Shutterstock
ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଡାକ୍ତରଖାନାରେ ଶନିବାର ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ଶବ ଛାଡ଼ି ତାଙ୍କ ସ୍ବାମୀ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ରବିବାର ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛଦ ପାଇଁ ବିନିକା ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅମରାମୁଣ୍ଡା ଗାଁର ସରସ୍ବତୀ ବାଗ ଓ ତାଙ୍କ ସ୍ବାମୀ ସୁଦାମ ବାଗ ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗ୍ରାମରେ ରହୁଥିଲେ। ଶନିବାର ସରସ୍ବତୀ ପରିସ୍ରା କରିବାକୁ ଯାଇଥିବା ବେଳେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେବାରୁ ପରିବାର ଲୋକେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବାରୁ ସୁଦାମ ଭୟରେ ସେଠାରୁ ଫେରାର ହୋଇ ଯାଇଥିଲେ।
Follow Us