ବ୍ରଜରାଜନଗରରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା, ସ୍ବାମୀ ଅଟକ

Advertisment
ବ୍ରଜରାଜନଗରରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା, ସ୍ବାମୀ ଅଟକ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଧୀନ ରାମପୁର କଲୋନିରେ ବୁଧବାର ରାତିରେ ଘଟିଯାଇଛି ବୀଭତ୍ସ ହତ୍ୟାକାଣ୍ଡ। ଠେଙ୍ଗା‌ରେ ପିଟି ପିଟି ପତ୍ନୀକୁ ହତ୍ୟା କରିଛି ପତି। ମୃତା ମହିଳା ହେଲେ କ୍ବାର୍ଟର୍ସ ନମ୍ବର ଏମ୍‌କ୍ୟୁ-୧୪ରେ ରୁହୁଥିବା ପଙ୍କଜିନୀ ନାୟକ (୬୧)। ଏହି ଘଟଣାରେ ପୁଲିସ ସ୍ବାମୀ ରମେଶ ନାୟକ (୬୪)କୁ ଅଟକ ରଖି ପଚରାଉଚରା କରୁଛି।

publive-image

ପୁଲିସର ସୂଚନା ଅନୁଯାୟୀ ପଙ୍କଜିନୀ ଏମ୍‌ସିଏଲର ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ବୁନ୍ଦିଆ କୋଇଲା ଖଣିରେ କାମ କରୁଥିଲେ। ଗତ ବର୍ଷ ସେ ଚାକିରିରୁ ଅବସର ନେଇଛନ୍ତି। ସ୍ବାମୀ ରମେଶ ନାୟକ ଏକ ଘରୋଇ ସୁରକ୍ଷା କର୍ମୀ ଭାବେ କାମ କରନ୍ତି। ଉଭୟଙ୍କର ୩ ଝିଅ, ଗୋଟିଏ ପୁଅ ଅଛନ୍ତି। ଝିଅମାନେ ବିବାହ କରିସାରିଛନ୍ତି। ପୁଅ ପ୍ରକାଶ ନାୟକ ଅବିବାହିତ। ଗତକାଲି ରାତିରେ ପୁଅ ପ୍ରକାଶ ଘରକୁ ଫେରିବା ପରେ ବାପା ରମେଶ ଏକ ଚେୟାର୍‌ରେ ବସିଥିବା ବେଳେ ମା ତଳେ ଶୋଇଥିଲେ। ପୁଅ ଏ ବିଷୟରେ ବାପାଙ୍କୁ ପଚାରିବାରୁ ସେ ମା’ଙ୍କୁ ରାଗିକି ମାଡ଼ ମାରିଥିଲେ। ଏହାପରେ ସେ ଆଉ ଉଠୁନଥିବା କହିଥିଲେ। ସେତେବେଳେକୁ ମା’ ପଙ୍କଜିନୀଙ୍କ ମୃତ୍ୟୁ ହୋଇଯାଇଥିଲା।

publive-image

ଏହା ଜାଣିବା ପରେ ପ୍ରକାଶ ତାଙ୍କ ଭିଣୋଇ ବନ୍ଧବାହାଲର ସଦାନନ୍ଦ ଚାନ୍ଦଙ୍କୁ ଖବର ଦେଇଥିଲେ। ଭିଣୋଇ ପହଞ୍ଚିବା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ବ୍ରଜରାଜନଗର ଥାନା ଅଧିକାରୀ ବୈକୁଣ୍ଠ ସେଠ ଓ ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ କହିବା ଅନୁଯାୟୀ ରମେଶ ସବୁଦିନ ମଦ୍ୟପାନ କରନ୍ତି। ଅବସର ପରେ ସେ ସ୍ତ୍ରୀ ପଙ୍କଜିନୀ ପାଇଥିବା ଟଙ୍କାକୁ ମାଗୁଥିଲେ। ମାତ୍ର ସେ ଟଙ୍କା ଦେବାକୁ ମନା କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଓ ମାରପିଟ୍‌ ଲାଗେ। ବୁଧବାର ରାତିରେ ରମେଶ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ମଦ ପିଇବାକୁ ଆହୁରି ଟଙ୍କା ମାଗିଥିଲେ। ମାତ୍ର ଟଙ୍କା ଦେବାକୁ ପଙ୍କଜିନୀ ରାଜି ନହେବାରୁ ସେ ଏକ ଠେଙ୍ଗାରେ ତାଙ୍କୁ ନିର୍ଘାତ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୁଲିସ ସାଇଣ୍ଟିଫିକ୍‌ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଘଟଣାସ୍ଥଳରୁ ଠେଙ୍ଗା ମଧ୍ୟ ଜବତ ହୋଇଛି। ପଙ୍କଜିନୀଙ୍କ ଦେହରେ ଏକାଧିକ ଆଘାତ ଲାଗିଥିବା କ୍ଷତ ଚିହ୍ନ ରହିଥିବା ଦେଖାଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe