ଧୋଇଗଲା ଶତାଧିକ କଚ୍ଚାଘର; ଆଶ୍ରୟସ୍ଥଳ ପାଲଟିଛି ପଡ଼ୋଶୀଙ୍କ ଘର, ରାସ୍ତା

Advertisment
ଧୋଇଗଲା ଶତାଧିକ କଚ୍ଚାଘର; ଆଶ୍ରୟସ୍ଥଳ ପାଲଟିଛି ପଡ଼ୋଶୀଙ୍କ ଘର, ରାସ୍ତା

ଦଶରଥପୁର/ଅହିୟାସ: ଚାରିଆଡ଼େ ପାଣି ଆଉ ପାଣି। ପକ୍କାଘରେ ପାଣି, କଚ୍ଚାଘରେ ବି ପାଣି। ଚୁଲି ପାଣିରେ ବୁଡ଼ିଛି। ହାଣ୍ଡି, କଡ଼େଇ ଭାସୁଛି। ଏଭଳି ସ୍ଥିତିରେ ଗରିବ ଲୋକଙ୍କ ଠିକଣା ପାଲଟିଛି ପଡ଼ୋଶୀଙ୍କ ଘର ଓ ବନ୍ଧହୁଡ଼ା। ବନ୍ୟା ବହିଯିବାର ୫ ଦିନ ହେଲାଣି ହେଲେ ପାଣି ଛାଡ଼ିନାହିଁ। ଦଶରଥପୁର ବ୍ଲକ କଷପା ପଞ୍ଚାୟତ ବୈତରଣୀ ଶାଖା କାଣୀନଦୀର ବ୍ରାହ୍ମଚାରୀପାଟଣାରେ ଗତ ୧୫ ତାରିଖରେ ୧୫୦ ଫୁଟର ଘାଇ ହୋଇଥିଲା। ଲଗାଣ ବର୍ଷା ଓ ବନ୍ୟାରେ ବ୍ଲକର ମୋଟ ୩୫ଟି ପଞ୍ଚାୟତ ମଧ୍ୟରୁ ୧୩ଟି ପଞ୍ଚାୟତର ୨୨ଟି ରାଜସ୍ୱ ଗ୍ରାମ ପ୍ରଭାବିତ ହୋଇଛି। ବନ୍ୟାର ୫ ଦିନ ପରେ ଜଳସ୍ତର କମିଯାଇଥିଲେ ମଧ୍ୟ ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।

ମୁଖ୍ୟତଃ କଷପା, ମଲ୍ଲିକାପୁର, ଦୁଦୁରାଅନ୍ତା, ନିଜାମପୁର, କୟାଁ, କମାରଡିହ, ଜୟନ୍ତରା, କଟିକଟା, ଶୁଶୁଆ, ଖାନନଗର, ଦତ୍ତପୁର, ବିରିପଟା ଓ ଜାଫରପୁର ଆଦି ପଞ୍ଚାୟତର ୩୭ଟି ରାଜସ୍ୱ ଗ୍ରାମର ଶତାଧିକ ଲୋକଙ୍କର କଚ୍ଚାଘର ଧୋଇଯାଇଛି। ଏଥିରେ ୧୩୪୫୦ ଜଣ ପ୍ରଭାବିତ ହୋଇଛନ୍ତି। ଘରଗୁଡ଼ିକ ମୂଳଦୁଆ ଧୋଇଯିବାରୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ସେଠାରେ ଏବେ ରହିବା ସମ୍ଭବ ନୁହେଁ। କଷପା ପଞ୍ଚାୟତ କମାଳପୁର ଗାଁର ମାଳତୀଲତା ଦାସଙ୍କ କଚ୍ଚାଘରେ ପାଣି ପଶିଯାଇଛି। ସେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ଚାରିଆଡ଼େ ପାଣି ହୋଇଯାଇଥିବାରୁ ରୋଷେଇ କରି ଖାଇବା ସମ୍ଭବ ହେଉନାହିଁ। ତାଙ୍କର ୬ ଜଣିଆ ପରିବାର। ରହିବା ଖାଇବା କଷ୍ଟକର ହୋଇପଡ଼ିଛି। ସେ ଏକ ଉଚ୍ଚା ଜାଗା ଉପରେ ୩ ଖଣ୍ଡ ଇଟା ରଖି ଭାତ ରାନ୍ଧି ଆଳୁ ସିଝା ଖାଉଛନ୍ତି। ଘରେ ପାଣି ପଶିଯାଇଥିବାରୁ ୨ ଛୋଟ ପିଲାଙ୍କୁ ପିଣ୍ଡାରେ ବସାଇ ଭାତ ଆଳୁ ସିଝା ଖୁଆଉଥିବା ଦେଖିବାକୁ ମିଳିଥିଲା। ସେହିପରି ନୂଆଶାସନ ଗାଁର ସଜନୀ ଦାସଙ୍କ କଚ୍ଚାଘର ବୁଡ଼ିଯାଇଥିବାରୁ ସେ ରାସ୍ତା ଉପରେ ପାଲ ଟାଣି ରହୁଛନ୍ତି। ସେଠାରେ ଗାଈ, ଛେଳି ସାଙ୍ଗରେ ଶୋଇବାକୁ ପଡୁଛି। ଯଦିଓ ପାଣି କମିଯାଇଛି, ବନ୍ୟା ସ୍ରୋତରେ ଘର କାନ୍ଥ ଧୋଇଯାଇଛି। ସେହି ଗ୍ରାମର ଅକ୍ଷୟ ସାହୁଙ୍କ ଘରଟି ବନ୍ୟାମାଡ଼ରେ ଭାଙ୍ଗିଯାଇଛି। ତାହା ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଯେକୌଣସି ସମୟରେ ଅଘଟଣ ଆଶଙ୍କା ରହିଛି।

ଦୁଦୁରାଅନ୍ତା ପଞ୍ଚାୟତ ଗଣପତିପାଟଣା ଗାଁର ସୁଶାନ୍ତ ସେଠୀ, ନକୁଳ ସେଠୀ, ଭାଗୀରଥି ସେଠୀ, ଶିବପ୍ରସାଦ ଦାସ, ସସ୍ମିତା ମହାଳିକ, କେଦାର ବିଶ୍ୱାଳ ଓ ଉତ୍ତମ ବିଶ୍ୱାଳଙ୍କ କଚ୍ଚାଘରେ ଆଣ୍ଠୁଏଲେଖାଏଁ ପାଣି ପଶିଛି। ରହିବା ସମ୍ଭବ ହେଉନଥିବାରୁ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ଆଖୁଆସାହିର ଅଭିମନ୍ୟୁ ଜେନା, ଦୁ‌େର୍ଯ୍ୟାଧନ ଜେନା, ଦୁଃଶାସନ ଜେନା, କୃଷ୍ଣଜେନା, ମକର ଜେନା, ନାରଣ ଜେନା, ଗୁରୁଚରଣ ଜେନା, ଡଲି ଜେନାଙ୍କ ଘରେ ୪ ଫୁଟ ପାଣି ହୋଇଥିଲା। ଏବେ ବି ସେମାନେ ଘରକୁ ଫେରିପାରିନାହାନ୍ତି। କିଛି ଲୋକ ନିକଟସ୍ଥ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଆଉ କିଛି ଲୋକ ଜଣେ ପଡ଼ୋଶୀଙ୍କ ଛାତ ଉପରେ ପାଲ ଟାଣି ରହିଛନ୍ତି। ଏହି ପରିବାର ଲୋକେ ବାହାରକୁ ଯିବା ପାଇଁ କଦଳୀଗଛର ଭେଳା କରି ଯାତାୟାତ କରୁଛନ୍ତି। ସବୁଠାରୁ ବଡ଼କଥା ହେଉଛି ବନ୍ୟାପାଣିରେ କେବଳ ଘର ନୁହେଁ, ଆସବାବପତ୍ର ମଧ୍ୟ ନଷ୍ଟ ହୋଇଛି। ଅହିୟାସ-କମାଳପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହୋଇ ଧୋଇଯାଇଛି।

୧୬ଟି ପଞ୍ଚାୟତ ୫୬ଟି ରାଜସ୍ୱ ଗ୍ରାମର ୪୮୪୮ ହେକ୍ଟର ଚାଷ ଜମିରେ ୫ ଦିନ ହେଲା ବନ୍ୟାପାଣି ମାଡ଼ିଯିବାରୁ ପରିବା ଓ ଧନଚାଷ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି। ଯଦିଓ ପ୍ରଶାସନ ପକ୍ଷରୁ ରିଲିଫ ମିଳିଛି ତାହା ‘ସମୁଦ୍ରକୁ ଶଂଖେ’ ଭଳି। ଏହାରି ଭିତରେ ଆଜିଠାରୁ ପୁଣି ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିବାରୁ ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।

publive-image

ବ୍ରହ୍ମଚାରୀପାଟଣାରେ ପ୍ରାୟ ୧୦୦ ଚାଷୀଙ୍କର ୫୦ ଏକର ଜମିରେ ୫ଫୁଟ ଉଚ୍ଚର ବାଲି ଚରିଯାଇଛି। କମାଳପୁର-ଅହିୟାସ ପ୍ରଧାନମନ୍ତ୍ରୀ ସଡ଼କର ଉଭୟ ପାର୍ଶ୍ବରେ ଗାଢ଼ ହେବା ସହିତ ବଡ଼ବଡ଼ ଗଛ ଉପୁଡ଼ି ଯାଇଛି। ବାକି ପ୍ରାୟ ୧୦୦ ରୁ ଅଧିକ ଗଛ ହାଲୁକା ପବନରେ ଉପୁଡ଼ି ଯିବାର ଆଶଙ୍କା ରହିଛି। ସେହିପରି ବ୍ରହ୍ମଚାରୀପାଟଣା-ଅହିୟାସ ଆର୍‌ଡି କଂକ୍ରିଟ ରାସ୍ତାଟି ଦବିଯିବା ସହିତ ଫାଟ ସୃଷ୍ଟି ହୋଇଛି। ସେଥିରେ ଚାରିଚକିଆ ଯାନ  ଚଳାଚଳ ବିପଜ୍ଜନକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe