ଯୋଡା : ପୁଣି ବିପୁଳ ପରିମାଣର ଚୋରା ମାଙ୍ଗାନିଜ ଠାବ

Advertisment

ବନ୍ଦ ଖଣିରୁ ବେଧଡ଼କ ଉତ୍ତୋଳନ

ବନ୍ଦ ଖଣିରୁ ବେଧଡ଼କ ଉତ୍ତୋଳନ

ଯୋଡା : ପୁଣି ବିପୁଳ ପରିମାଣର ଚୋରା ମାଙ୍ଗାନିଜ ଠାବ

ଯୋଡା : ଯୋଡା ଖଣି ମଣ୍ତଳ ତଥା ବଡବିଲ ରେଞ୍ଜର ବିଲେଇପଦା ଓ ଗୁଆଲି ଫରେଷ୍ଟ ସୀମାନ୍ତରେ ଅବସ୍ଥିତ ଟିସ୍କୋର ବନେଇକଳା ମାଙ୍ଗାନିଜ ଖଣିର ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଆଜି ପୁଣି ବନ ବିଭାଗର ମୋବାଇଲ ସ୍କ୍ବାଡ୍ ବିପୁଳ ପରିମାଣର ଚୋରା ମାଙ୍ଗାନିଜ ଠାବ କରିଛି। ଗତକାଲି ବନ ବିଭାଗର ମୋବାଇଲ ସ୍କ୍ବାଡ୍ ପକ୍ଷରୁ ଏହି ସଂରକ୍ଷିତ ଜଙ୍ଗଲରେ ଚୋରା ମାଙ୍ଗାନିଜର ଠାବ କରାଯାଇଥିଲା। ଆଜି ବନ ବିଭାଗ ଓ ଖଣି ବିଭାଗ ପକ୍ଷରୁ ଏଠାରୁ ୬.୩୫ ଟନ ଚୋରା ମାଙ୍ଗାନିଜ ଜବତ କରାଯାଇଛି। ୨୫୦ ଟି ବସ୍ତାରେ ଏହି ଚୋରା ମାଙ୍ଗାନିଜକୁ ଚୋରା ଚାଲଣ କରିବା ପାଇଁ ଜଙ୍ଗଲ ମଧ୍ୟରେ ମାଫିଆମାନେ ଠୁଳ କରି ରଖିଥିଲେ। ବନ୍ଦ ଖଣିର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ସ୍କ୍ବାଡ୍ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ଆଜି ଦିନତମାମ ଚୋରା ମାଙ୍ଗାନିଜ ସନ୍ଧାନରେ ପଇଁତରା ମାରୁଛନ୍ତି। ଜଙ୍ଗଲର ବିଭିନ୍ନ ସ୍ଥାନରେ ମାଫିଆ ଚୋରା ମାଙ୍ଗାନିଜ ଉତ୍ତୋଳନ କରି ଚୋରା ଚାଲାଣ କରିବା ପାଇଁ ଠୁଳ କରି ରଖିଥିବା ବନ ବିଭାଗ ଦେଖିବାକୁ ପାଇଛି।

ଜଙ୍ଗଲର ବିସ୍ତୀର୍ଣ୍ଣ ଅଂଚଳରେ ଚୋରା କାରବାର ଚାଲିଥିବା ନେଇ ଘଟଣା ପଦାକୁ ଆସିଛି। କେନ୍ଦୁଝର ଡିଏଫଓ ସ୍ବୟମ ମଲ୍ଳିକଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଏସିଏଫ ଅଜୟ କୁମାର ସାହୁ, ମୋବାଇଲ ସ୍କ୍ବାଡର ଡେପୁଟି ରେଞ୍ଜର ପୀତାମ୍ବର ନାୟକ, ଫରେଷ୍ଟର କ୍ଷୀରୋଦ ଦାସ, ବସନ୍ତ ମୁର୍ମୁ, ଯୋଡା ଫରେଷ୍ଟର ଅନିରୁଦ୍ଧ ପଣ୍ତା, ବଡବିଲ ରେଞ୍ଜର ସୁଜିତ କୁମାର ସାହୁ, ଯୋଡା ଫରେଷ୍ଟର ଅନିରୁଦ୍ଧ ପଣ୍ତା, ବିଲେଇପଦା ଫରେଷ୍ଟର ପ୍ରଦୀପ ବେହେରା, ଗୁଆଲି ଫରେଷ୍ଟର ସନ୍ତୋଷ ପୋହୀ ଓ ମୋବାଇଲ ସ୍କ୍ବାଡ୍ ଉପସ୍ଥିତ ରହି ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଚୋରା ମାଙ୍ଗାନିଜ କାରବାର ଜାଗା ଗୁଡିକ ଚିହ୍ନଟ କରିଛନ୍ତି। ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ପ୍ରାୟ ୧୦ ଟନ ଚୋରା ମାଙ୍ଗାନିଜ ଏହି ମୋବାଇଲ ସ୍କ୍ବାଡ୍ ଠାବ କରିଛି। ଖଣି ବିଭାଗକୁ ହସ୍ତାନ୍ତର କରାଯିବା ପରେ ଆସନ୍ତାକାଲି ଏହାକୁ ଜବତ କରାଯିବ। ବନ୍ଦ ଖଣିର ଏହି ସଂରକ୍ଷିତ ଜଙ୍ଗଲରେ ଚୋରା କାରବାର ବୃଦ୍ଧି ପାଉଥିବାରୁ ଚଢ଼ାଉଜାରି ରହିବ ବୋଲି ଏସିଏଫ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe