ରାଜଗାଙ୍ଗପୁର ହାଜତ ମୃତ୍ୟୁ: ଏଚ୍‌ଆର୍‌ପିସି ତଦନ୍ତ ଆରମ୍ଭ

Advertisment
ରାଜଗାଙ୍ଗପୁର ହାଜତ ମୃତ୍ୟୁ: ଏଚ୍‌ଆର୍‌ପିସି ତଦନ୍ତ ଆରମ୍ଭ

ରାଉରକେଲା/ରାଜଗାଙ୍ଗପୁର: ରାଜଗାଙ୍ଗପୁର ହାଜତ ମୃତ୍ୟୁ ମାମଲାରେ ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ତଦନ୍ତ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଏଚ୍‌ଆର୍‌ପିସି ଡିଏଏସ୍‌ପି ସବିତାରାଣୀ ପଣ୍ଡା ଏହି ସ୍ପର୍ଶକାତର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେ ମୃତ ଜୟ ଲାକ୍ରାର ବାପା ବୁଧୁରାମ ଲାକ୍ରା, ମା’, ଭିଣୋଇ ମନୋଜ କିଶାନ, ଭଉଣୀଙ୍କୁ ପଚରାଉଚରା କରିଛନ୍ତି। ଏହାସହ ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମାମଲା ବିଷୟରେ ପଚାରି ବୁଝିଛନ୍ତି। ପ୍ରକାଶଥାଉକି, ଅର୍ଥ ହେରଫେର ଅଭିଯୋଗରେ ରାଇକାକଚ୍ଛାର ଗାଁର ଜୟ ଲାକ୍ରାଙ୍କୁ ରାଜଗାଙ୍ଗପୁର ପୁଲିସ ଗତ ୧ ତାରିଖ ମଧ୍ୟରାତ୍ରୀରେ ତାଙ୍କ ଭିଣୋଇଙ୍କ ଘରୁ ଉଠାଇଆଣିଥିଲା। ସେତେବେଳେ ପୁଲିସ କର୍ମଚାରୀ ଏବଂ ଅର୍ଥ ହେରଫେର ମାମଲାର ଅଭିଯୋଗକାରୀ ଦାଦା-ପୁତୁରା ଦୀପକ ଓ ରବୀନ୍ଦ୍ର ଲାକ୍ରାଙ୍କ ସହ ମିଶି କୁଆଡ଼େ ଜୟଙ୍କୁ ନିଧୁର୍ମ ମାଡ଼ ମାରିଥିଲେ। ୨ ତାରିଖରେ ଜୟଙ୍କ ନାଁରେ ଏତଲା ରୁଜୁ ହେଲାପରେ ସୁଦ୍ଧା ପୁଲିସ ତାଙ୍କୁ କୋର୍ଟଚାଲାଣ ନ କରି ଥାନାରେ ଅଟକ ରଖିଥିଲା। ଗତ ୫ ତାରିଖ ରାତି ପ୍ରାୟ ୯ଟାରେ ପାଇଖାନାରେ ଜୟଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe