ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆଜି ଓଡ଼ିଶାରେ ପ୍ରଚାର ସମୟରେ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଚାନକ କିଭଳି ଖରାପ ହେଲା ଏଥିପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରି ଯାଞ୍ଚ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ।
ଫୋନ୍ କରି ମୋ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିପାରିଥାନ୍ତେ
ଗୁଜବ ପ୍ରଚାର କରୁଥିବା ବିଜେପି ନେତାଙ୍କ ପାଇଁ କମିଟି ଗଠନ କରନ୍ତୁ
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ମୋ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏକ କମିଟି ଗଠନ କରି ଯାଞ୍ଚ କରିବେ ବୋଲି କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏତେ ଚିନ୍ତିତ ତାହେଲେ ମୋତେ ଫୋନ୍ କରି ମୋର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିପାରିଥାନ୍ତେ। ରାଜ୍ୟ ଓ ଜାତୀୟ ବିଜେପି ନେତାମାନେ ବିଗତ ୧୦ବର୍ଷ ଧରି କ୍ରମାଗତ ଭାବେ ମୋର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ପ୍ରଚାର କରିଆସୁଛନ୍ତି। ମୋ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଛି ଓ ଗତ ଏକ ମାସ ହେବ ରାଜ୍ୟରେ ନିର୍ବାଚନ ପ୍ରଚାର କରୁଛି।
ଏଭଳି ଗୁଜବ ଉପରେ ବିଶ୍ବାସ ନ କରି ଓଡ଼ିଶାର କୋଇଲା ରୟାଲଟିର ସଂଶୋଧନ ସହ ଦୀର୍ଘଦିନ ଧରି ଓଡ଼ିଶା ଦାବି କରି ଆସୁଥିବା ସ୍ବତନ୍ତ୍ର ପାହ୍ୟା ରାଜ୍ୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦିଅନ୍ତୁ। ଏହା ଓଡ଼ିଶା ଲୋକଙ୍କ ପାଇଁ ସହାୟକ ହେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ମୋର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କ ପାଇଁ କମିଟି ଗଠନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଉଛି। ଏବେ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ କେବଳ ଭୋଟ୍ ହାତେଇବା ପାଇଁ ଉଦ୍ଦିଷ୍ଟ।
Follow Us