ଶହେ କୋଟିର ଘେରିବନ୍ଧ: ବିକାଶ ନୁହେଁ, ବିନାଶ!

Advertisment
ଶହେ କୋଟିର ଘେରିବନ୍ଧ: ବିକାଶ ନୁହେଁ, ବିନାଶ!

ଯାଜପୁର/ରତ୍ନଗିରି: କୋଟିଏ ନୁହେଁ କି ଦି’ କୋଟି ନୁହେଁ। ଶହେ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବରୀ ଅଞ୍ଚଳର ଦୁଆବ ଘେରିବନ୍ଧ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ସମୟରେ ବନ୍ୟା ନିୟନ୍ତ୍ରଣ ହେବ ବୋଲି ସ୍ଥାନୀୟ ଲୋକେ ବେଶ୍ ଆଶାବାଦୀ ଥିଲେ। ହେଲେ ଘେରିବନ୍ଧ ବିକାଶ ଯୋଜନା ବରୀ ବ୍ଲକ୍‌ର ୭ଟି ପଞ୍ଚାୟତ ପାଇଁ ବିନାଶ ସାଜିଛି। ନଦୀର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଏହି ଦୁଆବ ଘେରିବନ୍ଧ ଅ‌ଞ୍ଚଳରେ ଥିବା ଚାଷ ଜମିରୁ ଜଳ ନିଷ୍କାସନ ହେବାର ନାଁ ନେଉନାହିଁ। ଫଳରେ ଜନ ଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେବାକୁ ଯାଇଛି।

ବରୀ ବ୍ଲକ୍ ଅନ୍ତର୍ଗତ ମହାକାଳପଡ଼ା, ଗମୁଁ, ଅମଠପୁର, ରତ୍ନଗିରି, ମନ୍ଦାରୀ, ସେରପୁର, ସ୍ବାଇଁଖଣ୍ଡ, ଗୋଳକୁଣ୍ଡ, ଧାରପୁର, ଇଶାଣପୁର, ବାଲିଆ, ସାହୁପଡ଼ା ଓ ଚନ୍ଦନପୁର ପଞ୍ଚାୟତକୁ ଘେରି ରହିଛି ବ୍ରାହ୍ମଣୀ-ବିରୂପା-କେଲୁଅ ଦୁଆବ ଘେରିବନ୍ଧ। ଏହି ଯୋଜନାରେ ବରୀ ବ୍ଲକ୍‌ର ୧୩ଟି ପଞ୍ଚାୟତ ସହିତ ରସୁଲପୁର, ବଡ଼ଚଣା ଓ ଧର୍ମଶାଳା ବ୍ଲକ୍‌ର ୧୩ଟି ପଞ୍ଚାୟତ ଏଭଳି ମୋଟ ୨୬ଟି ପଞ୍ଚାୟତକୁ ସାମିଲ କରାଯାଇଛି। ମୋଟ ୬୪ କିମିର ନଦୀବନ୍ଧ ମଧ୍ୟ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ବରୀ ବ୍ଲକ୍‌ର ଦୁଆବ ଅ‌ଞ୍ଚଳ ଭାବେ ପରିଗଣିତ ୧୩ଟି ପଞ୍ଚାୟତର ଚାଷଜମିରୁ ବନ୍ୟା ଓ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସିତ ହେବା ପାଇଁ ବିରୂପା ନଦୀକୁ ମୁହଁ କରି ମହାକାଳପଡ଼ା ଠାରେ ୧୧ ଫାଟକ ବିଶିଷ୍ଟ ଗୋଟିଏ ସ୍ଲୁଇସ୍‌ ଗେଟ୍ ଓ ଗମୁଁ ଡୋବ ଠାରେ ୯ଫାଟକ ବିଶିଷ୍ଟ ଗୋଟିଏ ସ୍ଲୁଇସ୍‌ ଗେଟ୍ ନିର୍ମାଣ ହୋଇଛି। ଏହି ଦୁଇଟି ସ୍ଲୁଇସ୍‌ ଗେଟ୍ ନିର୍ମାଣରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ନିର୍ମାଣରେ ତ୍ରୁଟି ଥିବା ଅ‌ଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଚାଷଜମିର ଉଚ୍ଚତା ଅନୁପାତରେ ଫାଟକର ଉଚ୍ଚତା ଅଧିକ ଥିବାରୁ ବନ୍ୟାପାଣି ନଦୀକୁ ନିଷ୍କାସିତ ହୋଇପାରୁନାହିଁ। ନଦୀର ଜଳସ୍ତର କମିଲେ ମଧ୍ୟ ଗୋଟିଏ ଫାଟକ ଉଠାଇବା ପାଇଁ ୪ଜଣ ଲୋକଙ୍କୁ ୨ରୁ୩ ଘଣ୍ଟା ଲାଗୁଛି। ବନ୍ୟାଜଳ ଚାଷଜମିରେ ବହୁଦିନ ଜମିରହି ବ୍ୟାପକ କ୍ଷତି ପହଞ୍ଚାଉଛି। ଗତବର୍ଷ ବନ୍ୟା ପରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବରୀ ପରିଦର୍ଶନରେ ଆସିବା ସହ ଉକ୍ତ ଦୁଇଟି ସ୍ଲୁଇଟ୍‌ ଗେଟ୍ ପରିଦର୍ଶନ କରିଥିଲେ। ଏହାର ସମାଧାନ ନିମନ୍ତେ ରତ୍ନଗିରି ତୋଷାଳି ପ୍ଲାଜା ଠାରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ଏହି ଦୁଇ ଗେଟ୍ ସ୍ବୟଂଚାଳିତ କରିବାକୁ ଅ‌ଞ୍ଚଳବାସୀ ଦାବି କରିଥିବାବେଳେ ସରକାରଙ୍କ ସହ କଥା ହୋଇ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଏହାମଧ୍ୟରେ ଏକବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe