ଶତାଧିକ ଗାଁରେ ପଶିଲା ଲୁଣି ଜୁଆର; ତାଳସାରି, ବଳରାମଗଡ଼ିକୁ ଛାରଖାର କଲା ସମୁଦ୍ର

Advertisment

ଶହ ମିଟର ଭାସି ଆସି ଘର ଉପରେ ଚଢ଼ିଗଲା ଟ୍ରଲର

ଶହ ମିଟର ଭାସି ଆସି ଘର ଉପରେ ଚଢ଼ିଗଲା ଟ୍ରଲର

ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ସରକାର

ବାଲେଶ୍ବର : ବାଲେଶ୍ବରରେ ‘ୟାସ୍‌’ ପ୍ରଭାବରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା ଓ ପବନ ପ୍ରବାହିତ ହୋଇଥିଲା। ପବନର ବେଗ କିଛିମାତ୍ରାରେ ହ୍ରାସ ପାଇଥିଲେ ବି ଏ ପର୍ଯ୍ୟନ୍ତ ସମୁଦ୍ରକୂଳିଆ ଅଞ୍ଚଳରେ ଏହାର ପ୍ରଭାବ ରହିଛି।

ସୋର ବ୍ଲକର ୨ଟି ପଞ୍ଚାୟତ, ବାହାନଗା ବ୍ଲକର ୩ଟି ପଞ୍ଚାୟତ, ରେମୁଣା ବ୍ଲକର ୪ଟି ପଞ୍ଚାୟତ, ବାଲେଶ୍ବର ସଦର ବ୍ଲକର ୨୬ଟି ପଞ୍ଚାୟତ, ବାଲିଆପାଳ ବ୍ଲକର ୧୧ଟି ପଞ୍ଚାୟତ ଓ ଭୋଗରାଇ ବ୍ଲକର ୮ଟି ପଞ୍ଚାୟତର ଶତାଧିକ ଗାଁ ଭିତରକୁ ସମୁଦ୍ର ମାଡିଯାଇଥିବା ବେଳେ ଶହଶହ ହେକ୍ଟର ଚାଷଜମି, ଚିଙ୍ଗୁଡ଼ିଘେରିରେ ଲୁଣି ପାଣି ମାଡ଼ିଯାଇଛି। ଏହାବାଦ୍‌ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ୍‌ରେ ‘ୟାସ୍‌’ର ତାଣ୍ଡବ ଦେଖିବାକୁ ମିଳିଥିଲା। ‘ୟାସ୍‌’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବହୁ ବଡ଼ ବଡ଼ ଗଛ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡ଼ିଥିବାବେଳେ ସବୁଠୁ ଅଧିକ ବାହାନଗା, ବାଲେଶ୍ବର ସଦର ଏବଂ ଭୋଗରାଇ ଅଞ୍ଚଳକୁ ଛାରଖାର କରିଛି ବାତ୍ୟା। ଅନେକ ସ୍ଥାନରେ ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ହୋଇଥିବାରୁ ବିଦ୍ୟୁତ୍ ସେବା ମଧ୍ୟ ବ୍ୟାହତ ହୋଇଛି। ବାଲେଶ୍ବର ସହରର ଭାସ୍କରଗଂଜ ଅଞ୍ଚଳରେ ଆଜି ସକାଳେ ଏକ ଗଛ ପଡ଼ି ମଣ୍ଟୁ ଜେନା(୨୨) ନାମକ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି।

publive-image

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବୁଧବାର ପୂର୍ଣ୍ଣମୀ ତିଥି ଥିବାରୁ ସମୁଦ୍ରରେ ଉତ୍ତାଳ ତରଙ୍ଗ ଉଠିଥିଲା। ଏଥିସହ ବାତ୍ୟାର ପ୍ରଭାବରେ ନଦୀବନ୍ଧ ଭାଙ୍ଗି ଜନବସତି ଆଡ଼କୁ ଧସେଇ ପଶିଥିଲା ଲୁଣିଜୁଆର। ଚାନ୍ଦିପୁର ବେଳାଭୂମିରେ ୫ ଫୁଟ ଉଚ୍ଚର ଜୁଆର ଉପରକୁ ଉଠିବା ଫଳରେ ହୋଟେଲ, ରସର୍ଟ, ଜନବସତି ଓ ଚିଙ୍ଗୁଡ଼ି ଘେରି ଗୁଡ଼ିକରେ ପାଣି ପଶିଯାଇଛି। ବାଲେଶ୍ବର ସଦର ବ୍ଲକ୍‌ ପରିଖିରେ ବେଳାଭୂମି ଅତିକ୍ରମ କରି ୨ଟି ଗାଁରେ ପାଣି ପଶିଯାଇଛି। ଭୋଗରାଇ ବ୍ଲକ୍‌ ତାଳସାରି ଏବଂ ଉଦୟପୁର ଠାରେ ବେଳାଭୂମିରେ ଥିବା ଶହଶହ ଦୋକାନ ସମୁଦ୍ରଗର୍ଭରେ ଲୀନ ହୋଇଯାଇଛି। ବାଲେଶ୍ବର ଚାନ୍ଦିପୁରସ୍ଥିତ ବଳରାମଗଡ଼ି ମାଛଧରା ଜେଟିରୁ ନାଉପାଳଗଡ଼ି ପର୍ଯ୍ୟନ୍ତ ପ୍ରାୟ ୨କିମି ଅଞ୍ଚଳର ବୁଢ଼ାବଳଙ୍ଗ ନଦୀରେ ରହିଥିବା ଭୁଟୁଭୁଟି, ଟ୍ରଲର ଓ ଡଙ୍ଗାଗୁଡ଼ିକୁ ଜୁଆର ପାଣି ଭସାଇ ନେଇଥିଲା। ଏପରିକି କିଛି ଟ୍ରଲର ୨ଶହ ମିଟର ଭାସି ଆସି ଘର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଥିଲା। କିଛି ମତ୍ସ୍ୟଜୀବୀଙ୍କ ଘର ମଧ୍ୟ ବାତ୍ୟା ପ୍ରଭାବରେ ମାଟିରେ ମିଶିଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe