କଟକରେ ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍ ଜବତ: ଗୋଦାମ ସିଲ୍, ମାଲିକ ଗିରଫ

ଜଗତପୁର ଥାନା ଖଇରା ପୋଲ ନିକଟରେ ଥିବା ‘ଉତ୍କଳ ଡିଷ୍ଟ୍ରିବ୍ୟୁଟର’ ନାମକ ଗୋଦାମରୁ ଆଜି ଜଗତପୁର ଥାନା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍‌ ଜବତ କରିଛି।

dgdggd

କଟକ-ଜଗତପୁର: ଜଗତପୁର ଥାନା ଖଇରା ପୋଲ ନିକଟରେ ଥିବା ‘ଉତ୍କଳ ଡିଷ୍ଟ୍ରିବ୍ୟୁଟର’ ନାମକ ଗୋଦାମରୁ ଆଜି ଜଗତପୁର ଥାନା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍‌ ଜବତ କରିଛି। ଗୋଦାମକୁ ସମ୍ପୂର୍ଣ୍ଣ ସିଲ୍ କରାଯିବା ସହ ମାଲିକଙ୍କୁ ଗିରଫ କରାଯାଇଛି। ଗିରଫ ଗୋଦାମ ମାଲିକ ହେଉଛନ୍ତି ପୁରୀଘାଟ ଥାନା ହରିପୁର ରୋଡ୍ ଅଞ୍ଚଳର ପ୍ରଦୀପ କୁମାର ଚାମୋଲି(୬୦)।

ପୁଲିସ ସୂଚନା ମୁତାବକ, ପଞ୍ଜାବ ଲୁଧିଆନାଠାରେ ‘ହିନ୍ଦୁସ୍ଥାନ ଟାୟାର୍ସ କୋ’ର କାରଖାନା ରହିଛି। ୧୯୬୮ ମସିହାରୁ ଏଠାରୁ ସମଗ୍ର ଦେଶକୁ ଟାୟାର ଓ ଟ୍ୟୁବ୍ ଯୋଗାଣ କରାଯାଉଛି। ଏହାର ଉତ୍ପାଦ ସାମଗ୍ରୀର ଅବିକଳ ନକଲ କରାଯାଉଥିବା ସମ୍ପର୍କରେ ହିନ୍ଦୁସ୍ଥାନ ଟାୟାର୍ସ ଆଣ୍ଡ ସାଇକେଲ୍ସ କଟକ ଆଞ୍ଚଳିକ କାର୍ଯ୍ୟାଳୟ ଜାଣିବାକୁ ପାଇଥିଲା। ଏହି କାରଖାନାର ଲୋଗୋ ପରିବର୍ତ୍ତେ ଷ୍ଟିକର୍‌ ବ୍ୟବହାର କରାଯାଇ ବଜାରକୁ ଛଡ଼ାଯାଉଥିଲା। ପଶ୍ଚିମବଙ୍ଗର ନଦିଆଠାରେ ହିନ୍ଦୁସ୍ଥାନ କାରଖାନାର ସାମଗ୍ରୀକୁ ନକଲ କରାଯାଇ ଜଗତପୁରସ୍ଥିତ ଉତ୍କଳ ଡିଷ୍ଟ୍ରିବ୍ୟୁଟର ଗୋଦାମକୁ ବିକ୍ରି ପାଇଁ ଆସୁଥିଲା। ଏହି ଗୋଦାମରୁ ଟାୟାର ଏବଂ ଟ୍ୟୁବ୍‌ଗୁଡିକୁ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ପଠାଯାଉଥିବା ନେଇ କଟକ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଆଦିତ୍ୟ କୁମାର ଦାସ କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଏବଂ ତାଙ୍କ ଟିମ୍ ଉକ୍ତ ଗୋଦାମରେ ଗୁରୁବାର ଚଢ଼ଉ କରିଥିଲେ।

ଯାଞ୍ଚ ବେଳେ ଏହି ଗୋଦାମ ଦୀର୍ଘ ୬ମାସ ଧରି ଜଗତପୁର ଅଞ୍ଚଳରେ ଚାଲୁଥିବା ଏବଂ ଅସଲି ଟାୟାର, ଟ୍ୟୁବ୍‌ଠାରୁ କମ୍ ଦରରେ ଏଗୁଡ଼ିକୁ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା। ଗୋଦାମରେ ମହଜୁଦ ସମସ୍ତ ସାମଗ୍ରୀଗୁଡ଼ିକୁ ପୁଲିସ ଜବତ କରି ଅଧିକ ଖୋଳତାଡ଼ ଜାରି ରଖିଛି। ଜବତ ଟାୟାର, ଟ୍ୟୁବ୍‌ର ବଜାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ଉରେ ଜଗତପୁର ଥାନା ଆଇଆଇସି ଶ୍ରୀ ନାୟକଙ୍କ ସମେତ ଏସଆଇ ମିହିର କୁମାର ରାଉତ, ଏଏସଆଇ ତପନ କୁମାର ସ୍ବାଇଁ ପ୍ରମୁଖ ସାମିଲ ଥିଲେ। ବିଗତ ଦିନରେ ଜଗତପୁର ଥାନା ଅଞ୍ଚଳରେ ସସ୍, ମସଲା, ଘିଅ, ସୋୟାବିନ୍, ସିମେଣ୍ଟ, ପାନ ମସଲା, ପାଇପ, ମୋବିଲ୍, ଚା ପତି, ଦୁଗ୍ଧ ଭଳି ନକଲି କାରଖାନା ଉପରେ ଚଢ଼ଉ କରାଯାଇଛି। କାରଖାନାଗୁଡ଼ିକୁ ସିଲ୍ କରାଯିବା ସହ ସଂପୃକ୍ତ ମାଲିକଙ୍କୁ ଗିରଫ ବି କରାଯାଇଛି। ତଥାପି ଅସାଧୁ ବ୍ୟବସାୟୀ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ଠକି ମାଲାମାଲ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe