୪ ଦିନ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ, ଏନ୍‌କାଉଣ୍ଟର୍‌ ସ୍ଥଳରେ କମ୍ବିଂ ଜାରି, ବିପୁଳ ସାମଗ୍ରୀ ଜବତ

୪ ଦିନ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ, ଏନ୍‌କାଉଣ୍ଟର୍‌ ସ୍ଥଳରେ କମ୍ବିଂ ଜାରି, ବିପୁଳ ସାମଗ୍ରୀ ଜବତ

ଫୁଲବାଣୀ : ଚାରି ଦିନ ପୁଲିସ ସହ ଲୁଚକାଳି, ଦ୍ବନ୍ଦ୍ବଯୁଦ୍ଧ, ରହି ରହି ଗୁଳି ବିନିମୟ ଚଳାଇଥିଲେ। ଶେଷରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଲାମ୍ପାରା ଗ୍ରାମ ନିକଟ ଜଙ୍ଗଲରୁ ପୁଲିସ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି। ମାଓ ପଲଟଣ ଚାଲିଯିବା ପରେ ପୁଲିସ ଟିମ୍‌ କୋଲାମ୍ପାରା ଅଞ୍ଚଳରୁ ସେମାନଙ୍କ ଏକ ଅସ୍ଥାୟୀ କ୍ୟାମ୍ପ୍‌ ଠାବ କରିଛି। ପୁଲିସ ଟିମ୍‌ ଘଟଣା ସ୍ଥଳରୁ ଦୁଇଟି ସୋଲାର୍‌ ପ୍ଲେଟ୍‌, ବିଜୁଳି ତାର, ଔଷଧ, ମାଓ ପତ୍ରିକା, ଛତା, ଜୋତା, ବାସନକୁସନ, ଘଣ୍ଟା, ମୋବାଇଲ୍‌ ବ୍ୟାଟେରି, ଚାର୍ଜର, ଟର୍ଚ୍ଚ ଲାଇଟ୍‌ ଜବତ କରିଛି।

ଗୋଛାପଡ଼ା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଖବର ପାଇ ଗତ ୪ ତାରିଖରେ କନ୍ଧମାଳ ପୁଲିସର ଆଣ୍ଟି ନକ୍ସଲ ଅପରେସନ୍‌ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଏସ୍‌ଓଜି ଏବଂ ଡିଭିଏଫ୍‌ ପୁଲିସ ଫୋର୍ସକୁ ନେଇ ଗଠିତ ଆଣ୍ଟି ନକ୍ସଲ ଅପରେସନ୍‌ ଟିମ୍‌ କୋଲାମ୍ପାରାରେ ଚଢ଼ଉ କରିବା ପରେ ସେଠାରେ ଥିବା ମାଓବାଦୀଙ୍କ ସହ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ପୁଲିସ ମାଓବାଦୀଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କହିଥିଲା। ମାତ୍ର ମାଓବାଦୀମାନେ ପୁଲିସ ଉପରକୁ ଗୁଳି ବର୍ଷଣ କରିଥିଲେ। ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।

ପୁଲିସ-ମାଓବାଦୀ ଗୁଳି ମିନିମୟରେ କୌଣସି ପୁଲିସ ମୃତାହତ ହୋଇନାହାନ୍ତି। ତେବେ ମାଓବାଦୀମାନେ ଆହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ଜଣାପଡ଼ିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜାରି ରହିଛି ବୋଲି କନ୍ଧମାଳ ଏସ୍‌ପି ଭିନୀତ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି। ଗୋଛାପଡ଼ା ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ଦୀର୍ଘଦିନ ଧରି ମାଓବାଦୀ ଡେରା ପକାଇ ଥିବା ନେଇ ପୁଲିସ ପାଖରେ ସୂଚନା ଥିଲା। ଆଣ୍ଟି ନକ୍ସଲ୍‌ ଟିମ୍‌ ସେଠାରେ କମ୍ବିଂ ଅପରେସନ୍‌ ଜାରି ରଖିଛି ବୋଲି କନ୍ଧମାଳ ଏସ୍‌.ପି ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି। ଗୁଳିବିନିମୟ ବେଳେ ଘଟଣାସ୍ଥଳରେ ୨୦ରୁ ୨୫ ଜଣ ଜଣ ମାଓବାଦୀ ଥିଲେ ଏବଂ ସେମାନେ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ଡିଭିଜନ୍‌ର ବୋଲି ଏସ୍‌.ପି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଅଞ୍ଚଳରେ ଦୀର୍ଘଦିନ ଧରି ମାଓ ଗତିବିଧି ଜାରି ରହିଛି। ପୁଲିସ ଏହା ଉପରେ କଡ଼ା ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe