କେମିତି କଟିବ ୨୦୨୨: ପ୍ରଥମାର୍ଦ୍ଧ ଶୁଭମୟ ନୁହେଁ

Advertisment

ଶତ୍ରୁ ବଢ଼ିବେ, ଶିକ୍ଷାରେ ସମସ୍ୟା ଉପୁଜିବ, ଏପ୍ରିଲ୍‌ ୨୪ ଯାଏ ରାହୁ ଓ କେତୁ ମଧ୍ୟରେ ସବୁ ଗ୍ରହ ଅବସ୍ଥାନ କରିବେ

ଶତ୍ରୁ ବଢ଼ିବେ, ଶିକ୍ଷାରେ ସମସ୍ୟା ଉପୁଜିବ, ଏପ୍ରିଲ୍‌ ୨୪ ଯାଏ ରାହୁ ଓ କେତୁ ମଧ୍ୟରେ ସବୁ ଗ୍ରହ ଅବସ୍ଥାନ କରିବେ

କେମିତି କଟିବ ୨୦୨୨: ପ୍ରଥମାର୍ଦ୍ଧ ଶୁଭମୟ ନୁହେଁ

ପୁରୀ : ନୂଆ ସଂକଳ୍ପ ସହ ନୂଆବର୍ଷକୁ ସ୍ବାଗତ ନେଇ ସମସ୍ତେ ଉତ୍ସାହିତ।। ମାତ୍ର ଚଳିତ ବର୍ଷ ବୃହସ୍ପତି ଓ ଶନି ଚଳନ ଯୋଗୁ ବର୍ଷର ପ୍ରଥମାର୍ଦ୍ଧକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି ଜ୍ୟୋତିର୍ବିଦ ଓ ପାଞ୍ଜିକାରମାନେ। ଭାରତର ରାଶି ମକର ହୋଇଥିବା ବେଳେ ଦ୍ବିତୀୟ ଅଙ୍କରେ ଶନି ରହିବେ। ସେହିଭଳି ଓଡ଼ିଶାର ରାଶି କର୍କଟ ହୋଇଥିବା ବେଳେ ଅଷ୍ଟମରେ ଶନି ରହିବେ। ତେଣୁ ଭାରତ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରିହବ ବୋଲି କିଛି ପାଞ୍ଜିକାର କହିଛନ୍ତ। ମାତ୍ର ରାହୁ ଓ କେତୁ ମଧ୍ୟରେ ସମସ୍ତ ଗ୍ରହ ଅବସ୍ଥାନ କରୁଥିବାରୁ ରାଜ୍ୟ, ଦେଶ ଓ ବିଶ୍ବପାଇଁ ଏପ୍ରିଲ୍‌ ପର୍ଯ୍ୟନ୍ତ ସମୟ ଶୁଭଙ୍କର ନୁହେଁ ବୋଲି ଜ୍ୟେତିର୍ବିଦମାନେ କହିଛନ୍ତି।

ପଞ୍ଜିକା ସମୀକ୍ଷକ ହରିଶଙ୍କର ମିଶ୍ର କହିଛନ୍ତି, ଏପ୍ରିଲ୍‌ ୧୩ରୁ ବୃହସ୍ପତି ଓ ମେ ମାସରେ ଶନି ଚଳନ ହେବ। ତେଣୁ ଏହା ଭାରତ ପାଇଁ ଖରାପ ଫଳ ଆଣିବ। ଶତ୍ରୁବୃଦ୍ଧି ହେବ। ସାଂପ୍ରଦାୟିକ ଗଣ୍ଡଗୋଳ ସହ ‌ଅନ୍ୟ ଦେଶ ସହିତ ବିବାଦ ଘନେଇବାର ସମ୍ଭାବନା ରହିଛି। ତେବେ ବହୁ ଶତ୍ରୁଙ୍କୁ କାବୁ କରିବାରେ ଦେଶ ସଫଳ ହେବ। ରାଜନୀତି ଓ କୁଟନୀତିରେ କିନ୍ତୁ ଭଲ ଫଳ ମିଳିବ। ଓଡ଼ିଶ‌ାରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି‌ ହୋଇପାରେ। ସର୍ବୋପରି ରାଜନୈତିକ ନେତୃବୃନ୍ଦଙ୍କ ଅପେକ୍ଷା ପ୍ରଶାସନିକ ଦବଦବା ବେଶି ରହିବ। ସରକାର ବହୁ ଯୋଜନା ଘୋଷଣା କରିବେ, କିନ୍ତୁ କାର୍ଯ୍ୟକାରୀ ହେବାରେ ସମସ୍ୟା ଦେଖା ଦେବ। କିଛି ନିର୍ଦ୍ଦିଷ୍ଟ ସମସ୍ୟା ଦୂର ହେବ, କିନ୍ତୁ ଅନେକ ଏହାକୁ ନେଇ ଅସନ୍ତୁଷ୍ଟ ହେବେ ବୋଲି ସେ କହିଛନ୍ତି।

ଶ୍ରୀକ୍ଷେତ୍ର ଖଡ଼ିରତ୍ନ ପଞ୍ଜିକାର ଗୁରୁଚରଣ ରଥଙ୍କ କହିବା ମୁତାବକ, ଚଳିତ ବର୍ଷ ଡିସେମ୍ବର ୧୫ରୁ ୨୦୨୨ ଏପ୍ରିଲ୍‌ ୨୪ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟର ସମୟ ସହ ଗ୍ରହମାନଙ୍କ ଅବସ୍ଥିତିକୁ ଲକ୍ଷ୍ୟ କଲେ ଏହା ସମଗ୍ର ବିଶ୍ବ, ଭାରତ ଓ ଓଡ଼ିଶା ପାଇଁ ଶୁଭମୟ ନୁହେଁ ବୋଲି ସେ କହିଛନ୍ତି। ଏହି କାଳଖଣ୍ଡ ମଧ୍ୟର ରାହୁ ଓ କେତୁ ମଧ୍ୟରେ ସମସ୍ତ ଗ୍ରହ ଅବସ୍ଥାନ କରୁଛନ୍ତି। ଏଭଳି କ୍ଷେତ୍ରରେ ସାଧାରଣ ମଣିଷର କୋଷ୍ଠୀକୁ ନେଇ ବିଚାର କଲେ ଏହା କାଳସର୍ପ ଯୋଗ ବୋଲି କୁହାଯାଏ। ତେଣୁ ଏହି ସମୟ ମଧ୍ୟରେ ଯେତେ ଶୀର୍ଷକୁ ଲମ୍ଫ ଦେବାକୁ ଚେଷ୍ଟା କଲେ ମଧ୍ୟ ନିମ୍ନଗାମୀ ହେବାକୁ ପଡ଼ିବ। ବିଜ୍ଞାନ କ୍ଷେତ୍ରରେ ଯେତେ ଆଗେଇଥିଲେ ମଧ୍ୟ ଏଥିରେ ଅବନତି ଦେଖାଦେବ। ସଂକ୍ରାମକ ରୋଗ ପାଇଁ ପ୍ରସ୍ତୁତ ଔଷଧ ବି କାମ ଦେଇନପାରେ। ଏପ୍ରିଲ୍‌ ପର୍ଯ୍ୟନ୍ତ ଏଭଳି ପ୍ରଭାବ ରହିପାରେ। ରାସାୟନିକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ସଂପ୍ରତି ଓମିକ୍ରନ କାୟା ବିସ୍ତାର କରି ଚାଲିଥିବା ବ‌େଳେ ଫଳାଫଳ ସମଗ୍ର ବିଶ୍ବକୁ ନେଇ ଏଭଳି ଚିନ୍ତା ପ୍ରକଟ କରିଛନ୍ତି ଜ୍ୟୋତିର୍ବିଦଗଣ। ତେବେ ଆଗାମୀଦିନରେ ବିଭିନ୍ନ ରାଶି କ୍ଷେତ୍ରରେ ଶୁଭାଶୁଭ ଫଳ ଭିନ୍ନ ଭିନ୍ନ ରହିଥିବା ପଞ୍ଜିକାରମାନେ କହିଛନ୍ତି।

୨୦୨୧ ତୁଳନାରେ ୨୦୨୨ ଭଲ ରହିବ
ଭାରତ ପାଇଁ ୨୦୨୧ ତୁଳନାରେ ୨୦୨୨ ଭଲ ରହିବ। ହେଲେ ସରକାର ଏବର୍ଷ ଏକାଧିକ ପ୍ରତିରୋଧର ସମ୍ମୁଖୀନ ହେବେ। ତଥାପି ସରକାର ତାହାକୁ ଚତୁରତାର ସହିତ ପରିଚାଳନା କରିବେ। ଦେଶଦ୍ରୋହୀ ଶକ୍ତିମାନଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରିବେ। ବାହ୍ୟ ଶତ୍ରୁମାନଙ୍କ ଦ୍ବାରା ଆଭ୍ୟନ୍ତରୀଣ ଦେଶଦ୍ରୋହୀ କାର୍ଯ୍ୟକଳାପ ବଢ଼ିପାରେ। ପାକିସ୍ତାନ ଓ ଚୀନ ଆଡୁ ଭାରତ ବିରୋଧୀ କାର୍ଯ୍ୟ ଜାରି ରହିବ। କିନ୍ତୁ ତାଲିବାନଠାରୁ ଭାରତ ପ୍ରତି ବିଶେଷ ବିପଦ ନାହିଁ। ଉତ୍ତର ପୂର୍ବ ରାଜ୍ୟ ଓ ଜାମ୍ମୁକାଶ୍ମୀର ଭଳି ସ୍ଥାନମାନଙ୍କରେ ପାକିସ୍ତାର ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ରହିବ। ଏସବୁ ସତ୍ତ୍ବେ ବିଶ୍ବରେ ଭାରତର ପ୍ରତିଷ୍ଠା ବଢ଼ିବ। ଅର୍ଥନୈତିକ ଓ ସମୂହ ବିକାଶରେ ଅଭିବୃଦ୍ଧି ଘଟିବ। ଅର୍ଥନୀତି ଓ ଜିଡିପି ଗତବର୍ଷ ତୁଳନାରେ ଭଲ ରହିବ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ କେତେଗୁଡିଏ ଦରକାରୀ ସ˚ସ୍କାର ଆସିବା ସମ୍ଭାବନା ଅଛି। ଯେଉଁ ଅଞ୍ଚଳ ଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ହୋଇ ନାହିଁ, ସେଠାରେ ବଡ଼ବଡ଼ ଶିକ୍ଷାନୁଷ୍ଠାନକୁ ସରକାର ଆରମ୍ଭ କରିପାରନ୍ତି। କୋଭିଡ୍‌ ମହାମାରୀ ନିୟନ୍ତ୍ରଣ ଭିତରେ ରହିବା ସମ୍ଭାବନା ରହିଛି ଏବ˚ ଏପ୍ରିଲ ପରେ ଏହା ସାମାନ୍ୟ ଆଡ଼କୁ ଯାଇପାରେ। ଏପ୍ରିଲ ମାସରେ ଶନି ଓ ମଙ୍ଗଳ ଏକାଠି ହୋଇ ମକର ରାଶିରେ ରହିବେ। ସେ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ହିମାଳୟ ରେଞ୍ଜରେ ଭୂମିକମ୍ପ ଭଳି ସ୍ଥିତି ହୋଇପାରେ। ବଡ଼ଧରଣର ଟ୍ରେନ୍‌ କିମ୍ବା ସଡ଼କ ଦୁର୍ଘଟଣା ଏହି ସମୟରେ ରହିବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗରେ ଅନିୟମିତତା ରହିବ। ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢିବ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହୋଇପାରେ। ବର୍ଷାର ତାରତମ୍ୟ ଠିକ୍‌ ରହିବ ନାହିଁ। କେତେବେଳେ ଅଳ୍ପ ସମୟରେ ବହୁତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେବା ସ୍ଥିତି ଥିବାବେଳେ ଅନ୍ୟ ସମୟରେ ଅନାବୃଷ୍ଟି ଦେଖାଦେବ। କିନ୍ତୁ ମୋଟାମୋଟି ଭାବେ ମୌସୁମୀ ବର୍ଷା ହାରାହାରି ଠିକ୍‌ ରହିବ। ଅକ୍ଟୋବର ୨୫ରେ ସୂର୍ଯ୍ୟପରାଗ ଓ ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ରହୁଛି। ଏହି ଦୁଇ ଘଟଣା ଏକପକ୍ଷରେ ପଡୁଥିବାରୁ ଏ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯେପରି ବନ୍ୟା, ବାତ୍ୟା ପୂର୍ବ ଭାରତରେ ଦେଖା ଦେଇପାରେ।
ମିଲନ ବାନାର୍ଜୀ, ସମ୍ପାଦକ, ଭାଗ୍ୟଲିପି

କରୋନାର ପ୍ରକୃତ ଔଷଧ ବାହାରିବ
୨୦୨୧ ବର୍ଷ ଅପେକ୍ଷା ନୂତନ ବର୍ଷ ସମସ୍ତଙ୍କ ପାଇଁ ଭଲ ସୁଯୋଗ ଆଣିବ। କୃଷି ଭଲ ହେବ, ବିଦେଶ ପୁଞ୍ଜି ବିନିଯୋଗ ବଢିବ। କରୋନା ସ୍ଥିତି ମେ ମାସ ବେଳକୁ ସ˚ପୂର୍ଣ୍ଣ କମିଯିବ। ଏହି ବର୍ଷ କରୋନା ପାଇଁ ପ୍ରକୃତ ଔଷଧ ବାହାରିଯିବ। ଏହା ଆଉ ମହାମାରୀ ନହୋଇ ବର˚ ସାଧାରଣ ରୋଗ ଭଳି ବିଶ୍ବରୁ ଉଭେଇ ଯିବ। ବର୍ଷା ଭଲ ରହିବ। ଗ୍ରୀଷ୍ମ ଓ ଶୀତ ପ୍ରବଳ ହେବ। ରାଜନୈତିକ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳଙ୍କ ଦୃଢତା ବଢିବ। କେନ୍ଦ୍ରରେ ମନ୍ତ୍ରିମଣ୍ତଳରେ ଅଦଳବଦଳ ହେବ। ଯୁବ ଓ ନାରୀ ନେତ୍ରୀଙ୍କ ମନ୍ତ୍ରିମଣ୍ତଳରେ ପ୍ରବେଶ ରହିବ। ସ୍ବାସ୍ଥ୍ୟ ବିଭାଗ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ଏହି ବିଭାଗରେ ମନ୍ତ୍ରୀ କିମ୍ବା ସଚିବ କ୍ଷେତ୍ରରେ ବଡ଼ଧରଣର ପରିବର୍ତ୍ତନ ହେବା ସମ୍ଭାବନା ଥିବାବେଳେ କେତେକ ନୂଆ ଯୋଜନା ମଧ୍ୟ ଆସିପାରେ। ଛାତ୍ର, ଚିକିତ୍ସା, ଆରକ୍ଷୀ ଓ ସେନା କ୍ଷେତ୍ରରେ ଜଡ଼ିତ ରହୁଥିବା ବ୍ୟକ୍ତିମାନେ ଅସନ୍ତୁଷ୍ଟ ରହିବେ। ଏସବୁ ବିଭାଗରେ ବିଦ୍ରୋହ, ଆନ୍ଦୋଳନ ଭଳି ଅଶାନ୍ତି ହୋଇପାରେ। ଏପ୍ରିଲରୁ ଜୁନ୍‌ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ହେବ। ଯାହାଦ୍ବାରା କ୍ଷୟକ୍ଷତି ଅଧିକ ହେବ। ଉତ୍ତର ଓ ଉତ୍ତର ପଶ୍ଚିମ ରାଜ୍ୟମାନଙ୍କରେ ଶାସନ ପରିବର୍ତ୍ତନ ହେବା ସମ୍ଭାବନା ଅଧିକ। ଦରଦାମ ବୃଦ୍ଧି ହେବ। ଯେଉଁଥିପାଇଁ ଜନସାଧାରଣ ଅସନ୍ତୁଷ୍ଟ ହେବେ। କିନ୍ତୁ ବର୍ଷର ଶେଷ ବେଳକୁ ସରକାର ଦରଦାମ୍‌କୁ ନିୟନ୍ତ୍ରଣ କରି ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବେ। କିଛି ବୟୋଜ୍ୟେଷ୍ଠ ମନ୍ତ୍ରୀ କିମ୍ବା ଶାସକଙ୍କ ସ୍ବାସ୍ଥ୍ୟ ହାନି ହେବ। ଶିକ୍ଷା କ୍ଷେତ୍ରରେ ଛାତ୍ରମାନଙ୍କ ଅସନ୍ତାଷ ଜାରି ରହିବ। ଅର୍ଥନୈତିକ ସ୍ଥିତି ବହୁତ ସୁଧୁରି ଯିବ କିନ୍ତୁ ବେକାରୀ ସମସ୍ୟା ବଢିବ। ସେପ୍ଟେମ୍ବର ପରେ ସରକାରଙ୍କୁ କୌଣସି ବଡ଼ ଧରଣର ପ୍ରତିବାଦର ସାମ୍ନା କରିବାକୁ ପଡ଼ିପାରେ।
ଇ˚. ଦେବଦର୍ଶୀ ଖଡ଼ିରତ୍ନ
ଗଣନାକାର, ଅସଲି ଖଡ଼ିରତ୍ନ ପଞ୍ଜିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe