Representational image: The Express Tribune
ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ରୁଗୁଡିସାହିରେ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ସ୍ୱାମୀ ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବାଂଶପାଳ ରୁଗୁଡିସାହିର ଯଦୁ ମହାକୁଡ(୩୨) ଓ ସ୍ତ୍ରୀ ବନିତା ମହାକୁଡ (୨୮) ଏବଂ ୨ ପୁଅ ଓ ଝିଅଙ୍କ ସହିତ ରହୁଥିଲେ। ଯଦୁ ମହାକୁଡ ବାହାରକୁ କାମ କରିବାକୁ ଯାଉଥିବା ବେଳେ ସ୍ତ୍ରୀ ବନିତା ଗାଁ ପାଖରେ ଶ୍ରମିକ ଭାବେ କାମ କରୁଥିଲେ। ବନିତାଙ୍କ ପଡୋଶୀ ଯୁବକ ମଧ୍ୟ ସେଠାରେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଧୀରେ ଧୀରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ। ଗତକାଲି ସଂଧ୍ୟାରେ ବନିତା ଓ ତାଙ୍କ ପ୍ରେମିକ ଏକାଠି ଥିବାର ବନିତାଙ୍କ ସ୍ୱାମୀ ଯଦୁ ଦେଖିଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବନିତାଙ୍କୁ ଗାଳିଗୁଲଜ କରିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ରରୂପ ନେଇଥିଲା। ଏହି ସମୟରେ ସ୍ୱାମୀ ଯଦୁ ଏକ ଟାଙ୍ଗିଆରେ ସ୍ତ୍ରୀ ବନିତାଙ୍କୁ ହାଣି ଦେଇଥିଲା। ବନିତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଛଟଛଟ ହୋଇ ପ୍ରାଣ ହରାଇଥିଲେ।
ଯଦୁ ହତ୍ୟାକାଣ୍ଡ ଭିଆଇ ତାଙ୍କ ମା’ଙ୍କୁ ଏ ସମ୍ପର୍କରେ ଜଣାଇ ଥାନାରେ ଆତ୍ମସମର୍ପଣ କରିଥିଲା। ଆଜି ସକାଳୁ ନୟାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ନୟାକୋଟ ପୁଲିସ ୬୧/୨୦ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଯଦୁ ମହାକୁଡ ଓ ବନିତାଙ୍କ ପ୍ରେମିକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
Follow Us