଜଣେ ଏସ୍‌ଆଇ, ଏଭଳି ତିନି ଜଣ ଅଧିକାରୀଙ୍କ ଉପସ୍ଥିତିରେ ଗୁଳି ଫୁଟିଥିଲା ବୋଲି କୁହାଯାଉଛି। ତେବେ ଜଣେ ଡାହାଣହାତି ବାମ ଜଙ୍ଘରେ କେମିତି ଗୁଳି ଚଳାଇବ? ଯଦି ତାଙ୍କଠାରୁ ରିଭଲ୍‌ଭର୍‌ ଛଡ଼ାଇ ରଖିବାକୁ କେହି ଉଦ୍ୟମ କରିଥିବେ, ତା’ହେଲେ ଟଣାଓଟରା ଭିତରେ ଟ୍ରିଗ୍‌ ଉପରେ ଅଙ୍ଗୁଳି ଦବିଯାଇ ଗୁଳି ବାମ ଜଙ୍ଘରେ ଲାଗିଥିବା ସମ୍ଭାବନା ବେଶି। ଏହି ଦ୍ବନ୍ଦ୍ବ କୌଣସି ପୁଲିସ ଅଧିକାରୀ ସ୍ପଷ୍ଟ କୁନାହାନ୍ତି।

ଏଭଳି ପରିସ୍ଥିତିରେ ଆଜି ସନ୍ଧ୍ୟା ୫ଟାରେ ଦେବ୍‌ଙ୍କ ପତ୍ନୀ କିରଣ ମହାନ୍ତି ଓ ମା’ ଗାଙ୍ଗପୁର ଆସିଥିଲେ। କ୍ବାର୍ଟର୍‌ରେ ଥିବା ଦେବ୍‌ଙ୍କ ସମସ୍ତ ଆନୁଷଙ୍ଗିକ ସାମଗ୍ରୀକୁ ଗାଡ଼ିରେ ଲୋଡ଼୍ କରିନେଇଯାଇଛନ୍ତି। ଏହାସହ ଦେବ୍‌ଙ୍କ ଏକ ନେକ୍ସା କାର୍ ଓ ବୁଲେଟ୍‌କୁ ବି ଏଠାରୁ ନିଆଯାଇଛି। ଗାଙ୍ଗପୁର ଥାନା ଏସ୍‌ଆଇ ଶୁଭ୍ରଜିତ୍ ସାମନ୍ତରାୟଙ୍କ ସହ ଦେବ୍‌ଙ୍କ ପତ୍ନୀ ଓ ମା’ କ୍ବାର୍ଟରକୁ ଯାଇଥିଲେ। ପାଖାପାଖି ଅଢ଼େଇ ଘଣ୍ଟା କାଳ ବିତାଇବା ସହ ସମସ୍ତ ଜିନିଷକୁ ଗାଡ଼ିରେ ଲୋଡ଼୍ କରି ନେଇ ଯାଇଥିଲେ। ରାତି ୮ଟା ବେଳେ ସେମାନେ ଗାଁ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଏଡୁରୁୱାଲ୍‌ସା ଅଭିମୁଖେ ବାହାରିଥିଲେ। ପରେ କ୍ବାର୍ଟର୍ସରେ ତାଲା ପକାଇ ଦିଆଯାଇଥିଲା। ଏହା ପୂର୍ବରୁ କିରଣ ଗଞ୍ଜାମ ଏସ୍‌.ପି. ବ୍ର‌ିଜେଶ କୁମାର ରାୟଙ୍କୁ ସାକ୍ଷାତ କରିଥିଲେ।

ହେଲେ ଜିନିଷପତ୍ର ନେଇ ଫେରୁଥିବା ବେଳେ ଦେବ୍‌ଙ୍କ ପତ୍ନୀ କିରଣ ଆଶ୍ଚର୍ଯ୍ୟଜନକ ଭାବେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ନଥିଲେ। ତାଙ୍କ ପ୍ରତିକ୍ରିୟା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଅପେକ୍ଷା କରିଥିବା ବେଳେ ସେ କିଛି ନକହି ଗାଡ଼ିରେ ବସି ପଡ଼ିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ ହେଲା, ସେ ଘଟଣା ରାତିରୁ ଆସି ପହଞ୍ଚିଥିଲେ ଏବଂ ତିନି ଦିନ ଏଠାରେ ରହିଥିଲେ ମଧ୍ୟ ପୂର୍ବରୁ ସ୍ବାମୀଙ୍କୁ ନ୍ୟାୟ ପାଇଁ ଗଣମାଧ୍ୟମ ସାମ୍ନାରେ ବାରମ୍ବାର ଦାବି ଦୋହରାଇ ଆସୁଥିବା କିରଣଙ୍କ ହଠାତ୍ ଏଭଳି ନିରବତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଗଣମାଧ୍ୟମ ଆଗରେ ମୁହଁ ବନ୍ଦ ରଖିବା ଲାଗି କୌଣସି ସ୍ତରରୁ ତାଙ୍କ ଉପରେ ଚାପ ଥିଲା କି, ବୋଲି ଆଲୋଚନା ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe