ଜିଏସ୍‌ଟି ସଂସ୍କାର ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବାକୁ ସଂକଳ୍ପ ଆସିଲା

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍‌ଟିରେ ସଂସ୍କାର ଆଣିବା ପାଇଁ ଆଜିଠାରୁ ନେକ୍ସଟ ଜେନ୍ ଜିଏସ୍‌ଟି ଲାଗୁ ହୋଇଛି। ଏହାଦ୍ବାରା ଓଡ଼ିଶା ସମେତ ଦେଶର ସାଧାରଣ ଲୋକଙ୍କର ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିବ।

Odisha assembly

Odisha assembly Photograph: (Sambad )

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍‌ଟିରେ ସଂସ୍କାର ଆଣିବା ପାଇଁ ଆଜିଠାରୁ ନେକ୍ସଟ ଜେନ୍ ଜିଏସ୍‌ଟି ଲାଗୁ ହୋଇଛି। ଏହାଦ୍ବାରା ଓଡ଼ିଶା ସମେତ ଦେଶର ସାଧାରଣ ଲୋକଙ୍କର ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବାକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏକ ସଂକଳ୍ପ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଏସ୍‌ଟି ସୁଧାର ଦ୍ବାରା ଦେଶର ଟ୍ୟାକ୍ସ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ। ଏବେ ଅଧିକାଂଶ ସାମଗ୍ରୀର ଜିଏସ୍‌ଟି ୫% ଓ ୧୮% ସ୍ଲାବ୍‌ରେ ଆସିବ। କିଛି ଆରାମଦାୟକ ସାମଗ୍ରୀ ଉପରେ କେବଳ ୪୦% ଜିଏସ୍‌ଟି ଲାଗିବ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି କମିଥିବାରୁ ଲୋକମାନେ ଆଶ୍ବସ୍ତ ହୋଇଛନ୍ତି। ଦୁଗ୍ଧ, ପାଉଁରୁଟି, ଅଣବ୍ରାଣ୍ଡେଡ୍ ଚାଉଳ, ଅଟା, ଶସ୍ୟ ସାମଗ୍ରୀ ଉପରେ ଟିକସ ଲାଗିନି। ସାବୁନ, ସାମ୍ପୁ, କାଠ, ଧାତୁଜାତୀୟ ସାମଗ୍ରୀ ଉପରେ ୫% ଟିକସ ଲାଗିବ। ସେହିପରି ତମାଖୁଜାତୀୟ ସାମଗ୍ରୀ, ମାଦକଦ୍ରବ୍ୟ, ଦାମୀ ଗାଡ଼ି ଉପରେ ୪୦% ଟିକସ ଲାଗିବ। ଜିଏସ୍‌ଟିର ଏହି ସୁଧାର ଗେମ୍‌ ଚେଞ୍ଜର ହେବାକୁ ଯାଉଛି।

ସେହିପରି ଓଡ଼ିଶାରେ କେନ୍ଦୁପତ୍ର ଉପରେ ୧୮%ରୁ ୫%କୁ ଟିକସ କମିଛି। ଏହାଦ୍ବାରା କେନ୍ଦୁପତ୍ର ତୋଳାଳିମାନେ ଲାଭବାନ ହେବେ। ସେହିଭଳି ସୂତା ଉପରେ ଜିଏସ୍‌ଟି ୧୨%ରୁ ୫%କୁ ହ୍ରାସ ପାଇଥିବାରୁ ଓଡ଼ିଶାର ବୁଣାକାର ଭାଇଭଉଣୀମାନେ ବେଶ୍ ଉପକୃତ ହେବେ। ଓଡ଼ିଶା ତିଆରି ବସ୍ତ୍ରର ବ୍ୟାପକତା ବୃଦ୍ଧି ପାଇବ। ବିଭିନ୍ନ କୃଷି ଉପକରଣ ଯଥା ଟ୍ରାକ୍ଟର ଓ ଏହାର ଯନ୍ତ୍ରାଂଶ, ଟ୍ରାକ୍ଟର ଟାୟାର ଉପରେ ଟିକସ ହାର ହ୍ରାସ ପାଇଥିବା କାରଣରୁ କୃଷି ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ ଏବଂ କୃଷକ ଭାଇଭଉଣୀମାନଙ୍କ ଅର୍ଥନୀତି ଆହୁରି ସୁଦୃଢ଼ ହେବ। ସ୍ବାସ୍ଥ୍ୟ ଓ ଜୀବନବୀମା ଟିକସ ଛାଡ଼ ହୋଇଥିବାରୁ ଓଡ଼ିଶାବାସୀ ଏହି ଜିଏସ୍‌ଟି ଦ୍ବାରା ବହୁତ ଉପକୃତ ହେବେ। ଜନସାଧାରଣ ଏହି ସହଜ ଓ ସୁବିଧା ଜିଏସ୍‌ଟିର ଫାଇଦା ଉଠାନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗୁ ଜିଏସ୍‌ଟି ବ୍ୟବସ୍ଥାରେ ସଂସ୍କାର ଆସିଛି। ପ୍ରଧାନମନ୍ତ୍ରୀଙ୍କୁ ଏହାର ଶ୍ରେୟ ଯିବା ଦରକାର। ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଇବା। 

ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିବ: ମୁଖ୍ୟମନ୍ତ୍ରୀ
ଲୋକଙ୍କର ଭଲ ହେବ ବୁଝିବାକୁ କ’ଣ ୮ବର୍ଷ ଲାଗିଲା: ବିଜେଡି

ଏହାକୁ ବିରୋଧ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ, ଗଣେଶ୍ବର ବେହେରା, ଧ୍ରୁବଚରଣ ସାହୁ କହିଥିଲେ, ଜିଏସ୍‌ଟି କାଉନସିଲ୍‌ ନିଷ୍ପତ୍ତି ନେଇଥିବାରୁ ଆମେ ଜିଏସ୍‌ଟି କାଉନସିଲ୍‌କୁ ଧନ୍ୟବାଦ ଦେବୁ। ଜଣେ ବ୍ୟକ୍ତିଙ୍କୁ କାହିଁକି ଧନ୍ୟବାଦ ଦେବାକୁ କହୁଛ? ଯିଏ ମୁଖ୍ୟମନ୍ତ୍ରୀ ଥିବାବେଳେ ଜିଏସ୍‌ଟିକୁ ଘୋର୍ ବିରୋଧ କରିଥିଲେ ଏବେ ତାଙ୍କୁ ସବୁ ଶ୍ରେୟ ଦେଉଛ? ରାଜନୈତିକ ଫାଇଦା ନେବାକୁ କହିଲେ ଦୃଢ଼ ନିନ୍ଦା କରିବୁ। ଜିଏସ୍‌ଟି ସରଳୀକରଣ ଦ୍ବାରା ଲୋକଙ୍କର ଭଲ ହେବ ବୋଲି କହୁଛ, ଏହା କ’ଣ ବୁଝିବାକୁ ୮ବର୍ଷ ଲାଗିଲା? ଜିଏସ୍‌ଟି ସଂସ୍କାର ଆସିଲା ବୋଲି କହୁଛ, କିନ୍ତୁ ଚୁଡ଼ା, ମୁଢ଼ି ଉପରେ ଜିଏସ୍‌ଟି ନେଉଛ, କେନ୍ଦୁପତ୍ର ଉପରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ ହେଲାନି। ପେଟ୍ରୋଲ, ଡିଜେଲ୍‌ ଉପରେ ଜିଏସ୍‌ଟି ପରିସରକୁ ଆସିଲାନି। ଏହା କି ପ୍ରକାରର ସଂସ୍କାର। ସିମେଣ୍ଟ, ରଡ୍‌, କ୍ଷୀର ଏବଂ ବିଭିନ୍ନ ସାମଗ୍ରୀ ଦାମ୍ କିଛି ମାସ ପୂର୍ବରୁ ହଠାତ୍ ବଢ଼ାଇ ଦେଲ, ଏବେ କହୁଛ ଜିଏସ୍‌ଟି କମିଲା ଲୋକ ଉପକୃତ ହେବେ। କାହାକୁ ଭୁତାଉଛ? ଜିଏସ୍‌ଟି ସଂସ୍କାର ଦ୍ବାରା ଟଙ୍କା ତୁଳନାରେ ଡଲାର ମୂଲ୍ୟ କେତେ କମିଲା? ଜିଡିପି ଅଭିବୃଦ୍ଧି ବଢ଼ିଲା କି? ନେପାଳର ଜେନ୍‌ ଜି ପ୍ରଭାବ ଜିଏସ୍‌ଟି ଉପରେ ପଡ଼ିବା ଭଳି ଲାଗୁଛି। 

ଶାସକ ଦଳ ପକ୍ଷରୁ ଅମର ନାୟକ, ଟଙ୍କଧର ତ୍ରିପାଠୀ, ପ୍ରତାପ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇ ତୁମେ ଓଡ଼ିଶାବାସୀଙ୍କୁ ଭ୍ରମିତ କରନି। ମୋଦୀଙ୍କୁ ଧନ୍ୟବାଦ ଦେବୁନି ତ କ’ଣ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବୁ। ଆଜି ଆଲୋଚନା ଅସମାପ୍ତ ରହିଥିବାବେଳେ ଆସନ୍ତାକ‌ାଲି ଏହା ଉପରେ ପୁଣି ଆଲୋଚନା ହେବ ବୋଲି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହରେ ଘୋଷଣା କରିଛନ୍ତି। କଂଗ୍ରେସ ବିଧାୟକମାନେ ଗୃହ ତ୍ୟାଗ କରିଥିବାରୁ ଆଲୋଚନାରେ ଭାଗ ନେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe