ମାଣବସା ଗୁରୁବାର ପାଇଁ କିଣାକିଣି କରିବାକୁ ଯାଉଥିଲେ ପତିପତ୍ନୀ; ଡ଼ମ୍ପର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

Advertisment
ଦୁର୍ଘଟଣାରେ ଜଣେ ମୃତ

ନୂଆପଡ଼ା/ସିନାପାଲି: ରାତି ପାହିଲେ ମା’ ଲକ୍ଷ୍ମୀଙ୍କ ପାଇଁ ଘରେ ଘରେ ହେବ ପୂଜାର୍ଚ୍ଚନା। ପାଳନ ହେବ ମାର୍ଗଶୀର ମାସର ଶେଷ ଗୁରୁବାର। ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ସାମଗ୍ରୀ କିଣିବାକୁ ଯାଉଥିଲା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ପତିପତ୍ନୀ। ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍‌ ୱେର ଯୁଗେନପଦର ଛକ ନିକଟରେ ଦ୍ରୁତଗାମୀ ଡମ୍ପର ଧକ୍କା ଦେବାରୁ ଆଜି ପୂର୍ବାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ନୀଳଜୀ ନିବାସୀ ସୁଶାନ୍ତ ସା (୩୬) ଓ ତାଙ୍କର ସ୍ତ୍ରୀ ବାସନ୍ତୀ ସା (୩୪) ଗୁରୁତର ଅଛନ୍ତି।

ପ୍ରାପ୍ତ ଖବର ଅନୁସାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଲଷ୍ମୀ ପୂଜା ପ୍ରସ୍ତୁତି ପାଇଁ ସ୍ୱାମୀସ୍ତ୍ରୀ ପୂଜା ସାମଗ୍ରୀ କିଣିବା ପାଇଁ ଏକ ବାଇକ (ଓଡ଼ି ୨୬ ଇ ୬୯୮୮)ରେ ଯୁଗେନପଦର ଛକ ଦେଇ ବିଜୁ ଏକ୍ସପ୍ରେସ ରାସ୍ତାରେ ସିନାପାଲିକୁ ଯାଉଥିଲେ। ହେଲେ ବିପରୀତ ପଟୁ ଆସୁଥିବା ଏକ ଡ଼ମ୍ପର ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଡ଼ମ୍ପର ଧକ୍କାରେ ସ୍ୱାମୀ ସୁଶାନ୍ତ ଓ ସ୍ତ୍ରୀ ବାସନ୍ତୀ ଛିଟିକି ପଡିଥିଲେ। ସେମାନଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ। ବାସନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଡ଼ମ୍ପରଟି ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଗାଡି ବୋଲି ମୃତଙ୍କ ପତ୍ନୀ ବାସନ୍ତୀ ପ୍ରକାଶ କରିଛନ୍ତି। ଦୁର୍ଘଟଣା ଘଟାଇ ଡ଼ମ୍ପରଟି ଖସି ପଳାଇଥିବା ଜଣାପଡିଛି। ଯୁଗେନପଦର ଛକରେ ମୃତ ଶରୀରକୁ ରଖି ପରିବାର ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଧରି ମୁଖ୍ୟରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସିନାପାଲି ତହସିଲଦାର ଉପାଞ୍ଜଳି ମାଝୀ ପହଞ୍ଚି ସମାଧାନ କରିଥିଲେ। ସିନାପାଲି ପ୍ରଶାସନ ଓ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ କମ୍ପାନି ଆର୍କେଡି ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ ପରେ ଲୋକେ ରାସ୍ତା ଅବରୋଧରୁ ଓହରିଥିଲେ। ମୃତଙ୍କ ତିନି ନାବାଳକ ଶିଶୁପୁତ୍ର ବାପାଙ୍କ ଅକାଳ ବିୟୋଗରେ ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି। ତାଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ସହ ପ୍ରଶାସନ ପକ୍ଷରୁ ଥଇଥାନ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe