ନୀଳଗିରି: ଗ୍ରୀଷ୍ମଋତୁ ଆସୁ ଆସୁ ଡରାଇଲାଣି ବନାଗ୍ନି। ଆରମ୍ଭ କଲାଣି ଗଛଲତା ଗିଳିବା। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସ୍ବର୍ଣ୍ଣଚୂଡ଼ ଜଙ୍ଗଲରେ। ଏଠାରେ କୌଣସି କାରଣରୁ ନିଆଁ ଲାଗି ଶହ ଶହ ଗଛ ଜଳିଯାଇଛି। ସୂଚନା ଅନୁସାରେ; ନୀଳଗିରି ରେଞ୍ଜ ଅଧୀନ ସ୍ବର୍ଣ୍ଣଚୂଡ଼ ଡାହିସାହି ନିକଟ ଜଙ୍ଗଲରେ ନିଆଁ ଲାଗିଥିଲା। ଆଜି ଦିନ ପ୍ରାୟ ୧୦ଟା ବେଳେ ଏନେଇ ଜଣାପଡ଼ିଥିଲା। ପବନ ଯୋଗୁ ନିଆଁର ପ୍ରକୋପ ଅଧିକ ରହିଥିଲା। ଫଳରେ ସଂଧ୍ୟା ସୁଦ୍ଧା ଏକର ଏକର ଜଙ୍ଗଲର ଶହ ଶହ ଗଛ ପୋଡ଼ିଯାଇଥିଲା। ଖବର ପାଇ ନୀଳଗିରି ବନ ବିଭାଗର ୪ ଜଣ କର୍ମଚାରୀ ପହଞ୍ଚି ବ୍ଲୟର୍ ଦ୍ବାରା ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଖବର ଲେଖାହେବା ଯାଏଁ ନିଆଁ ଆୟତ୍ତ ହୋଇପାରି ନଥିବା କୁହାଯାଉଛି।
ତେବେ ଜଙ୍ଗଲ ନିଆଁର ମୁକାବିଲା କରିବାକୁ ମାତ୍ର ୪ ଜଣ ବନ କର୍ମଚାରୀ ନିୟୋଜିତ ହେବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ବନ ବିଭାଗର ଖାମଖିଆଲ୍ ନୀତି ବୋଲି ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ, ଆଇନଜୀବୀ କ୍ଷୀରୋଦ ଦାସ, ସମାଜସେବୀ ତପନ ରାଉତ, ବରିଷ୍ଠ ସିପିଆଇଏମ୍ ନେତା ବିଜୟ ପାତ୍ର, ସିପିଆଇ ନେତା ନିରଞ୍ଜନ ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ଜଙ୍ଗଲ ବିଭାଗ ଏକ ପ୍ରକାର ସ୍ଥାଣୁ ହୋଇଗଲାଣି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ପାଟ୍ରୋଲିଂ କରିବା ବି ଭୁଲିଗଲେଣି। କୁହାଯାଉଥିଲା ଯେ ଫାୟାର୍ ଲାଇନ୍ ପ୍ରସ୍ତୁତ ହୋଇଛି। ଯଦି ଫାୟାର୍ ଲାଇନ୍ ପ୍ରସ୍ତୁତ ହୋଇଥାଆନ୍ତା, ତେବେ ନିଆଁ ଲାଗନ୍ତା ନାହିଁ।
ଏ ନେଇ ନୀଳଗିରି ରେଞ୍ଜର ଆଇସା ଅକ୍ତାର ନିସାଙ୍କ ମତାମତ ନିଆଯାଇଥିଲା। ସେ କହିଛନ୍ତି, ରାତି ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଲିଭା ସରିଛି। ବିଶେଷ କ୍ଷତି ହୋଇନାହିଁ। ନିଆଁ ଲାଗିବା ଖବର ପାଇ ଆମେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛୁ। ସ୍ଥାନୀୟ ଲୋକମାନେ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଛନ୍ତି। ତଦନ୍ତ ଚାଲିଛି; ଖୁବ୍ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ।
Follow Us