ଜଳ ନିଷ୍କାସନ ନାଁରେ ପାଣି ଭଳି ଟଙ୍କା ଖର୍ଚ୍ଚ

Advertisment
ଜଳ ନିଷ୍କାସନ ନାଁରେ ପାଣି ଭଳି ଟଙ୍କା ଖର୍ଚ୍ଚ

ବାଲେଶ୍ବର: ଆଉ କେଇଟା ଦିନ ପରେ ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇସାରିଲାଣି। ସେପଟେ ବର୍ଷାଜଳ ଓ ବନ୍ୟା ମୁକାବିଲା ନିମନ୍ତେ ପ୍ରାଶାସନିକସ୍ତରରେ ତତ୍ପରତା ମଧ୍ୟ ଦେଖିବାକୁ ମିଳିଲାଣି। ଏଥିପାଇଁ ଅଧିକାରୀଙ୍କଠାରୁ ଆରମ୍ଭ କରି ‌ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଥିଲେ ହେଁ ବାସ୍ତବରେ କାମ ସଠିକ୍‌ ହେଉନଥିବା ଅଭିଯୋଗ ହୋଇଛି।

ସୂଚନା‌ଯୋଗ୍ୟ, ବର୍ଷା ଦିନ ଆସିଲେ ପ୍ରତିବର୍ଷ ବାଲେଶ୍ବର ସହରର ପଢ଼ୁଆଁପଦା, ଚିଡ଼ିଆପୋଲ, ସିନେମାଛକ, ମଠସାହି, ବୈରାମନଗର, ସହଦେବଖୁଣ୍ଟା, ଫାଣ୍ଡିଛକ, ଶୋଭାରାମପୁର ଆଦି ଅଞ୍ଚଳରେ ରାସ୍ତା ବୁଡ଼ିଯାଏ। ଡ୍ରେନେଜ୍‌ ବିଭାଗ ଓ ପୌରପାଳିକା ପକ୍ଷରୁ ଯଦିଓ ମହାନାଳ ସଫା କରାଯାଉଛି କିନ୍ତୁ ଉପଯୁକ୍ତ ପରିଚାଳନା ଅଭାବ‌ରୁ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ପାଣି ତଳମୁଣ୍ଡକୁ ଗଡ଼ୁନଥିବା‌ ଦେଖାଯାଇଛି। ଡ୍ରେନ୍‌ କାମ କରୁଥିବା ଠିକା ସଂସ୍ଥା ଠିକ୍‌ ଭାବେ କାମ କରୁଛି ନା ନାହିଁ ତାହା ବିଭାଗୀୟ ଅଧିକାରୀମାନେ ଯାଞ୍ଚ୍‌ ନକରି ବିଲ୍‌ ପାସ୍‌ କରିଦେଉଛନ୍ତି। ଫଳରେ ଅସରାଏ ବର୍ଷା ହେଲେ ସେହି ପାଣି ଉପରକୁ ଉଠି ସ୍ଥାନୀୟ ଅଞ୍ଚଳରେ ସଙ୍ଗିନ ପରିସ୍ଥିତି ସୃଷ୍ଟି କରୁଛି। ରାସ୍ତାଘାଟ ସମେତ ଲୋକଙ୍କ ଘରେ ପାଣି ପଶୁଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ବିଧାୟକ, ପୌରାଧ୍ୟକ୍ଷା, କାଉନସିଲରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ୱାର୍ଡ ବୁଲି ଡ୍ରେନ୍‌ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରୁଥିଲେ ହେଁ ପ୍ରକୃତ ସମସ୍ୟାର ସମାଧାନ ହେଉନାହିଁ। ସଫେଇ ନାଁରେ ଠିକାସଂସ୍ଥା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଡ୍ରେନ୍‌ଗୁଡ଼ିକ ନା ବ୍ୟବସ୍ଥିତ ହୋଇପାରୁଛି ନା ଅଳିଆମୁକ୍ତ ହେଉଛି। ସହରବାସୀଙ୍କ ପାଇଁ ବର୍ଷା ଦିନରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ପୌରପାଳିକା ଓ ଲୋକ ପ୍ରତିନିଧି ଏଥିପ୍ରତି ଅଧିକ ଯତ୍ନବାନ ହେବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe