କବିସୂର୍ଯ୍ୟନଗର: ଘରେ ଅଛି ଶବ। ଦାଣ୍ଡରେ କୋକେଇ ତିଆରି ପାଇଁ ପଡ଼ିଛି ବାଉଁଶ। ହେଲେ କୋକେଇ ପ୍ରସ୍ତୁତ କରିବାକୁ କେହି ନାହାନ୍ତି। ଶବକୁ କାନ୍ଧ ଦେବାକୁ କେହି ଆସୁନାହାନ୍ତି। ଘଣ୍ଟାଏ କି ଦୁଇଘଣ୍ଟା ନୁହେଁ, ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବକୁ ଘରେ ରଖାଯାଇଥିବା ବେଳେ ଘର କାନ୍ଦବୋବାଳିରେ ଫାଟି ପଡ଼ୁଛି। ଗୋଟିଏ ପରିବାରକୁ କୁଳସମାଜ ବାସନ୍ଦ କରିଦେଇଛି ବୋଲି ଶେଷରେ ଶବକୁ କାନ୍ଧ ବି ମିଳୁନି। ମାନବିକତା ଯେମିତି ହଜିଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଏ.ବରିଡ଼ା ଗ୍ରାମର ନୟନ ସାହିରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ପୁଲିସ ଓ ପ୍ରଶାସନର ବ୍ୟାପକ ସଚେତନତା ଏବଂ କଠୋର ଆଇନ ସତ୍ତ୍ବେ ଆଜି ବି ସମାଜରୁ କିଭଳି ବାସନ୍ଦ ଭଳି କୁତ୍ସିତ ପ୍ରଥା ଦୂର ହୋଇପାରିନି, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।
ମିଳିଥିବା ସୂଚନାନୁସାରେ, ପଦ୍ମନାଭ ସାହୁ ସପରିବାର ଗାଁରେ ରହୁଥିବା ବେଳେ ୮ ବର୍ଷ ତଳେ କୌଣସି କାରଣରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା। କେହି ତାଙ୍କୁ ସହଯୋଗ କଲେ, ଜରିମାନା ପକାଯିବ ବୋଲି କୁଳସମାଜ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଆଜି ସକାଳେ ପଦ୍ମନାଭ ହୃଦ୍ଘାତରେ ପ୍ରାଣ ହରାଇଥିଲେ। ମାନବିକତା ଦୃଷ୍ଟିରୁ ଶବକୁ କାନ୍ଧ ଦେବା ଓ ଅନ୍ତିମ ସତ୍କାରରେ ଗ୍ରାମବାସୀ ସାମିଲ ହେବା କଥା। କିନ୍ତୁ ସମାଜର ଜରିମାନା ଓ କାର୍ଯ୍ୟାନୁଷ୍ଠାନ ଭୟରେ କେହି ବି ପଦ୍ମନାଭଙ୍କ ଘର ପିଣ୍ଡା ମାଡ଼ି ନଥିଲେ।
ମୃତକଙ୍କ ପୁଅ ସତ୍ୟବାନ୍ ସଂଗେ ସଂଗେ ଏକ ଅଟୋରେ କବିସୂର୍ଯ୍ୟନଗର ତହସିଲଦାରଙ୍କ ପାଖକୁ ଯାଇଥିଲେ। ତହସିଲଦାର ପୁଲିସର ଆଶ୍ରୟ ନେବାକୁ ସତ୍ୟବାନଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ପୁଲିସ ସହଯୋଗ କରିବା ବଦଳରେ ତହସିଲଦାରଙ୍କ ନିକଟକୁ ଯିବାକୁ କହିଥିଲା। ଫଳରେ ନିରାଶ ହୋଇ ସତ୍ୟବାନ ଗାଁକୁ ଫେରିଆସିବା ସହ ବାପାଙ୍କ ଶବ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ବଜାରରୁ ସମସ୍ତ ସାମଗ୍ରୀ କିଣି ଆଣିଥିଲେ। ବହୁ ସମୟ ପର୍ଯ୍ୟନ୍ତ କୋକେଇ ପଡ଼ିରହିଥିଲା। ଗ୍ରାମବାସୀ ଭୟରେ ଆସି ନ ଥିଲେ କି ଆଜି ଗଣେଶ ମୂର୍ତ୍ତି ବିସର୍ଜନ କିମ୍ବା କୌଣସି ଦେବକାର୍ଯ୍ୟ ହୋଇନଥିଲା। ସକାଳ ୧୦ଟାରୁ ସମସ୍ତେ ଅଖିଆ ଅପିଆ ରହିଥିଲେ। ପୁଲିସ ଓ ପ୍ରଶାସନର ପଦାଧିକାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାତି ୯ଟାରେ ଶବ ସତ୍କାର ପାଇଁ ନିଆଯାଇଛି।
Follow Us