ଉମରକୋଟ: ୮ମାସ ହେଲା ନିମ୍ନମାନର ଖାଦ୍ୟ ମିଳୁଥିଲା। ପେଟ ପୂରୁନଥିଲା। ଭୋକ ସମ୍ଭାଳି ହେଲାନି। ତେଣୁ ବାଧ୍ୟ ହୋଇ ଆଜି ୧୦କିଲୋମିଟର ଚାଲିଲେ ୫୦ ଛାତ୍ରୀ। ସମ୍ବେଦନହୀନ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ମନମାନିକୁ ପଦାରେ ପକାଇଦେଲେ। ଉମରକୋଟ ବ୍ଲକ ବୁର୍ଜା ମା’ ପେଣ୍ଡ୍ରାଣୀ ଉଚ୍ଚବିଦ୍ୟାଳୟର ଏହି ଘଟଣା ଉଦ୍ବେଗ ସୃଷ୍ଟି କରିଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ବାଚନମଣ୍ଡଳୀରେ ପିଲାଙ୍କ ଜୀବନ ଓ ଭବିଷ୍ୟତ ସହ ଏହା କେଉଁ ପ୍ରକାର ଖେଳ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ଛତିଶଗଡ଼ ଏନକାଉଣ୍ଟର ପରେ ଓଡ଼ିଶାମୁହଁା ନକ୍ସଲ
ବ୍ୟବହାର ହେଉନି କଲେଜ ପାଠାଗାର
ସମ୍ବଲପୁରରେ ପୁଣି ହାତୀ ମୃତ୍ୟୁ
ଉମରକୋଟ ବ୍ଲକ ବୁର୍ଜା ସ୍ଥିତ ମା’ ପେଣ୍ଡ୍ରାଣୀ ଉଚ୍ଚବିଦ୍ୟାଳୟରେ କସ୍ତୁରବା ବାଳିକା ହଷ୍ଟେଲ ପରିଚାଳିତ ହେଉଛି। ମାସ ମାସ ଧରି ହଷ୍ଟେଲରେ ଅବ୍ୟବସ୍ଥା ଲାଗି ରହିଥିଲା। ପିଲାଙ୍କୁ ପୋକରା ଚାଉଳ ଭାତ ଦିଆଯାଉଛି। ତାରକାରିରେ ପୋକ ଭାସୁଛନ୍ତି। ଯାହାକୁ ଖାଇବା ଦୂରର କଥା ଛୁଇଁ ହେବନାହିଁ। ପିଲା ପ୍ରତିବାଦ କଲେ ମଧ୍ୟ କିଛି ଫରକ୍ ପଡ଼ୁନଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ସବୁ ଜାଣି ନିରବ ରହିଲେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ କେବଳ ପ୍ରତିଶ୍ରୁତି ମିଳୁଥିଲା। ଶେଷରେ ପିଲାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ଉପରେ ଆସ୍ଥା ହରାଇ ପୁଲିସକୁ ନିଜ ମନର କୋହ ଜଣାଇବା ପାଇଁ ହଷ୍ଟେଲରୁ ବାହାରି ଆସିଥିଲେ ୫୦ଜଣ ଛାତ୍ରୀ।
ପ୍ରାୟ ୧୦କିଲୋମିଟର ଚାଲିବା ପରେ ଶିକ୍ଷା ବିଭାଗର କିଛି ଅଧିକାରୀ ଖବର ପାଇ ଛାତ୍ରୀଙ୍କ ନିକଟରେ ପହଞ୍ଚିଥିଲେ। ଉମରକୋଟ ଥାନାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଛାତ୍ରୀଙ୍କୁ ଅଟକାଇ ଆଲୋଚନା କରିଥିଲେ। କିନ୍ତୁ କୌଣସି କଥା ଶୁଣିବା ମୁଡ୍ରେ ନଥିଲେ ଛାତ୍ରୀ। ଶେଷରେ ନବରଙ୍ଗପୁର ଏଡିଇଓ ଡ. ରେଶମ ଲାଲ ନାୟକ ଓ ବିଇଓ ବିକାଶ ଚନ୍ଦ୍ର ସରକାର ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ପିଲାଙ୍କୁ ପୁଣି ହଷ୍ଟେଲକୁ ଫେରାଇ ନେଇଥିଲେ। କୁପୋଷଣ ପାଇଁ ଅପବାଦ ମୁଣ୍ଡାଇଛି ନବରଙ୍ଗପୁର ଜିଲ୍ଲା। ତେଣୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ସରକାର ଯୋଜନା କରୁଛନ୍ତି। ଅଥଚ ସରକାରୀ ଅନୁଦାନରେ ପିଲାଙ୍କୁ ନିମ୍ନାମାନର ଖାଦ୍ୟ ଦିଆଯିବା ଘଟଣା ଅନେକ ପ୍ରଶ୍ନ ଉଠାଇଛି।
  
 Follow Us