Image Courtesy of India Today
ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ଉତ୍ତରପ୍ରତାପ ଗ୍ରାମର ସରୋଜ କୁମାର ସାହୁଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସାହୁ(୨୭)ଙ୍କର ଗତ ୯ ତାରିଖରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ତାଙ୍କ ଝିଅକୁ ଜ୍ବାଇଁ ହତ୍ୟା କରିଥିବା ଲକ୍ଷ୍ମୀପ୍ରିୟାଙ୍କ ମା’ ଜଳେଶ୍ବର ଗ୍ରାମର ସବିତା ସାହୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୧୧/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ଗିରଫ ସରୋଜକୁ ସୋମବାର ଦିନ ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଛି।
ପ୍ରକାଶ ଯେ, ଜଳେଶ୍ବର ଗ୍ରାମର ଭାସ୍କର ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ୮ବର୍ଷ ପୂର୍ବେ ଉତ୍ତରପ୍ରତାପ ଗ୍ରାମର ମାଗୁଣି ସାହୁଙ୍କ ପୁଅ ସରୋଜକୁ ପ୍ରେମ ବିବାହ କରି ଅଲଗା ରହୁଥିଲେ। ସେମାନଙ୍କର ଦୁଇଟି ଛୋଟ ପୁଅ ଅଛନ୍ତି। ବିବାହର କିଛିଦିନ ପରେ ବାପଘରୁ ଲକ୍ଷେ ଟଙ୍କା ଆଣିବାକୁ ସରୋଜ ଲକ୍ଷ୍ମୀପ୍ରିୟାଙ୍କ ଉପରେ ବାରମ୍ବାର ଚାପ ପକାଇବା ସହ ମାରପିଟ୍ କରୁଥିଲା। ଏତେ ପରିମାଣର ଟଙ୍କା ଯୋଗାଡ଼ କରିବା ପାଇଁ ବାପଘର ଲୋକେ ସମୟ ନେଇଥିଲେ। ତେବେ ଲକ୍ଷେ ଟଙ୍କା ଯୌତୁକ ଦେଇ ନପାରିବାରୁ ତାଙ୍କ ଝିଅକୁ ଜ୍ବାଇଁ ହତ୍ୟା କରିଥିବା ମା’ ସବିତା ସାହୁ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଗତକାଲି ସକାଳେ ସେ ପୁଅ ସହିତ ଫୁଲ ତୋଳିବାକୁ ଯାଇଥିବା ବେଳେ ଲକ୍ଷ୍ମୀପ୍ରିୟା ଫ୍ୟାନ୍ ହୁକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ବାମୀ ସରୋଜ ପୁଲିସ୍ ନିକଟରେ ବୟାନ ଦେଇଛି। ଜାମିନ ନାମଞ୍ଜୁର ପରେ ସରୋଜକୁ ରଗଡ଼ି ଉପକାରାଗାରକୁ ପଠାଇ ଦିଆଯାଇଛି।
Follow Us