ଭୁବନେଶ୍ବର : କବିତା ଯଦି ଅଳ୍ପ ଶବ୍ଦରେ ବହୁତ କଥା କହିପାରୁଛି, ତେବେ ଆମ କହିବାର ମାଧ୍ୟମ କବିତା ହେଉ। କାରଣ ଆମକୁ ଅନେକଗୁଡ଼ିଏ କଥା କହିବାର ଅଛି। ଛୋଟ କବିତା, ସରଳ ଭାବେ ବୁଝି ହେଉଥିବା କବିତା ସାଧାରଣ ଲୋକଙ୍କ ପାଖେ ପହଞ୍ଚିବାର ଆବଶ୍ୟକତା ରହିଛି। ସୋମବାର ‘ସମ୍ବାଦ ଭବନ’ରେ କବି ହୁସେନ୍ ରବିଗାନ୍ଧୀଙ୍କ କବିତା ସଂକଳନ ‘ମୁକ୍ତ ପୂର୍ବାଶା’କୁ ଉନ୍ମୋଚନ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଯେଉଁମାନେ ଭଲ ଲେଖା ପଢ଼ିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ କିଛି କରିବାର ଆବଶ୍ୟକତା ରହିଛି। ଭଲ ଲେଖାକୁ ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ।
ମୁଖ୍ୟବକ୍ତା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଲେ, ଆକାଶ ଯଦି ଏକ ପାତ୍ର ହୁଏ, ବାଦଲ ହେଉଛି ଏହାର ରସ ଓ ଚନ୍ଦ୍ରମା ହେଉଛନ୍ତି ରସଗୋଲା। ସେହିପରି ଆଜିର ସମାଜ ପାଇଁ ହୁସେନ୍ ରବିଗାନ୍ଧୀଙ୍କ କବିତା ହେଉଛି ରସଗୋଲା। ତାଙ୍କ କବିତାଗୁଡ଼ିକର ମୂଲ୍ୟବୋଧ ଖୁବ୍ ଉଚ୍ଚକୋଟୀର। ପାଖରେ ଟଙ୍କା ଥିଲେ ଘର କରିଦେବା ସହଜ, ହେଲେ ଗୋଟିଏ ବହି ଉନ୍ମୋଚନ କରିବା କଷ୍ଟକର।
କବି ହୁସେନ୍ ରବିଗାନ୍ଧୀ କହିଲେ, ୧୯୮୨ମସିହାରେ ଏହି ପୁସ୍ତକଟି ପ୍ରକାଶ ପାଇଥିଲା। ବର୍ତ୍ତମାନର ସଂକଳନଟି ତା’ର ନବକଳେବର। ପକ୍ଷୀଘର ପ୍ରକାଶନୀ ତରଫରୁ ପ୍ରକାଶିତ ଏହି ସଂକଳନରେ ବିଶ୍ବରେ ବାମପନ୍ଥୀ ଆନ୍ଦୋଳନରେ ଜଡ଼ିତ କବିମାନଙ୍କ କବିତାଗୁଡ଼ିକର ଅନୁବାଦ ମଧ୍ୟ ସ୍ଥାନିତ ହୋଇଛି। କାର୍ଯ୍ୟକ୍ରମକୁ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ପରିଚାଳନା କରିଥିବା ବେଳେ ପ୍ରକାଶକ ବନୋଜ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲେଖକ ଅଧ୍ୟାପକ ବିଶ୍ବରଞ୍ଜନ, ଗୌରହରି ଦାସ, ଅସିତ ମହାନ୍ତି, ବାସୁଦେବ ସୁନାନୀ, ସୂର୍ଯ୍ୟ ମିଶ୍ର, ନିରାକାର ଦାସ, ଦେବାଶିଷ ମହାପାତ୍ର ଓ ଶଶାଙ୍କ ଚୂଡ଼ାମଣି ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।
Follow Us