ଫୁଲବାଣୀ/ବାଲିଗୁଡ଼ା: ମାଓ ଦମନ ଅଭିଯାନରେ କନ୍ଧମାଳ ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି। ଏକ ବିଶେଷ ସୂତ୍ରରୁ ଖବର ପାଇ କନ୍ଧମାଳ ପୁଲିସ, ଡିଭିଏଫ୍ ଏବଂ ବିଏସ୍ଏଫ୍ ଯବାନ କମ୍ବିଂ ଅପରେସନ୍ ଚଳାଇ ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା କୁମ୍ବେମୋଲୁ ଜଙ୍ଗଲରୁ ଏକ ବିଶାଳ ମାଓ ଶିବିର ଠାବ କରିଛନ୍ତି। ସେଠାରୁ ୨ଟି ବନ୍ଧୁକ, ଗୁଳି ସମେତ ୨ଟି ଜିଲେଟିନ୍ ଷ୍ଟିକ୍, ବିପୁଳ ବିସ୍ଫୋରକ ଓ ଅନ୍ୟାନ୍ୟ ମାଓସାମଗ୍ରୀ ଜବତ ହୋଇଛି। କମ୍ବିଂ ଅପରେସନ୍ ଜାରି ରହିଛି ବୋଲି କନ୍ଧମାଳ ଏସ୍ପି ହରିଶ ବିସି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଜୁନ୍ ୩୦ ତାରିଖ ଦିନ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ା ଥାନା ପୁସାଙ୍ଗିଆ ସଂରକ୍ଷିତ ଜଙ୍ଗଲ ଅଧୀନସ୍ଥ ବୁଡ଼ାଗୁଡ଼ାରେ ପୁଲିସ ଏନ୍କାଉଣ୍ଟରରେ ୨ ମାଓବାଦୀ ନିହତ ହୋଇଥିଲେ। ଏହା ସହିତ ପୁଲିସ ଏଠାରୁ ଏକ ମାଓ ଶିବିର ଠାବ କରିଥିଲା। ଉକ୍ତ ଶିବିରରୁ ୩୦୩ ରାଇଫଲ୍, ଗୋଟିଏ ୩୦୩ ମାଗାଜିନ, ୪ଟା ୩୦୩ ଆମୋନିସନ, ଗୋଟିଏ ରିଭଲଭର, ୨ଟା ରିଭଲଭର ଆମୋନିସନ, ଗୋଟିଏ ରିଭଲଭର ପାଉଚ୍, ଗୋଟିଏ ରିଭଲଭର ଖୋଳ, ଛୁରୀ, ୱାକିଟକି, ବ୍ୟାଟେରୀ, ୱାକିଟକି ଖୋଳପା, ପର୍ସ, ଛତା, ହାଭରସାକ ବ୍ୟାଗ ଜବତ ହୋଇଥିଲା। ଲଗାତାର ଭାବେ ପୁଲିସର ଏହି ସଫଳତା ମାଓବାଦୀ ଶିବିରକୁ ବଡ଼ ଝଟ୍କା ଲାଗିଛି।
Follow Us