ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ, ପ୍ରଶାସନ ବିରୋଧରେ ଅସନ୍ତୋଷ ବ୍ୟକ୍ତ କଲେ ଶଙ୍କରାଚାର୍ଯ୍ୟ

‘ଶ୍ରୀମନ୍ଦିର ବାବଦରେ ମୋତେ କିଛି ପଚରାଯାଉନାହିଁ’

ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ, ପ୍ରଶାସନ ବିରୋଧରେ ଅସନ୍ତୋଷ ବ୍ୟକ୍ତ କଲେ ଶଙ୍କରାଚାର୍ଯ୍ୟ

kalingatv.com

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ଶାସନ ତନ୍ତ୍ର ମୋ’ଠୁ ଦୂରେଇ ରହୁଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମୁତାବକ, ଶ୍ରୀମନ୍ଦିର ସମ୍ପର୍କରେ କୌଣସି ନିଷ୍ପତ୍ତି ନେଉଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଅଥଚ ତାଙ୍କୁ ଶ୍ରୀମନ୍ଦିର ସଂକ୍ରାନ୍ତରେ କୌଣସି ବିଷୟ ଅବଗତ କରାଯାଉନାହିଁ ବୋଲି କହିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି, କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ିଦେଲେ ଶ୍ରୀମନ୍ଦିର ସହ ତାଙ୍କର ସମ୍ପର୍କ ନାହିଁ। କେବଳ ରଥଯାତ୍ରା ସମୟରେ ରଥ ଉପରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ତାଙ୍କ କାର୍ଯ୍ୟଧାରା ସୀମିତ ରହିଛି।

ସଚେତନ ନାଗରିକ ମଞ୍ଚ ଓ ରାଷ୍ଟ୍ର ଉତ୍କର୍ଷ ଅଭିଯାନ ପକ୍ଷରୁ ସୁରତରେ ହେଉଥିବା ଏକ ଆଧ୍ୟାତ୍ମିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଶ୍ନ କରିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ହେଲା। କାମ ସରିବା ପରେ ଉଦ୍‌ଘାଟନ ପାଇଁ ଦିନ ବି ଧାର୍ଯ୍ୟ ହୋଇଛି। କିନ୍ତୁ ଏ ସମ୍ପର୍କରେ ଆପଣଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା କି? ଉଦ୍‌ଘାଟନୀକୁ ଆପଣଙ୍କୁ ନିମନ୍ତ୍ରଣ କରାଯାଇଛି କି? ଜଗଦ୍‌ଗୁରୁ ଚିରାଚରିତ ଢଙ୍ଗରେ ଅଳ୍ପ ହସି ଉତ୍ତର ଦେଇଥିଲେ, ମୋ’ର କେବଳ ଜଗନ୍ନାଥଙ୍କ ସହ ସମ୍ପର୍କ ଅଛି। ଶ୍ରୀମନ୍ଦିର ସେବାୟତ, ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନ ମୋ’ଠୁ ଦୂରତା ବଜାୟ ରଖିଛନ୍ତି। ବୋଧହୁଏ ମୁଁ ଖାଉ ହୋଇଥିଲେ ମୋ ସହ ସମ୍ପର୍କ ରଖିଥାନ୍ତେ ବୋଲି ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।

ଜଗଦଗୁରୁ ଏକଥା ବି କହିଛନ୍ତି, ‘ମାନେ ୟା ନାମାନେ, ମୈ ତେରା ମେହମାନ’ରେ ମୁଁ ବିଶ୍ବାସ କରେ ନାହିଁ। ମୋର ସ୍ବଭାବ ହେଉଛି, ମୋ ଦୃଷ୍ଟିରେ ଯାହା ସତ, ତାହା କହେ। ମିଛ କହେ ନାହିଁ। ତେଣୁ ମୋତେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ କିଛି ପଚରାଯାଉ ନଥିବାରୁ ମୁଁ ବାଧ୍ୟ ହୋଇ ଚୁପ୍‌ ରହୁଛି ବୋଲି ସେ କହିଛନ୍ତି। ଏପରିକି ଗଜପତି ମହାରାଜା ପରିଚାଳନା କମିଟି ଅଧ୍ୟକ୍ଷ ହୋଇଥିଲେ ମଧ୍ୟ ତାଙ୍କଠୁ ଦୂରେଇ ରହୁଥିବା ସେ କହିଛନ୍ତି। ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଦକ୍ଷିଣ ଦ୍ବାର ଖୋଲାଯାଇପାରେ। ମାତ୍ର ସଂପ୍ରତି ସ୍ଥିତି କ’ଣ ରହିଛି ସେ ଜାଣିନଥିବାରୁ ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେବେ ନାହିଁ। ସେ ଏକଥା ମଧ୍ୟ କହିଛନ୍ତି, ରାଜ୍ୟର ଧାର୍ମିକ ଓ ଆଧ୍ୟାତ୍ମିକ ବୁଝାମଣା କରିବାରେ ମୁକ୍ତି ମଣ୍ଡପର ଭୂମିକା ରହିଛି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମୁକ୍ତି ମଣ୍ଡପର ସ୍ଥାୟୀ ଅଧ୍ୟକ୍ଷ। ମାତ୍ର ମୁଁ ଶୁଣୁଛି ମୁକ୍ତି ମଣ୍ଡପରେ ବି ମଦ ବୋତଲ ପହଞ୍ଚିଗଲାଣି। ତେଣୁ ମୁଁ ବା କ’ଣ କରିପାରିବି ବୋଲି ଜଗଦ୍‌ଗୁରୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe