ପତ୍ନୀଙ୍କୁ ଡାକ୍ତରଖାନା ନେବାବେଳେ ଦୁର୍ଘଟଣା, ସ୍ୱାମୀ ମୃତ

ପତ୍ନୀଙ୍କୁ ଡାକ୍ତରଖାନା ନେବାବେଳେ ଦୁର୍ଘଟଣା, ସ୍ୱାମୀ ମୃତ

ଚଣ୍ଡିଖୋଲ : ଗର୍ଭବତୀ ପତ୍ନୀଙ୍କୁ କଟକ ବଡ଼ ଡାକ୍ତରଖାନା ନେଉଥିବା ବେଳେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ମୃତ‌ ଯୁବକ ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମର ରାମ ଠାକୁରଙ୍କ ବଡ଼ପୁଅ ରାଜେଶ। ରାମ ଠାକୁରଙ୍କ ପରିବାର ୪୦ ବର୍ଷ ତଳେ ବିହାରରୁ ଆସି ସୁଙ୍ଗୁଡ଼ା ଗ୍ରାମରେ ରହି ଆସୁଛନ୍ତି। ପୁଅ ରାଜେଶ ଚଣ୍ଡିଖୋଲ ଛକରେ ଏକ ଜେରକ୍ସ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୨୨ ତାରିଖ ରାତିରେ ପତ୍ନୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ରାଜେଶ ତାଙ୍କୁ ଆଣି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପତ୍ନୀଙ୍କୁ ଆଜି କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା।

ଆମ୍ବୁଲାନ୍ସରେ ପତ୍ନୀଙ୍କୁ କଟକ ନିଆଯାଉଥିବା ବେଳେ ରାଜେଶ ଏକ ବାଇକ୍‌ରେ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଟକ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଛକ ନିକଟରେ ଏକ ଟ୍ରକ୍‌ ଧକ୍କା ଦେବାରୁ ରାଜେଶଙ୍କର ସେଠାରେ ମୃତ୍ୟୁ ହୋଇଥିଲା। କଟକରେ ବ୍ୟବଚ୍ଛେଦ ପରେ ମୃତଦେହ ସୁଙ୍ଗୁଡା ଗ୍ରାମକୁ ଅଣାଯାଇ ଶେଷକୃତ୍ୟ କରାଯାଇଥିଲା। ୱାର୍ଡସଭ୍ୟା ବିଜୟଲକ୍ଷ୍ମୀ ରାଉତଙ୍କ ଅନୁରୋଧରେ ପଞ୍ଚାୟତ ପକ୍ଷରୁ ଏହି ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ପଲ୍ଲୀ ମଙ୍ଗଳ ପ୍ୟାକ୍ସ ସଭାପତି ସଞ୍ଜୟ କୁମାର ସ୍ୱାଇଁ ଓ ପ୍ରକାଶ ରାଉତ ପ୍ରମୁଖ ରାଜେଶଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ତାଙ୍କ ପତ୍ନୀଙ୍କୁ ସ୍ୱାମୀଙ୍କ ମୃତ୍ୟୁ ଖବର ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe