ଜଙ୍ଗଲରେ ଶିକାରୀ ରାଜ୍, ମୂଳପୋଛ ହୋଇଯିବେ ବନ୍ୟଜନ୍ତୁ

Advertisment

୨ବର୍ଷରେ ୨୩ ବାଘଛାଲ, ୧୩ ହାତୀଦାନ୍ତ, ୧୦କେଜି ବଜ୍ରକାପ୍ତା କାତି ଜବତ; ବନ୍ଧା ହେଲେଣି ୫୫

୨ବର୍ଷରେ ୨୩ ବାଘଛାଲ, ୧୩ ହାତୀଦାନ୍ତ, ୧୦କେଜି ବଜ୍ରକାପ୍ତା କାତି ଜବତ; ବନ୍ଧା ହେଲେଣି ୫୫

ଶିକାରୀଙ୍କ ପଞ୍ଝା ମେଲୁଛି: ୫ ବର୍ଷରେ ୮୦୨ ବନ୍ୟଜନ୍ତୁ ଶିକାର

ଭୁବନେଶ୍ୱର : ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷିତ ତ? ଯଦି ଅସୁରକ୍ଷିତ, ଯିବେ କୁଆଡ଼େ? କେମିତି ବଞ୍ଚିବେ? ଦିନକୁ ଦିନ ଜଙ୍ଗଲରେ ଯେଭଳି ଅବାଧ ଶିକାର ବଢ଼ି ଚାଲିଛି, ତାହାକୁ ନେଇ ଏହି ପ୍ରଶ୍ନ ଛିଡ଼ା ହୋଇଛି। ଗତ ୨ ବର୍ଷରେ ୨୩ଟି ବାଘଛାଲ, ୧୩ ହାତୀଦାନ୍ତ, ୧୫କେଜି ବଜ୍ରକାପ୍ତା କାତି ଜବତ ସହିତ ୧୦ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏଥିରୁ ଓଡ଼ିଶାର ଜଙ୍ଗଲରେ ବନ୍ୟପ୍ରାଣୀ କେତେ ସୁରକ୍ଷିତ, ତାହା ସ୍ପଷ୍ଟ ବାରି ହେଉଛି। ଗତ ୨୦୨୦ ମସିହାରେ ୧୩ଟି କଲରାପତରିଆ ଛାଲ, ୬ଟି ହାତୀ ଦାନ୍ତ, ୨ ହରିଣ ଚମଡ଼ା, ୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ୭ଟି ଜୀବନ୍ତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର କରାଯାଇଛି। ମୋଟ ୧୩ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୪ଜଣଙ୍କୁ ଗିରଫ କରାଯାଇଛି। ୨୦୨୧ରେ ଏ ପର୍ଯ୍ୟନ୍ତ ୧୦ଟି ବାଘଛାଲ, ୭ହାତୀ ଦାନ୍ତ, ୧୦ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ୩ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ୩୧ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଜଙ୍ଗଲ, ଶିମିଳିପାଳ, ସୁନ୍ଦରଗଡ଼, ବରଗଡ଼ର ଦେବ୍ରିଗଡ଼, ନୂଆପଡ଼ା, କଳାହାଣ୍ଡି, ଭବାନୀପାଟଣା, ଅନୁଗୁଳର ଆଠମଲ୍ଲିକ, ସମ୍ବଲପୁରର କୁଚିଣ୍ଡା ଆଦି ଅଞ୍ଚଳକୁ ଶିକାରୀ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟତଃ ଏହି ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର କରି ଛାଲ, କାତି, ଦାନ୍ତକୁ ଏଜେଣ୍ଟ ଓ ମାଫିଆଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ଏସବୁ ମାଫିଆଙ୍କ ହାତକୁ ଯିବା ପରେ ସେମାନେ ଏହାକୁ ବଡ଼ବଡ଼ିଆ କିମ୍ବା ଅନ୍ତଃରାଜ୍ୟ ମାଫିଆଙ୍କ ହାତରେ ଟେକି ଦେଉଛନ୍ତି। ଏଜେଣ୍ଟଙ୍କଠାରୁ ଅନ୍ତଃରାଜ୍ୟ ମାଫିଆ ଚଢ଼ା ଦରରେ କିଣିବା ପରେ ଏହାକୁ ବିଦେଶକୁ ରପ୍ତାନି କରନ୍ତି। ବିଦେଶରେ ଢେର୍ ଚାହିଦା ଥିବାରୁ ସେମାନେ ଲକ୍ଷାଧିକ ଟଙ୍କାରେ ରେଜଗାର କରନ୍ତି। ଏଭଳି ସ୍ଥିତି ଲାଗି ରହିଲେ ବନ୍ୟଜନ୍ତୁ ଲୋପ ପାଇବା କିଛି ବିଚିତ୍ର କଥା ନୁହେଁ।

ସୁରକ୍ଷାରେ ଅବହେଳା ଯୋଗୁଁ ଶିକାରୀ ନିର୍ଭୟରେ ଜଙ୍ଗଲରେ ଗୋଟିଏ ପରେ ଗୋଟିଏ ବନ୍ୟଜନ୍ତୁଙ୍କୁ ଶିକାର କରିଚାଲିଛନ୍ତି। ବନ୍ୟଜନ୍ତୁଙ୍କୁ ଶିକାର କରିବା ପରେ ତା’ର ଛାଲକୁ ଉତାରି ମୃତଦେହକୁ ଜଙ୍ଗଲରେ ପୋତି ଦେଉଛନ୍ତି। ପରେ ଛାଲ, ଦାନ୍ତ, କାତିକୁ ବିଭିନ୍ନ ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କ ପାଖରେ ପହଞ୍ଚା ଯାଉଛି। ଅଥଚ ଯେଉଁମାନେ ବନ ସୁରକ୍ଷା ଦାୟିତ୍ବ ଅଛନ୍ତି, ସେମାନେ ଏହି ବେଆଇନ କାରବାରର ଟେର୍‌ ପାଇ ପାରୁନାହାନ୍ତି। ଅପରପକ୍ଷେ ଅନେକ ସମୟରେ ଶିକାରୀଙ୍କ ସହ ସେମାନଙ୍କ ସମ୍ପୃକ୍ତି ନେଇ ଘଟଣା ପଦାକୁ ଆସିଛି।

ଯଦିଓ ଏସ୍‌ଟିଏଫ୍‌ କିଛି ଶିକାରୀ ଓ ମାଫିଆଙ୍କୁ ଗିରଫ କରୁଛି, କିନ୍ତୁ ଏହା ପଛରେ କାମ କରୁଥିବା ବଡ଼ ରୢାକେଟ୍‌ର ମୂଳୋତ୍ପାଟନ ହୋଇପାରିନାହିଁ। ଗତ ଦୁଇ ବର୍ଷ ମଧ୍ୟରେ ଏସ୍‌ଟିଏଫ୍‌ ୫୫ଜଣଙ୍କୁ ବାନ୍ଧିଲାଣି। କିନ୍ତୁ ଏହି ରୢାକେଟ୍‌ର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି? କିଏ ବାଘ ଛାଲ କିଣୁଛି? କିଣିବା ପରେ ଏହା କେଉଁଠି ବିକ୍ରି କରାଯାଉଛି? ସେ ସବୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇ ପାରୁନାହିଁ ଏସ୍‌ଟିଏଫ୍‌। କେବଳ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବାରେ ସୀମିତ ରହିଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe