ଡାବୁଗାଁ: ହସଖୁସିରେ ଚାଲିଥିବା ଏକ ଦାମ୍ପତ୍ୟ ସଂସାର ୭ ଦିନ ମଧ୍ୟରେ ଉଜୁଡି ଯାଇଛି। ସ୍ତ୍ରୀର ମୃତ୍ୟୁରେ ଗଭୀର ମ୍ରିୟମାଣ ହୋଇ ଆଜି ସ୍ଵାମୀ ଆର ପାରିକି ଚାଲି ଯାଇଛନ୍ତି। ପରିବାର ଓ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଦୁଃଖଦ ଖବର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମରେ ଦେଖିବାକୁ ମିଳିଛି।
ଫୁଲଭଟ୍ଟା ଗ୍ରାମର ଜେମା ବିଶୋଇ (୬୮) ଗ୍ରାମର ୧୦ ଜଣ ଶିଶୁ ଓ ମହିଳା ଶ୍ରଦ୍ଧାଳୁଙ୍କ ସହ ମିଶି ଏକ ଅଟୋରେ ଗତ ୧୫ତାରିଖ ଦିନ ଝରିଗାଁ ବ୍ଲକ ଅନ୍ତର୍ଗତ ଚନ୍ଦନ ଧାରା ଶୈବ ପୀଠକୁ ମହାଦେବଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ସେଠାରେ ଦର୍ଶନ ସାରି ଡାବୁଗାଁର ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଦିନ ୧ଟାରେ ଆସିଥିଲେ। ତେବେ କେଲିଆ ବାବା ଝାଡେଶ୍ୱର ମନ୍ଦିରରୁ ୫ କିମି ଦୂର ମୁଣ୍ଡା ପଦର ବୁଲାଣି ନିକଟରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସେଠାରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଜେମା ବିଶୋଇଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଖବର ପଢ଼ନ୍ତୁ: ୧୦ ନକ୍ସଲ ନିହତ ପରେ ବିଜୟ ଉତ୍ସବ ପାଳିଲେ ଯବାନମ
ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମରେ ମା’ ଜେମା ବିଶୋଇଙ୍କ ମୃତ୍ୟୁ ଘଟଣାକୁ ୬ ଭାଇ-ଭଉଣୀ ଭୁଲିପାରି ନଥିବା ବେଳେ ଏବେ ସେମାନେ ବାପାଙ୍କୁ ହରାଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ପରି ପବିତ୍ର ତିଥିରେ ଭଗବାନ ମହାଦେବଙ୍କୁ ଦର୍ଶନ କରିବାକୁ ଯାଇଥିବା ଚଳ ଚଞ୍ଚଳ ଜେମା ବିଶୋଇଙ୍କ ଅକସ୍ମିକ ମୃତ୍ୟୁ ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା। ତେବେ ଜେମା ବିଶୋଇଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରି ପାରି ନ ଥିଲେ ସ୍ଵାମୀ ଜଗନ୍ନାଥ ବିଶୋଇ। ନିଜ ସ୍ତ୍ରୀର ମୃତ୍ୟୁ ପରେ ଏକ ରକମ ଭାଙ୍ଗି ପଡ଼ିଥିଲେ ଜଗନ୍ନାଥ। ଆଜି ଜେମା ବିଶୋଇଙ୍କ ମୃତ୍ୟୁ ର ୭ ଦିନରେ ହଠାତ୍ ଦିନ ୧.୪୫ ମିନିଟ ସମୟରେ ଜଗନ୍ନାଥ ବିଶୋଇଙ୍କ ହୃଦଘାତ ହୋଇ ତଳେ ଟଳି ପଡ଼ିଥିଲେ। ପରିବାର ବର୍ଗ ମୃତ ଜେମା ବିଶୋଇଙ୍କ ଦଶାହ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସ୍ଵାମୀ ଜଗନ୍ନାଥଙ୍କ ଆଜି ମୃତ୍ୟୁ ଘଟିଥିଲା।
ଏହି ଖବର ପଢ଼ନ୍ତୁ: ମନ୍ଦିରରୁ ଫେରିବା ବେଳେ ଓଲଟିଲା ଅଟୋ
ଏକ ସପ୍ତାହ ମଧ୍ୟରେ ବାପା ଓ ମାଙ୍କୁ ପରିବାର ଲୋକେ ହରାଇଥିଲେ। ଆଜି ସନ୍ଧ୍ୟାରେ ଗାଁ ଶ୍ମଶାନରେ ଜଗନ୍ନାଥ ବିଷୋଇଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବୃଦ୍ଧ ଦମ୍ପତି ଜେମା ବିଶୋଇ ଓ ଜଗନ୍ନାଥ ଵିଶୋଇଙ୍କ ତିନି ପୁଅ ଓ ତିନି ଝିଅ ରହିଛନ୍ତି।