ସମ୍ବଲପୁର : ବିପୁଳ କରେକ୍ସ ଓ ନିଶା ବଟିକା ଜବତ

Advertisment
ସମ୍ବଲପୁର : ବିପୁଳ କରେକ୍ସ ଓ ନିଶା ବଟିକା ଜବତ

ସମ୍ବଲପୁର : ବୁଧବାର ଅବକାରୀ ବିଭାଗ ଓ ଡ୍ରଗ୍‌ କଣ୍ଟ୍ରୋଲ୍ ବିଭାଗ ମିିଳିତ ଚଢ଼ଉ କରି ବୁର୍ଲା ଗୁରୁଦ୍ବାରା କଲୋନିର କୋରେକ୍ସ ମାଫିଆ ରାଜକିଶୋର ଧିମାନ ଘରୁ ବିପୁଳ ପରିମାଣର ଅବୈଧ ନିଶା ଦ୍ରବ୍ୟ ଜବତ କରିଛନ୍ତି। ସେମାନେ ତା’ ଘରୁ ୨୯୬ ବୋତଲ କୋଡେଇନ୍ ଫସ୍‌ପେଟ କଫ୍ ସିରପ୍ ଏବଂ ୧୨୦୦ ଆଲ୍‌ପ୍ରାଜୋଲମ୍‌ ଟାବଲେଟ୍‌ ଜବତ କରିଛନ୍ତି। ଏଥର ଧିମାନ ବିରୋଧରେ ଏନ୍‌ଡିପିଏସ୍‌ ଆଇନ୍‌ରେ ମାମଲା ରୁଜୁ କରି ତାକୁ ଗିରଫ୍ କରା ଯାଇଥିବା ସୂଚନା ମିଳିଛି। ଗୁରୁବାର ତାକୁ କୋର୍ଟ ଚାଲାଣ କରାଯିବ। ଏହି ଚଢ଼ଉରେ ଅବକାରୀ ଅଧୀକ୍ଷକ ହରିଶ୍ଚନ୍ଦ୍ର ସେଠୀ, ଉପଅଧୀକ୍ଷକ ପ୍ରଶାନ୍ତ କହଁର, ଇନ୍‌ସପେକ୍ଟର ପବିତ୍ର ମାଝି, ଅନ୍ନପୂର୍ଣ୍ଣା ରଥ, ସବ୍‌ଇନସ୍‌ପେକ୍ଟର ଜୟଦେବ ପ୍ରଧାନ, ସୁଶାନ୍ତ ପ୍ରଧାନ, ପୁରୁଷୋତ୍ତମ କାଲୋ, ଲକ୍ଷ୍ମଣ ନାଥ ଏବଂ ଡ୍ରଗ୍‌ ଇନ୍‌ସପେକ୍ଟର ସମୀର ମଲ୍ଲିକ ସାମିଲ ହୋଇଥିଲେ।

ଏହା ପୂର୍ବରୁ ଗତ ଜୁଲାଇ ମାସ ୧୩ ତାରିଖ ଦିନ ଅର୍ଥାତ୍ ଠିକ୍ ୬ ମାସ ପୂର୍ବରୁ ଜିଲ୍ଲା ପ୍ରଶାସନ ଦ୍ବାରା ଗଠିତ ଏକ ଟିମ୍‌ ଧିମାନ ଘରୁ ୨୩୮ ବୋତଲ କଫ୍ ସିରପ୍‌ (କୋରେକ୍ସ) ଓ ୧୧୫୦ଟି ନିଶା ବଟିକା (ନିଟ୍ରାଜିପାମ୍‌ ଟାବ୍‌ଲେଟ୍‌) ଜବତ କରିଥିଲା। ସେଥର ସେ ଠାକୁର ଘର ପିଣ୍ଡି ତଳେ ପ୍ଲାଷ୍ଟର୍‌ କରି ଏହି ନିଶା ସାମଗ୍ରୀ ସବୁ ଲୁଚାଇ ଥିଲା। ତାହା ଭାଙ୍ଗି ତା’ ଭିତରୁ ଉକ୍ତ ସାମଗ୍ରୀ ଜବତ କରା ଯାଇଥିଲା। କିନ୍ତୁ ସେତିକିବେଳେ ଅଭିଯୁକ୍ତକୁ ଗିରଫ କରାଯାଇ ନଥିଲା। ଫଳରେ ଅଭିଯୁକ୍ତ ରାଜକିଶୋର ପୁଣି ଘରେ ରଖି ବେଧଡ଼କ ନିଶା ବେପାର ଚଳାଇଥିଲା। ବୁର୍ଲାରେ ପୁଲିସ୍‌ର ନାକ ତଳେ କୋରେକ୍ସ ଓ ‌ଟାବଲଟେ୍‌ କାରବାର ବେଧଡ଼କ ଚାଲିଛି। ପୁଲିସ୍‌ ପରୋକ୍ଷରେ ଏହି କାରବାରକୁ ପ୍ରୋତ୍ସାହିତ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ଯୁବଗୋଷ୍ଠି ନିଶାଗ୍ରସ୍ତ ରହିବା କାରଣରୁ ବୁର୍ଲାରେ ଅପରାଧ ବଢ଼ିବଢ଼ି ଚାଲିଛି। ଏପରିକି ନିକଟ ଅତୀତରେ ନିଶା ପ୍ରଭାବରୁ ବୁର୍ଲାରେ ହତ୍ୟା ଓ ଡବଲ୍ ମର୍ଡର ଭଳି ଘଟଣା ବି ଘଟିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe