ବ୍ରାହ୍ମଣୀ ନଦୀବନ୍ଧରେ ବିରାଟ ଗର୍ତ୍ତ, ଜଳ‌େସଚନ ବିଭାଗର ଦୃଷ୍ଟି ପଡ଼ିବ କେବେ?

ବ୍ରାହ୍ମଣୀ ନଦୀବନ୍ଧରେ ବିରାଟ ଗର୍ତ୍ତ, ଜଳ‌େସଚନ ବିଭାଗର ଦୃଷ୍ଟି ପଡ଼ିବ କେବେ?

ରସୁଲପୁର : ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ରସୁଲପୁର ବ୍ଲକ୍ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ଏହି ଅଞ୍ଚଳରେ ଥିବା ବ୍ରାହ୍ମଣୀ ନଦୀ ବନ୍ଧରେ ୭ଟି ଘାଇ ହୋଇ ପ୍ରାୟ ୧୫ଟି ପଞ୍ଚାୟତରେ ବନ୍ୟାଜଳ ପଶିଥିଲା। ନଦୀବନ୍ଧ ମରାମତି ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ପ୍ରତିବର୍ଷ ନଦୀବନ୍ଧ ମରାମତିର ଆବଶ୍ୟକ ଥିଲେ ମଧ୍ୟ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଫଳରେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଧନଜୀବନ କ୍ଷୟକ୍ଷତି ହେଉଛି।

ଜାରକା ଜଳସେଚନ ବିଭାଗ ଅଧିନସ୍ଥ ବରୀ ସବ୍‌ଡିଭିଜନ ଦାୟିତ୍ବରେ ଥିବା ବ୍ରାହ୍ମଣୀର ବାମପାଖ ଏହି ବନ୍ଧ (୧୮-ବି) ଏବେ ବି ଅନେକ ସ୍ଥାନରେ ଦୁର୍ବଳ ଅବସ୍ଥାରେ ରହିଛି। ରେନ୍ କଟ୍ ଦ୍ବାରା ସୃଷ୍ଟି ହୋଇଥିବା ବଡ଼ ବଡ଼ ଗାତ ଗୁଡ଼ିକ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜେନ୍ଦ୍ରପୁର ପଞ୍ଚାୟତର ରଣେଶ୍ବରୀ ଘାଟ ପାଖରୁ ବାରବାଟୀ ଆଡ଼କୁ ଯିବାବେଳେ ନଦୀବନ୍ଧରେ ଅନେକ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ନଜରରେ ପଡ଼ିବ। ଗର୍ତ୍ତ ଗୁଡ଼ିକ ଏତେ ବିପଦଜନକ ଭାବରେ ରହିଛି ଯେ ଏହି ରାସ୍ତାରେ ଯାତାୟାତ କରୁଥିବା ବାଇକ୍ ଏବଂ ଅନ୍ୟ ଗାଡ଼ି ଗୁଡ଼ିକ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି। ଅନ୍ୟପକ୍ଷରେ ଏହି ବନ୍ଧ ରାସ୍ତାରେ ପ୍ରତିଦିନ ଶହଶହ ବାଲି ବୋଝେଇ ଟ୍ରାକ୍ଟର ଯାତାୟାତ କରୁଛି। ଦିନକୁ ଦିନ ନଦୀବନ୍ଧ ଅଧିକ ଦୁର୍ବଳ ହେଉଛି।

ଏ ସମ୍ପର୍କରେ ଜଳସେଚନ ବିଭାଗ ବରୀ ସବଡିଭିଜନର କନିଷ୍ଠ ଯନ୍ତ୍ରୀ ପ୍ରମୋଦ ତରାଇଙ୍କୁ ପଚାରିବାରୁ, ବନ୍ଧର ଯେଉଁ ସ୍ଥାନରେ ରେନ୍‌ କଟ୍ ହୋଇଛି ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ହେଲେ ବର୍ତ୍ତମାନ ଏଥିପାଇଁ ଅର୍ଥର ବ୍ୟବସ୍ଥା ହୋଇନାହିଁ ବୋଲି କହିଛନ୍ତି। ଅର୍ଥ ବରାଦ ହେଲେ ଖୁବ୍ ଶୀଘ୍ର ବନ୍ଧର ମରାମତି କାର୍ଯ୍ୟ କରାଯିବ ବୋଲି ଶ୍ରୀ ତରାଇ ଦୃଢ଼ୋକ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe