India.com
ସମ୍ବଲପୁର: ବର୍ତ୍ତମାନ ସମୟର ରାଜନୀତି ପାଇଁ ମୁଁ ଅନ୍ଫିଟ୍। ତେଣୁ, ରାଜନୀତିରୁ ସନ୍ନ୍ୟାସ ନେଉଛି ବୋଲି ବିଜେଡି ନେତା ସୀମାନ୍ତ ହୋତା ଆଜି ସମ୍ବଲପୁର ମ୍ୟୁନ୍ସିପାଲଟି ଛକ ପାଖ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଶ୍ରୀ ହୋତା କହିଲେ, ୧୯୮୮ ମସିହାରୁ ଛାତ୍ର କଂଗ୍ରେସ ରାଜନୀତିରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ଯୁବ କଂଗ୍ରେସର ବିଭିନ୍ନ ପଦପଦବିରେ ରହିଥିଲି। ଧନକଉଡ଼ା ବ୍ଲକ କଂଗ୍ରେସ ସଭାପତି ମଧ୍ୟ ଥିଲି।
୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରେରଣାରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲି। ଗତ ପଞ୍ଚାୟତ ନିର୍ବାଚନରେ ରେଂଗାଲି ବ୍ଲକ ଯେଉଁ କେତେକ ପଞ୍ଚାୟତ ଦାୟିତ୍ବ ମିଳିଥିଲା, ସୂଚାରୁ ରୂପେ ତୁଳାଇ ଥିଲି। ସେଠାରୁ ଦଳୀୟ ପ୍ରାର୍ଥୀ ଅନ୍ୟମାନଙ୍କ ତୁଳନାରେ ବହୁତ ଭୋଟ ବ୍ୟବଧାନରେ ବିଜୟୀ ବି ହୋଇଥିଲି। ବିଜେଡିରେ କୌଣସି ପଦପଦବି ମିଳିନଥିଲେ ବି ମାନସମ୍ମାନ ବହୁତ ମିଳିଛି। କିନ୍ତୁ, ବର୍ତ୍ତମାନ ସମୟରେ ମୋ ପକ୍ଷେ ରାଜନୀତିରେ ରହିବା ଆଉ ସମ୍ଭବ ହେଉନାହିଁ। ସମର୍ଥକଙ୍କ ସହିତ ଲୋକଙ୍କ ଆଶାଆକାଂକ୍ଷା ବି ବହୁତ ବଢ଼ିଯାଇଛି। ଯାହା ପୂରଣ କରିବା ବହୁତ କଷ୍ଟକର ହୋଇଯାଉଛି। ଏଭଳି ସ୍ଥିତିରେ ମୁଁ ବିଜେଡି ଛାଡ଼ିବା ସହିତ ପୂରା ରାଜନୀତିରୁ ସନ୍ନ୍ୟାସ ନେଉଛି। ଅନ୍ୟ କୌଣସି ଦଳରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି। ଆଗକୁ ମୋ ପକ୍ଷେ ଯାହା ସମ୍ଭବ ହେବ, ସେତିକି ଲୋକଙ୍କ ସେବା କରିବି ବୋଲି ଶ୍ରୀ ହୋତା କହିଛନ୍ତି।
Follow Us