ସନ୍ଦେହ ହେଲା କାଳ : ପତ୍ନୀକୁ ହତ୍ୟା, କଟା ମୁଣ୍ଡ ଧରି ଥାନାରେ ସ୍ବାମୀ

ସନ୍ଦେହ ହେଲା କାଳ : ପତ୍ନୀକୁ ହତ୍ୟା, କଟା ମୁଣ୍ଡ ଧରି ଥାନାରେ ସ୍ବାମୀ

ଅସ୍ତରଙ୍ଗ/ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଛାତିଥରା ହତ୍ୟାକାଣ୍ଡ ସାଧାରଣରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଜ ପତ୍ନୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ କଟାମୁଣ୍ଡକୁ ଏକ ଜରି ଅଖାରେ ଧରି ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ସ୍ବାମୀ ଗଣେଶ ବେଉରା (୪୦)କୁ ପୁଲିସ ଗିରଫ କରିଥିବା ବେଳେ ପତ୍ନୀ ଅନ୍ନପୂର୍ଣ୍ଣାଙ୍କ (୩୨) ମୃତଦେହକୁ ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି। ପତ୍ନୀଙ୍କୁ ହତ୍ୟା କରିବା ପରେ ପାଗଳ ପ୍ରାୟ ଗଣେଣ ନିଜ ଘରଠାରୁ ପ୍ରାୟ ୮ କିମି ଚାଲି ଚାଲି ଥାନାରେ ପହଞ୍ଚିଥିଲା। ଏହା ଦେଖି ପୁଲିସ ବାବୁମାନଙ୍କ ହୋସ୍‌ ଉଡ଼ି ଯାଇଥିଲା। କାଳବିଳମ୍ବ ନକରି ପୁଲିସ ଅଭିଯୁକ୍ତକୁ ଗାଡ଼ିରେ ବସାଇ ତା’ ଘରକୁ ଆସିବା ସହ ରାତିତମା‌ମ ସେଠାରେ ଜଗି ରହିଥିଲା। ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛି। ଘଟଣା ପଛରେ ଚରିତ୍ର ସନ୍ଦେହ, ପରକୀୟା ପ୍ରୀତି ଓ ଯୌତୁକ ନିର୍ଯାତନା ଭଳି କାରଣ ଥିବା ପୁଲିସ ଅନୁମାନ କରିଛି। ତେବେ ତଦନ୍ତ ଚାଲୁଥିବାରୁ ଏ ନେଇ କିଛି ସ୍ପଷ୍ଟ କରିନି ପୁଲିସ। ଅନ୍ୟପକ୍ଷରେ ମୃତା ଅନ୍ନପୂର୍ଣ୍ଣାଙ୍କ ଭାଇ ପ୍ରଶାନ୍ତ ସାହୁ ଯୌତୁକ ପାଇଁ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।

ଅସ୍ତରଙ୍ଗ ଥାନାଠୁ ୮ କିମି ଦୂରରେ ରହିଛି ରାଇବେରୁଆଁ ଗାଁ। ଆଜିକୁ ୮ ବର୍ଷ ତଳେ କାକଟପୁର ଥାନା ଓଳଙ୍ଗର ଗ୍ରାମର ଶିଖର ସାହୁଙ୍କ ଝିଅ ଅନ୍ନପୂର୍ଣ୍ଣା ରାଇବେରୁଆଁର ଗ୍ରାମର ହାଡ଼ିବନ୍ଧୁ ବେଉରାଙ୍କ ପୁଅ ଗଣେଶ (ବାପି)ଙ୍କୁ ବିବାହ କରିଥିଲେ। ପ୍ରଥମେ ପତିପତ୍ନୀଙ୍କ ଦାମ୍ପତ୍ୟ ଜୀବନ ବେଶ ହସଖୁସିରେ ଚାଲିଥିଲା। ହେଲେ କିଛି ଦିନ ପରେ ଛୋଟମୋଟ କଥାକୁ ନେଇ ଦୁହେଁ ପରସ୍ପରକୁ ଅବିଶ୍ବାସ କରିବା ଆରମ୍ଭ କରିଥିଲେ। ସେପଟେ ଶ‌ାଶୂ ଘର ଲୋକେ ଦେଢ଼ ଲକ୍ଷ ଟଙ୍କା ଯୌତୁକ ଦାବି କରି ଅନ୍ନପୂର୍ଣ୍ଣାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଗଞ୍ଜଣା ସତ୍ତ୍ବେ ଦେଢ଼ ବର୍ଷ ପୁଅର ମୁହଁକୁ ଅନାଇ ସବୁ ସହି ଯାଉଥିଲେ ଅନ୍ନପୂର୍ଣ୍ଣା‌। ତେବେ ଶାଶୂଘର ଲୋକଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ମଝିରେ ମଝିରେ ଅନ୍ନପୂର୍ଣ୍ଣା ତାଙ୍କ ବାପ ଘରକୁ ପଳାଉଥିଲେ। ଗତ ୧୯ ତାରିଖରେ ପତିପତ୍ନୀଙ୍କ କଳହ ଘଟଣାକୁ ଭଦ୍ରଲୋକଙ୍କ ସହାୟତାରେ ସମାଧାନ କରାଯିବା ପରେ ୨୧ ତାରିଖରେ ଶାଶୂ ଘରକୁ ଫେରିଥିଲେ ଅନ୍ନପୂର୍ଣ୍ଣା।

ଗତକାଲି ରାତି ପ୍ରାୟ ୧୨ଟା ବେଳେ ଗଣେଶ ତାଙ୍କ ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡଗଣ୍ଡି ଅଲଗା କରିବା ପରେ ପତ୍ନୀଙ୍କ ମୁଣ୍ଡକୁ ଧରି ଥାନା‌ରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ଏହି ଘଟଣାରେ ଗଣେଶ ବେଉରା, ହାଡ଼ିବନ୍ଧୁ ବେଉରା, ଜାପାନି ବେଉରା, ହସନ ବେଉରା, କାଞ୍ଚନ ବେଉରା, ମିତା ବେଉରା ଓ ଟୁନି ବେଉରା ସଂପୃକ୍ତ ବୋଲି ମୃତ ଅନ୍ନପୂର୍ଣ୍ଣାଙ୍କ ଭାଇ ପ୍ରଶାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉଭୟ ପତିପତ୍ନୀ ପରସ୍ପରର ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ଏହି ସନ୍ଦେହ କାରଣରୁ ହତ୍ୟାକାଣ୍ଡ ଘଟିଥାଇପା‌ରେ ବୋଲି ଚର୍ଚ୍ଚା ହେଉଛି। ଏସ୍‌ଡିପିଓ ଶରତ ମିଶ୍ର ଓ ଅସ୍ତରଙ୍ଗ ଥାନା ଅଧିକାରୀ ଶରତ ନାୟକ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe