ଅଶ୍ଳୀଳ ଭିଡିଓ ଯୋଗୁଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣା : ଏଚ୍ଆର୍‌ପିସିର ତଦନ୍ତ ଆରମ୍ଭ, ୭ ଜଣଙ୍କ ବୟାନ ରେକର୍ଡ

Advertisment
ଅଶ୍ଳୀଳ ଭିଡିଓ ଯୋଗୁଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣା : ଏଚ୍ଆର୍‌ପିସିର ତଦନ୍ତ ଆରମ୍ଭ, ୭ ଜଣଙ୍କ ବୟାନ ରେକର୍ଡ

ଜଗତସିଂହପୁର/ଗାରୋଇ : ଅଶ୍ଳୀଳ ଫଟୋ ଭାଇରାଲ ହେବା ଯୋଗୁଁ ନାଉଗାଁ ଥାନା ତେନ୍ତୋଇ ଗାଁର ଲକ୍ଷ୍ମୀପ୍ରିୟା ଦାସଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ରାଜ୍ୟ ପୁଲିସ ବିଭାଗର ମାନବ ଅଧିକାର ସୁରକ୍ଷା ସେଲ୍ (ଏଚ୍ଆରପିସି)। ଏଚଆରପିସିର ଡିଏସ୍‌ପି କୁବେର ବରିହା ଓ ଇନ୍ସପେକ୍ଟର ଗୋପିକାରାଣୀ ଜେନା ଆଜି ମୃତ ଲକ୍ଷ୍ମୀପ୍ରିୟାଙ୍କ ପରିବାର, ସମ୍ପର୍କୀୟ ଓ ପଡ଼ୋଶୀମାନଙ୍କ ବୟାନ ରେକର୍ଡ କରିଛନ୍ତି। ଏହି ତଦନ୍ତ ତିନି ଦିନ ଧରି ଚାଲିବ। ଏହାପରେ ଏଚ୍ଆରପିସିର ଏହି ଦୁଇ ଅଧିକାରୀ ଉକ୍ତ ମାମଲାରେ ପୁଲିସର ଭୂମିକା ସମ୍ପର୍କରେ ଡିଜିଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାପରେ ନାଉଗାଁ ଥାନା ଇନ୍ସପେକ୍ଟରଙ୍କ ସମ୍ପର୍କରେ ପୁଲିସ ଡିଜି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

ଆଜି ଦିନ ୧୧ଟାରେ ଏଚ୍ଆର୍‌ପିସି ଡିଏସ୍‌ପି କୁବେର ବରିହା ଓ ଇନ୍ସପେକ୍ଟର ଗୋପିକାରାଣୀ ଜେନା ମୃତ ଲକ୍ଷ୍ମୀପ୍ରିୟାଙ୍କ ଘରେ ପହ‌ଞ୍ଚି ଲକ୍ଷ୍ମୀପ୍ରିୟାଙ୍କ ବାପା ହଟକିଶୋର, ମା’ ସାକୁଲିଙ୍କ ସହ ଆଲୋଚନା କରିଥିଲେ। ଏହି ମାମଲାରେ ଗିରଫ ହୋଇଥିବା ଦୀପକଙ୍କ ସହ କେମିତି ପରିଚୟ ହେଲା, କେବେଠାରୁ ଲକ୍ଷ୍ମୀପ୍ରିୟାଙ୍କ ଫଟୋକୁ ସେ ଏମିତି ଭାଇରାଲ କରୁଥିଲା, ଏ ନେଇ ପୁଲିସ ନିକଟରେ ଅଭିଯୋଗ କରାଯାଇଛି କି ନାହିଁ, ଏହି ଘଟଣାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁକିଛି ପଚାରି ବୁଝିଥିଲେ। ଏହି ଅଧିକାରୀମାନେ ଲକ୍ଷ୍ମୀପ୍ରିୟାଙ୍କ ଭାଇ, ଭାଉଜ ଓ ପଡ଼ୋଶୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସନ୍ଧ୍ୟା ୫ଟା ୩୦ରେ ଏହି ଅଧିକାରୀମାନେ ଲକ୍ଷ୍ମୀପ୍ରିୟାଙ୍କ ଘରୁ ଫେରିଥିଲେ। ଆଜି ଏହି ଅଧିକାରୀମାନେ ୭ ଜଣଙ୍କଠାରୁ ତିନି ପୃଷ୍ଠାର ବୟାନ ରେକର୍ଡ କରିଛନ୍ତି। ପରେ ଗାରୋଇ ଫାଣ୍ତିରେ ଜଗତସିଂହପୁର ଏସ୍‌ପି ପ୍ରକାଶ ରଙ୍ଗରାଜ ଓ ଡିଏସ୍‌ପି ପ୍ରିୟରଂଜନ ଶତପଥୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହ‌ଞ୍ଚି ଲକ୍ଷ୍ମୀପ୍ରିୟାଙ୍କ ପରିବାର ସଦସ୍ୟଙ୍କୁ ସେଠାକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ।

ଗତ ୨୮ ତାରିଖରେ ପୀଡ଼ିତାଙ୍କ ପରିବାରକୁ ଜାତୀୟ ଅନୁସୂଚିତ ଜାତି କମିସନ ସଦସ୍ୟ ଡକ୍ଟର ଯୋଗେନ୍ଦ୍ର ପାଶୱାନ ସାକ୍ଷାତ କରିଥିଲେ। ସେଠାରୁ ଫେରିବା ପରେ ଶ୍ରୀ ପାଶୱାନ ପୁଲିସ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ଏ ସଂପର୍କରେ ଆଲୋଚନା କରିଥିଲେ। ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକାକୁ ନେଇ ଡକ୍ଟର ପାଶୱାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଚ୍‌ଆରପିସି ଦ୍ବାରା ତଦନ୍ତ କରାଯାଇ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବୈଠକରେ ପ୍ରତିଶ୍ରୁତି ଦେଇ‌ଥିଲେ।

ସୂଚନାଯୋଗ୍ୟ ଯେ ଏହି ଘଟଣା ସଂପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଛାଡ଼ି ଯାଇଥିବା ଦଫାକୁ ପୁଣି ମାମଲାରେ ଯୋଡ଼ିଥିଲା। ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ପରିବାରକୁ ଧମକ ଦେଇଥିବା ଆର.ଆଇଙ୍କୁ ମଧ୍ୟ ସମ୍ବାଦ ରିପୋର୍ଟ ପ୍ରକାଶ ପରେ ଜିଲ୍ଲାପାଳ ନିଲମ୍ବିତ କରିଥିଲେ। ଏ ପ୍ରସଙ୍ଗ ବିଧାନସଭାରେ ଉଠିଥିବା ବେଳେ ସରକାରଙ୍କ ପକ୍ଷରୁ ପୁଲିସ ରିପୋର୍ଟ ଆଧାରରେ ତଥ୍ୟ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe